ସେ ଯେବେ ପ୍ରେମ କରନ୍ତି
ବର୍ଷାରାଣୀ ମହାନ୍ତି (ଯାଜପୁର )
ସେ ପ୍ରେମ କରନ୍ତି
ସେ ପ୍ରେମ କରନ୍ତି ବୋଲି ମୋ ପାଇଁ କବିତା ଲେଖନ୍ତି,
ମତେ ତାଙ୍କ ଉପନ୍ୟାସ ର ନାୟିକା ସଜାନ୍ତି,
ପୁଣି କେବେ କେବେ ଗାଳ୍ପିକ ପ୍ରବର ହୋଇ
ଅନେକ ପ୍ରେମ ଗପ ଶୁଣାନ୍ତି,
ଏତେ ଗୁଣ କୋଉଠୁ ଆଣିଲ ବୋଲି ଯେବେ ମୁଁ ପଚାରେ
ଉତ୍ତର ଆସେ କି ସେ ମତେ ପ୍ରେମ କରନ୍ତି ।।
ପ୍ରେମ କରନ୍ତି ବୋଲି ମୋ ପାଖେ ବସି
ମିଛେ ମିଛେ କାନ୍ଦନ୍ତି ,
ଆଉ ତାଙ୍କ ର ସେଇ ମିଛେ କାନ୍ଦିବା ରେ
ମୋ ହୃଦୟ ର ଅନେକ ପାଷାଣ ବରଫ ଖଣ୍ଡ ବି ତରଳି ଯାଆନ୍ତି
ଯେବେ ସେ ପ୍ରେମ କରନ୍ତି।।
ସେ ମୋ ପାଇଁ
ତାଙ୍କ ପସନ୍ଦ ର ଝୁମୁକା ଆଣି ଦିଅନ୍ତି ,
ରଙ୍ଗ ବେରଙ୍ଗ ର ନାଲି ନେଳି ଚୁଡ଼ି ଆଣି ଦିଅନ୍ତି,
ପୁଣି ମୋ କେଶ ରେ ନିଜେ ନିଜେ ବସି ବେଣୀ ପକାନ୍ତି
ଏହି ବେଣୀ ପକେଇବା
କୋଉଠୁ ଶିଖିଲ ବୋଲି ଯେବେ ମୁଁ ପଚାରେ ??
ସେ ଥଟ୍ଟା କରି କୁହନ୍ତି କି; ତାଙ୍କ ନୂଆ ପ୍ରେମିକା ପାଖୁ
ତାଙ୍କର ଏଇ ଥଟ୍ଟା ରେ
ମୋ ମନ ରେ ଆସୁଥିବା
ଅଭିମାନ ର ଗଣିତ ପୃଷ୍ଠା ସବୁ
ଅସମାଧାନ ଭାବେ ବିଛେଇ ହୋଇଯାଆନ୍ତି ,
ଆଉ ସେ ଭଲ କରି
ପୃଷ୍ଠା ଗୁଡାକ ର ଅଙ୍କ କୁ କସି ମତେ ବୁଝେଇଦିଅନ୍ତି ,
କି ସେ ମତେ ଅନେକ ପ୍ରେମ କରନ୍ତି।।
ସେ କେବେ କେବେ ମୋ ଉପରେ ମିଛେ ମିଛେ ରାଗନ୍ତି ,
ତାଙ୍କ ର ସେ ମିଛ ରାଗ ରେ
ମୋ ହୃଦୟ ର ବୁନ୍ଦା ବୁନ୍ଦା ରକ୍ତ ବିନ୍ଦୁ ସବୁ କାନ୍ଦି ଉଠନ୍ତି ,
ମୋର ଏଇ କାନ୍ଦିବା ଦେଖି
ସେ ମତେ ବୁଝେଇଦିଆନ୍ତି ,
ଆଉ କୁହନ୍ତି କି ସେ ମତେ ପ୍ରେମ କରନ୍ତି,
ପ୍ରେମ କରନ୍ତି ।।

