ଅନୁତାପ - ଅହଙ୍କାର ର ଅଶ୍ରୁଲିପି ଲେଖକ - ଉମାଶଙ୍କର ମାଝୀ

ଅନୁତାପ — ଅହଂକାରର ଅଶ୍ରୁଲିପି
(୨୦୦୧ ମସିହାର ଏକ ସତ୍ୟ ଘଟଣା ଉପରେ ଆଧାରିତ ଗଳ୍ପ)
ସ୍ଥାନ: ନେସନାଲ ହାଇସ୍କୁଲ, ନୂଆପଡ଼ା



ସେଦିନ ଦଶମ ଶ୍ରେଣୀରେ ଓଡ଼ିଆ ପାଠ ଚାଲିଥିଲା। କଳାପଟା ଉପରେ ଚକ୍‌ ଧରି ଶିକ୍ଷକ ବିରଞ୍ଚି ନାରାୟଣ ପାଣିଗ୍ରାହୀ ପିଲାମାନଙ୍କୁ ସାହିତ୍ୟ, ବ୍ୟାକରଣ, ରୂଢ଼ି ଓ ଲୋକବାଣୀର ମହତ୍ତ୍ୱ ବୁଝାଉଥିଲେ।
ଶ୍ରେଣୀରେ ଗୋଟିଏ ପିଲା ଥିଲା। ନାମ ଅଜୟ ସିଂହ l ପାଠପଢ଼ାରେ ଅତ୍ୟନ୍ତ ବିଚକ୍ଷଣ। ପ୍ରତ୍ୟେକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରୁଥିଲା। ଗଣିତରେ ତା'ର ହାତ ଏମିତି ଚାଲୁଥିଲା, ଯେମିତି ଗଣିତ ବହିର ସମସ୍ତ ଅଙ୍କ ତା'ର ପିଲାଦିନର ସାଙ୍ଗ!
ଶିକ୍ଷକ ପ୍ରଶ୍ନ ପଚାରିବା ପୂର୍ବରୁ ସେ ଉତ୍ତର ଦେଇଦେଉଥିଲା। କଳାପଟାରେ ଅଙ୍କ ଦେଖିଲେ ତା' ଆଖିରେ ଚମକ ଖେଳିଯାଉଥିଲା। କିନ୍ତୁ ଓଡ଼ିଆ ବହି ଖୋଲିଲେ ତା'ର ମୁହଁ ଏମିତି ଶୁଖିଯାଉଥିଲା, ଯେମିତି କେହି ତାକୁ ଅଙ୍କ ବଦଳରେ ଗୋଟିଏ ପାହାଡ଼ ଚଢ଼ିବାକୁ କହିଦେଇଛି!
ସେଦିନ ମଧ୍ୟ ସମସ୍ତେ ଓଡ଼ିଆ ବହି ଖୋଲି ବସିଥିବାବେଳେ ଆମର ଏହି ମହାଶୟ ଖାତା ଖୋଲି ଗଣିତ କଷୁଥିଲେ।
କଲମ ଚାଲୁଥିଲା ଦ୍ରୁତଗତିରେ।
ମୁହଁରେ ଆତ୍ମବିଶ୍ୱାସ।
ଆଉ ମନରେ ଗୋଟିଏ ମହାନ ଲକ୍ଷ୍ୟ—ଓଡ଼ିଶାର ଶ୍ରେଷ୍ଠ ଦଶଜଣ ଛାତ୍ରଙ୍କ ମଧ୍ୟରେ ନାମ ରଖିବା!
ହଠାତ୍ ଶିକ୍ଷକଙ୍କ ଦୃଷ୍ଟି ତା' ଉପରେ ପଡ଼ିଲା।
— କ'ଣ ହେଲା? ଓଡ଼ିଆ ପିରିୟଡ୍‌ରେ ଗଣିତ କଷା ଚାଲିଛି ?
ପିଲାଟି ମୁଣ୍ଡ ନ ଉଠାଇ ଉତ୍ତର ଦେଲା—
— ସାର୍, ଗୋଟିଏ ଜରୁରୀ ଅଙ୍କ ଅଛି।
ଶିକ୍ଷକ ହସି ପଚାରିଲେ—
— ଆଚ୍ଛା! ତାହାହେଲେ ମୁଁ କ'ଣ ପଢ଼ାଉଛି?
— ସାର୍, ଓଡ଼ିଆ।
— ତେବେ ତୁମେ କ'ଣ ପଢ଼ୁଛ?
— ଗଣିତ।
— ତାହା ମୁଁ ମଧ୍ୟ ଦେଖୁଛି। ମୋର ପ୍ରଶ୍ନ ହେଉଛି, ଓଡ଼ିଆ ପିରିୟଡ୍‌ରେ ଗଣିତ କାହିଁକି?
ପିଲାଟି ଏଥର ମୁଣ୍ଡ ଉଠାଇଲା। ତା' ମୁହଁରେ ଥିଲା ଅଜବ ଆତ୍ମବିଶ୍ୱାସ।
:- "ସାର୍, ମୋର ନାମ ଓଡ଼ିଶାର ବେଷ୍ଟ ଟେନ୍‌ରେ ଆସିବ। ଦେଖିବେ ! ମୁଁ ସେଥିପାଇଁ ଗଣିତ ଓ ବିଜ୍ଞାନରେ ଅଧିକ ସମୟ ଦେଉଛି। ଓଡ଼ିଆ ତ ମୋତେ ଆସିଛି। ତାକୁ ଆଉ ପଢ଼ି ଲାଭ କ'ଣ?
ଏତିକି କହି ସେ ପୁଣି ଅଙ୍କରେ ମନ ଦେଲା।
ଶ୍ରେଣୀରେ କେତେକ ପିଲା ମୁହଁ ଚାପି ହସିଲେ।
କେହି ତଳକୁ ମୁହଁ କରି ହସ ଲୁଚାଇଲା।
କିନ୍ତୁ ଶିକ୍ଷକ ହସିଲେ ନାହିଁ।
ସେ ନିରବରେ ପିଲାଟିକୁ କିଛି ସମୟ ଚାହିଁ ରହିଲେ।
ତା'ପରେ ଧୀର କଣ୍ଠରେ କହିଲେ:-  "ବାପା, ବିଚକ୍ଷଣ ହେବା ବହୁତ ଭଲ କଥା। କିନ୍ତୁ ବିଚକ୍ଷଣତା ସହିତ ନମ୍ରତା ନ ରହିଲେ ସେଇ ଜ୍ଞାନ ମଣିଷକୁ ଭୁଲ୍ ବାଟରେ ନେଇଯାଏ।
ପିଲାଟି କିଛି କହିଲା ନାହିଁ।
ଶିକ୍ଷକ ପୁଣି କହିଲେ:- ମନେ ରଖ, କୌଣସି ବିଷୟକୁ ଛୋଟ ଭାବିବା ଉଚିତ୍ ନୁହେଁ। ଗଣିତ ତୁମକୁ ହିସାବ ଶିଖାଏ, ବିଜ୍ଞାନ ତୁମକୁ ଯୁକ୍ତି ଶିଖାଏ, ଆଉ ସାହିତ୍ୟ ତୁମକୁ ମଣିଷ ଚିହ୍ନିବା ଶିଖାଏ। ରୂଢ଼ି ଓ ଲୋକବାଣୀ ଆମ ଜୀବନର ଅନୁଭବକୁ ଶବ୍ଦ ଦିଏ। ଏହାକୁ ଅବହେଳା କରନାହିଁ।
ପିଲାଟି ମନେ ମନେ ଭାବିଲା:- "ସାର୍ ବୋଧହୁଏ ମୋର ଉନ୍ନତି ଦେଖି ସହିପାରୁନାହାନ୍ତି !

ଶିକ୍ଷକ ତା' ମନର କଥା ଜାଣିପାରିଲେ ନାହିଁ। କିନ୍ତୁ ତା' ମୁହଁରେ ଫୁଟିଉଠୁଥିବା ଅବଜ୍ଞାର ଛାୟାକୁ ନିଶ୍ଚୟ ଦେଖିପାରୁଥିଲେ।
ସେ ଶେଷରେ କହିଲେ:- "ମୋ କଥାକୁ ଉପଦେଶ ଭାବି ଭୁଲିଯାଇପାର। କିନ୍ତୁ ପରୀକ୍ଷା ଦିନେ ମନେ ପଡ଼ିଲେ ଭଲ ହେବ। କାରଣ, ଯେଉଁ ବିଷୟକୁ ଆଜି ତୁମେ ହୀନ ଭାବୁଛ, କାଲି ସେଇ ବିଷୟ ତୁମକୁ ପରୀକ୍ଷା କରିପାରେ।"
ପିଲାଟି ମନେ ମନେ ହସିଲା।
ସାର୍‌ଙ୍କ ଓଡ଼ିଆ ଆଜି ତାଙ୍କୁ ବେଶି ଭାବପ୍ରବଣ କରିଦେଇଛି !
ତା' ପାଇଁ ସେଦିନର ପାଠ ସେଇଠି ଶେଷ ହୋଇଗଲା।
କିନ୍ତୁ ଜୀବନର ପାଠ ତ ଆରମ୍ଭ ହେବାକୁ ଯାଉଥିଲା।

ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ନିକଟେଇ ଆସିଲା।
ସ୍କୁଲର ପରିବେଶ ବଦଳିଗଲା। ଯେଉଁ ଖେଳପଡ଼ିଆରେ ପିଲାମାନେ ଦିନେ ଦୌଡ଼ାଦୌଡ଼ି କରୁଥିଲେ, ସେଠାରେ ଏବେ ପରୀକ୍ଷା ଓ ଭବିଷ୍ୟତକୁ ନେଇ ଆଲୋଚନା ଚାଲିଲା।
କେହି କହୁଥିଲା—
— ଏଥର ଗଣିତରେ ଶହେରୁ ଶହେ ଆଣିବି।
ଆଉ କେହି କହୁଥିଲା—
— ମୁଁ ବିଜ୍ଞାନରେ ସବୁଠାରୁ ଅଧିକ ନମ୍ବର ରଖିବି।
ଆମର ବିଚକ୍ଷଣ ଛାତ୍ର କିନ୍ତୁ ସମସ୍ତଙ୍କଠାରୁ ଦୁଇ ପାଦ ଆଗରେ ଥିଲା।
ତା'ର ଘୋଷଣା ଥିଲା—
— ତୁମେମାନେ ନିଜ ନିଜ ବିଷୟରେ ନମ୍ବର ରଖ। ମୁଁ ସିଧା ଓଡ଼ିଶାର ବେଷ୍ଟ ଟେନ୍‌କୁ ଯାଉଛି!
ସାଙ୍ଗମାନେ ମଜା କରି କହୁଥିଲେ—
— ଆମକୁ ଭୁଲିଯିବୁ ନାହିଁ ଭାଇ। ବେଷ୍ଟ ଟେନ୍‌ରେ ଜାଗା ମିଳିଲେ ଆମକୁ ଗୋଟିଏ ଚିଠି ଲେଖିବୁ।
ସେ ହସି କହୁଥିଲା:- ଚିଠି କାହିଁକି? ଖବରକାଗଜରେ ମୋ ଫଟୋ ଦେଖିବ!
ସମସ୍ତେ ହସୁଥିଲେ।
ସେ ମଧ୍ୟ ହସୁଥିଲା।
କିନ୍ତୁ ତା'ର ହସ ଭିତରେ ଗୋଟିଏ ବିପଦ ଲୁଚି ରହିଥିଲା !

ସେ ନିଜ ସଫଳତାକୁ ନେଇ ଏତେ ନିଶ୍ଚିତ ଥିଲା ଯେ, ନିଜ ଦୁର୍ବଳତାକୁ ଚିହ୍ନିବାକୁ ଭୁଲିଯାଇଥିଲା।
ସେ ଅଙ୍କ କଷିଲା।
ବୀଜଗଣିତ ସମାଧାନ କଲା।
ଜ୍ୟାମିତିର ଉପପାଦ୍ୟ ମନେ ରଖିଲା।
ବିଜ୍ଞାନର ସୂତ୍ର ଓ ରାସାୟନିକ ସମୀକରଣ ଅଭ୍ୟାସ କଲା।
କିନ୍ତୁ ଓଡ଼ିଆ ବହିର ରୂଢ଼ି ଓ ଲୋକବାଣୀ ଥିବା ପୃଷ୍ଠାଗୁଡ଼ିକ ଅଧିକାଂଶ ସମୟରେ ଅପଢ଼ା ହୋଇ ରହିଗଲା।
କେବେ ମା' କହୁଥିଲେ:- "ବାପା, ଟିକିଏ ଓଡ଼ିଆ ବହିଟା ମଧ୍ୟ ପଢ଼ିଦେ।
ସେ ଉତ୍ତର ଦେଉଥିଲା:- " ମା', ତୁମେ ବୁଝୁନାହଁ। ମୋର ଲକ୍ଷ୍ୟ ବହୁତ ବଡ଼। ଏଇ ଛୋଟ ଛୋଟ କଥାରେ ସମୟ ନଷ୍ଟ କଲେ ହେବ ନାହିଁ।
ମା' ଚୁପ୍ ହୋଇଯାଉଥିଲେ।
ସେ ଜାଣିନଥିଲା, ଯେଉଁ ଛୋଟ ଛୋଟ କଥାକୁ ସେ ଅବହେଳା କରୁଛି, ସେଗୁଡ଼ିକ ହିଁ ତା'ର ବଡ଼ ସ୍ୱପ୍ନର ପଥରେ ପ୍ରାଚୀର ହୋଇ ଠିଆ ହେବାକୁ ଯାଉଛନ୍ତି।


ଶେଷରେ ପରୀକ୍ଷା ଦିନ ଆସିଲା।
ପିଲାଟି ପ୍ରତ୍ୟେକ ପରୀକ୍ଷା ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ଦେଲା।
ଗଣିତ ପ୍ରଶ୍ନପତ୍ର ଦେଖି ତା' ମୁହଁରେ ହସ ଫୁଟିଲା।
ବିଜ୍ଞାନ ପରୀକ୍ଷାରେ ମଧ୍ୟ ତା'ର କଲମ ଅଟକିଲା ନାହିଁ।
ଅନ୍ୟ ବିଷୟଗୁଡ଼ିକରେ ମଧ୍ୟ ସେ ଭଲ କରିଥିବାର ଆଶା ରଖିଲା।
ତା'ର ମନରେ କେବଳ ଗୋଟିଏ ଚିନ୍ତା:- 
ବେଷ୍ଟ ଟେନ୍‌ରେ ମୋ ନାମ କେଉଁ ସ୍ଥାନରେ ରହିବ?
କିନ୍ତୁ ଓଡ଼ିଆ ପରୀକ୍ଷା ଦିନ ତା' ସାମ୍ନାରେ ପ୍ରଶ୍ନପତ୍ର ଆସି ପହଞ୍ଚିଲା।
ସେ ପ୍ରଶ୍ନପତ୍ର ଖୋଲିଲା।
ପ୍ରଥମ କିଛି ପ୍ରଶ୍ନର ଉତ୍ତର ଲେଖିଲା।
ତା'ପରେ ତା' ଆଖି ଅଟକିଗଲା ଦୁଇଟି ପ୍ରଶ୍ନ ଉପରେ।
ଗୋଟିଏ ଲୋକବାଣୀରୁ।
ଆଉ ଗୋଟିଏ ରୂଢ଼ି ପ୍ରୟୋଗରୁ।
ସେ ପ୍ରଶ୍ନ ଦୁଇଟିକୁ ଆଉଥରେ ପଢ଼ିଲା।
ତା'ପରେ ପୁଣି ପଢ଼ିଲା।
କିଛି ସମୟ ପରେ ପ୍ରଶ୍ନପତ୍ରରେ ଆଖି ରଖି ମନେ ମନେ କହିଲା:- 
ଏଗୁଡ଼ିକ ତ ସାର୍ ପଢ଼ାଇଥିଲେ!
ହଠାତ୍ ତା' ମନରେ ଶିକ୍ଷକଙ୍କ ସେଦିନର କଥା ଗୁଞ୍ଜରି ଉଠିଲା—
“ଯେଉଁ ବିଷୟକୁ ଆଜି ତୁମେ ହୀନ ଭାବୁଛ, କାଲି ସେଇ ବିଷୟ ତୁମକୁ ପରୀକ୍ଷା କରିପାରେ।”
ତା' ହାତରେ କଲମ ଥିଲା।
ସାମ୍ନାରେ ଉତ୍ତର ଖାତା ଥିଲା।
କିନ୍ତୁ ମନରେ ଉତ୍ତର ନଥିଲା।
ସେ ଅନୁମାନରେ କିଛି ଲେଖିଲା। ଯେଉଁ ଉତ୍ତରଗୁଡ଼ିକ ସେ ଭଲ ଭାବରେ ଜାଣିଥିଲା, ସେଗୁଡ଼ିକ ଲେଖିବାରେ କୌଣସି ଅସୁବିଧା ହୋଇନଥିଲା। କିନ୍ତୁ ଏହି ଦୁଇଟି ପ୍ରଶ୍ନ ତା'ର ମନର ଶାନ୍ତି ଛଡ଼ାଇ ନେଇଥିଲା।
ଘଣ୍ଟାର କଣ୍ଟା ଆଗକୁ ବଢ଼ୁଥିଲା।
ପରୀକ୍ଷା ଏମିତି ସମସ୍ତ ବିଷୟ ଗୋଟିଏ ସପ୍ତାହରେ ଶେଷ ହେଲା।


 ସାଙ୍ଗମାନଙ୍କ ସହ କଥା ହେଲା। କିନ୍ତୁ ତା' ମନରେ ସେହି ଦୁଇଟି ପ୍ରଶ୍ନ କଣ୍ଟା ପରି ଫୋଡ଼ି ହେଉଥିଲା।
ସେ ପ୍ରଥମ ଥର ପାଇଁ ଅନୁଭବ କଲା ଅଧିକ ଜ୍ଞାନ ଥିବା ଓ ସବୁକିଛି ଜାଣିଛି ବୋଲି ଭାବିବା ଭିତରେ ଆକାଶପାତାଳ ପାର୍ଥକ୍ୟ ଅଛି।
କିନ୍ତୁ ସେତେବେଳକୁ ଯାହା ହେବାର ଥିଲା, ତାହା ହୋଇସାରିଥିଲା।

ପରୀକ୍ଷା ଶେଷ ହେବା ପରେ ଅନେକ ଦିନ ବିତିଗଲା।
ଫଳାଫଳ ପ୍ରକାଶ ପାଇବାର ଦିନ ଆସିଲା।
ସକାଳୁ ଘରେ ଉତ୍ସାହର ପରିବେଶ।
ବାପା ଖବରକାଗଜ ଆଣିଥିଲେ।
ମା' ଘରର କାମ ଶେଷ କରି ପୁଅ ପାଖରେ ବସିଥିଲେ।
ସେ ଭାବୁଥିଲା ଆଜି ତା'ର ସ୍ୱପ୍ନ ସତ ହେବ।
ଓଡ଼ିଶାର ବେଷ୍ଟ ଟେନ୍‌ରେ ନାମ ଆସିବ।
ସ୍କୁଲରେ ଉତ୍ସବ ହେବ।
ଶିକ୍ଷକମାନେ ଗର୍ବ କରିବେ।
ସାଙ୍ଗମାନେ ଅଭିନନ୍ଦନ ଜଣାଇବେ।
ଖବରକାଗଜରେ ତା'ର ନାମ ଛପା ହେବ।
କିନ୍ତୁ ତାଲିକାରେ ତା'ର ନାମ ନଥିଲା।
ସେ ଆଶ୍ଚର୍ଯ୍ୟ ହେଲା।
ପୁଣି ଥରେ ତାଲିକା ପଢ଼ିଲା।
ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖୋଜିଲା।
ତଥାପି ନାମ ମିଳିଲା ନାହିଁ।
ତା'ର ଆଙ୍ଗୁଠି ଖବରକାଗଜ ଉପରେ ଅଟକି ରହିଲା।
ବାପା ପଚାରିଲେ:- କ'ଣ ହେଲା ବାପା? ନାମ ଆସିଲା ନାହିଁ?
ସେ ମୁଣ୍ଡ ହଲାଇଲା।
ମା' ତା' ପାଖକୁ ଘୁଞ୍ଚି କହିଲେ:-  କିଛି ନାହିଁ ବାପା। ତୁ ତ ଭଲ ନମ୍ବର ରଖିଥିବୁ। ମନ ଦୁଃଖ କରନାହିଁ।
କିନ୍ତୁ ସେ ଜାଣିଥିଲା, ତା'ର ଦୁଃଖ କେବଳ ନାମ ନ ଆସିବାର ନୁହେଁ।
ତା'ର ସ୍ୱପ୍ନ ଭାଙ୍ଗିଯାଇଥିଲା।
ସେ ଅପେକ୍ଷା କରିବାକୁ ଲାଗିଲା। ହୁଏତ ନମ୍ବର ଆସିଲେ କିଛି ବୁଝାପଡ଼ିବ।
ଶେଷରେ ମୋଟ ନମ୍ବରର ହିସାବ ଜାଣିବାକୁ ପାଇଲା।
ସେ ମାତ୍ର ଦୁଇ ନମ୍ବର ପାଇଁ ଓଡ଼ିଶାର ବେଷ୍ଟ ଟେନ୍‌ରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲା।
ମାତ୍ର ଦୁଇ ନମ୍ବର !
ଯେଉଁ ଦୁଇ ନମ୍ବର ତା' ପାଇଁ ହୁଏତ କିଛି ନଥିଲା, ଆଜି ସେହି ଦୁଇ ନମ୍ବର ତା' ଆଖିରୁ ନିଦ ଛଡ଼ାଇ ନେଇଥିଲା।
ଲୋକବାଣୀ ଓ ରୂଢ଼ି ପ୍ରୟୋଗର ସେହି ଦୁଇଟି ପ୍ରଶ୍ନ ତା'ର ମନେ ପଡ଼ିଲା।
ସେ ନିଜକୁ ପଚାରିଲା:- 
ଯଦି ସେଦିନ ସାର୍‌ଙ୍କ କଥା ମାନିଥାନ୍ତି ?
ଯଦି ମାତ୍ର କିଛି ସମୟ ଦେଇ ସେହି ଦୁଇଟି ପାଠ ପଢ଼ିଥାନ୍ତି?
ଯଦି ଗଣିତ ପରି ଓଡ଼ିଆକୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି?
ହୁଏତ ଆଜି ତା'ର ନାମ ସେହି ତାଲିକାରେ ଥାଆନ୍ତା!
କିନ୍ତୁ ଜୀବନର ସବୁଠାରୁ ବଡ଼ ଦୁଃଖ ହେଉଛି—ଅତୀତକୁ ମନେ ପକାଇ ଆଖିରୁ ଲୁହ ଝରାଇହୁଏ, କିନ୍ତୁ ଅତୀତକୁ ବଦଳାଇ ହୁଏନାହିଁ।


ପରଦିନ ସେ ସ୍କୁଲକୁ ଗଲା।
ଯେଉଁ ସ୍କୁଲକୁ ସେ ଦିନେ ଗର୍ବର ସହ ଯାଉଥିଲା, ସେଦିନ ସେହି ସ୍କୁଲର ଫାଟକ ତା'କୁ ଭାରୀ ଲାଗୁଥିଲା।
ସାଙ୍ଗମାନଙ୍କ ସହ ମୁହଁ ମିଳାଇବାକୁ ଇଚ୍ଛା ହେଉନଥିଲା।
କେହି ଫଳାଫଳ ବିଷୟରେ ପଚାରିଲେ ସେ ଅନ୍ୟ କଥା ଆରମ୍ଭ କରିଦେଉଥିଲା।
ତା'ର ପାଦ ଆପେଆପେ ଓଡ଼ିଆ ଶ୍ରେଣୀ ଆଡ଼କୁ ଚାଲିଗଲା।
ଶ୍ରେଣୀକୋଠରୀରେ ଶିକ୍ଷକ ବିରଞ୍ଚି ନାରାୟଣ ପାଣିଗ୍ରାହୀ ବସିଥିଲେ।
ପିଲାଟି ଦ୍ୱାର ପାଖରେ ଠିଆ ହେଲା।
ଶିକ୍ଷକ ତାକୁ ଦେଖି କହିଲେ:- ଆସ ବାପା! କ'ଣ ହେଲା? ମନ ଦୁଃଖ କାହିଁକି ?

ଏତିକି ଶୁଣିବା ମାତ୍ରେ ପିଲାଟିର ଆଖି ଲୁହରେ ଭରିଗଲା।
ସେ ଧୀରେ ଧୀରେ ଶିକ୍ଷକଙ୍କ ପାଖକୁ ଆସିଲା।
ମୁଣ୍ଡ ତଳକୁ କରି କହିଲା:- " ସାର୍...
ତା'ର କଣ୍ଠ ଥରିଉଠିଲା।

"ସାର୍, ମୁଁ ମାତ୍ର ଦୁଇ ନମ୍ବର ପାଇଁ ବେଷ୍ଟ ଟେନ୍‌ରୁ ବଞ୍ଚିତ ହୋଇଗଲି।"
ଶିକ୍ଷକ କିଛି ସମୟ ନିରବ ରହିଲେ।
ପିଲାଟି ପୁଣି କହିଲା:- " ସାର୍, ସେଦିନ ଆପଣ ମୋତେ କହିଥିଲେ ଯେ ଓଡ଼ିଆକୁ ଅବହେଳା କରନାହିଁ। ମୁଁ ଆପଣଙ୍କ କଥା ଶୁଣିଲି ନାହିଁ। ମୋତେ ଲାଗୁଥିଲା ମୁଁ ସବୁ ଜାଣିଛି। ମୁଁ ଭାବୁଥିଲି ମୋତେ କେହି ଅଟକାଇ ପାରିବେ ନାହିଁ।
ତା' ଆଖିରୁ ଦୁଇଟୋପା ଲୁହ ଖସିପଡ଼ିଲା।

 ସାର୍, ସେହି ଦୁଇଟି ପ୍ରଶ୍ନ... ଲୋକବାଣୀ ଓ ରୂଢ଼ି ପ୍ରୟୋଗରୁ ଆସିଥିଲା। ମୁଁ ଉତ୍ତର ଜାଣିନଥିଲି। ଆପଣ ଯାହା ପଢ଼ାଇଥିଲେ, ମୁଁ ତାହାକୁ ଗୁରୁତ୍ୱ ଦେଇନଥିଲି।
ସେ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ।

"ସାର୍, ମୋତେ କ୍ଷମା କରିଦିଅନ୍ତୁ "

ଶିକ୍ଷକଙ୍କ ହୃଦୟ ମଧ୍ୟ କୋହରେ ଭରିଗଲା।
ସେ ପିଲାଟିର କାନ୍ଧରେ ହାତ ରଖି କହିଲେ:- " ବାପା, ମୁଁ ତୁମକୁ ଦୋଷ ଦେବା ପାଇଁ ସେଦିନ କଥା କହିନଥିଲି। ତୁମର ଭଲ ପାଇଁ କହିଥିଲି। ତୁମେ ଭଲ ପଢ଼ୁଥିଲ, ତେଣୁ ତୁମଠାରୁ ଆଶା ମଧ୍ୟ ଅଧିକ ଥିଲା।"
ପିଲାଟି ମୁହଁ ଉଠାଇଲା।
ଶିକ୍ଷକ ତା' ଆଖିରେ ଆଖି ରଖି କହିଲେ :- "ମନେ ରଖ, ତୁମେ ଦୁଇ ନମ୍ବର ହାରିଛ, କିନ୍ତୁ ଯଦି ଏହି ଘଟଣାରୁ ଶିକ୍ଷା ନିଅ, ତେବେ ଜୀବନର ଏକ ବଡ଼ ଜ୍ଞାନ ଲାଭ କରିଛ। ନମ୍ବର ତୁମର ଯୋଗ୍ୟତା ମାପିବାର ଗୋଟିଏ ମାପକାଠି ମାତ୍ର। କିନ୍ତୁ ନମ୍ରତା, ପରିଶ୍ରମ ଓ ସମସ୍ତଙ୍କ ପ୍ରତି ସମ୍ମାନ ତୁମର ପ୍ରକୃତ ମୂଲ୍ୟ ନିର୍ଣ୍ଣୟ କରିବ।
ପିଲାଟି ଆଖି ପୋଛିଲା।
କହିଲା :- "ସାର୍, ମୁଁ ଆଉ କେବେ କୌଣସି ବିଷୟକୁ ଛୋଟ ଭାବିବି ନାହିଁ। ମୋତେ ଜଣା ହୋଇଗଲା, ଅହଂକାର ମଣିଷକୁ ନିଜ ଦୁର୍ବଳତା ଦେଖିବାକୁ ଦିଏନାହିଁ।"
ଶିକ୍ଷକ ତାକୁ ପାଖରେ ବସାଇଲେ।
ସେଦିନ କୌଣସି ପାଠ ପଢ଼ାଗଲା ନାହିଁ।
କିନ୍ତୁ ପିଲାଟି ଏମିତି ଗୋଟିଏ ପାଠ ଶିଖିଲା, ଯାହା କୌଣସି ପରୀକ୍ଷାର ପ୍ରଶ୍ନପତ୍ରରେ ଲେଖା ନଥାଏ।
ସେହି ପାଠର ନାମ ଥିଲା:- ଅନୁତାପ।


ସେଦିନ ଘରକୁ ଫେରିବାବେଳେ ତା' ମନରେ ଅନେକ କଥା ଘୂରି ବୁଲୁଥିଲା।
ସେ ଭାବୁଥିଲା:- 
ମୁଁ ଯଦି ସେଦିନ ଅଙ୍କ କଷିବା ପରିବର୍ତ୍ତେ ସାର୍‌ଙ୍କ ପାଠ ଶୁଣିଥାନ୍ତି!
ମୁଁ ଯଦି ନିଜ ଜ୍ଞାନକୁ ନେଇ ଏତେ ଗର୍ବ କରିନଥାନ୍ତି!
ମୁଁ ଯଦି ମା'ଙ୍କ କଥା ମାନି ଟିକିଏ ଓଡ଼ିଆ ପଢ଼ିଥାନ୍ତି!
ପ୍ରତ୍ୟେକ 'ଯଦି' ତା' ହୃଦୟକୁ ଆଘାତ କରୁଥିଲା।
ଘରେ ପହଞ୍ଚି ମା' ପାଖରେ ବସିଲା।
ମା' ପଚାରିଲେ:- "କ'ଣ ହେଲା ବାପା? ତୁ ଆଜି ଏତେ ଚୁପ୍ କାହିଁକି ?
ସେ ମା'ଙ୍କ ଆଞ୍ଚଳକୁ ଧରି କାନ୍ଦିପକାଇଲା।
ଆଉ କହିଲା :- "ମା', ତୁମେ ମୋତେ ଓଡ଼ିଆ ପଢ଼ିବାକୁ କହୁଥିଲ। ମୁଁ ଶୁଣିଲି ନାହିଁ। ମୋତେ କ୍ଷମା କରିଦିଅ।"
ମା' ତା' ମୁଣ୍ଡକୁ ଆଉଁସିଦେଲେ।
କହିଲେ :- " ବାପା, ମା'ର କଥା ନ ଶୁଣିଲେ ମା' ଦୁଃଖ ପାଏ। କିନ୍ତୁ ତୁ ଭୁଲ୍ ବୁଝିପାରିଛୁ, ଏହା ହିଁ ମୋ ପାଇଁ ବଡ଼ କଥା। ଜୀବନରେ ଭୁଲ୍ ହୁଏ, ହେଲେ ସେହି ଭୁଲ୍‌ରୁ ଶିଖିବାକୁ ହୁଏ।
ମା'ଙ୍କ କଥା ଶୁଣି ସେ ଆହୁରି କାନ୍ଦିଲା।
ତା'ର ମନେ ପଡ଼ିଲା ସେହି ଶ୍ରେଣୀକୋଠରୀ, ସେହି କଳାପଟା, ସେହି ଚକ୍‌ର ଶବ୍ଦ ଆଉ ଶିକ୍ଷକଙ୍କ ସେହି ଚେତାବନୀ।
ସେଦିନ ଯେଉଁ କଥା ତା'କୁ ଅତିରଞ୍ଜିତ ଉପଦେଶ ପରି ଲାଗିଥିଲା, ଆଜି ସେହି କଥା ତା' ଜୀବନର ସବୁଠାରୁ ବଡ଼ ସତ୍ୟ ହୋଇ ଠିଆ ହୋଇଥିଲା।
ତା'ର ଆଖିରୁ ଲୁହ ଝରୁଥିଲା।
କିନ୍ତୁ ସେହି ଲୁହ କେବଳ ଦୁଇ ନମ୍ବର ପାଇଁ ନଥିଲା।
ସେହି ଲୁହ ଥିଲା ନିଜ ଅହଂକାର ପାଇଁ।
ନିଜ ଭୁଲ୍ ପାଇଁ।
ଜଣେ ଶିକ୍ଷକଙ୍କ ସ୍ନେହପୂର୍ଣ୍ଣ ପରାମର୍ଶକୁ ଅବହେଳା କରିଥିବାରୁ।
ଆଉ ନିଜର ସାମାନ୍ୟ ଅବହେଳାରେ ଗୋଟିଏ ବଡ଼ ସ୍ୱପ୍ନକୁ ହରାଇଥିବାରୁ।
ବର୍ଷ ପରେ ବର୍ଷ ବିତିଯାଇପାରେ।
ପରୀକ୍ଷାର ନମ୍ବର ମନରୁ ଲିଭିଯାଇପାରେ।
ପୁରୁଣା ଖାତାର ପୃଷ୍ଠା ହଳଦିଆ ପଡ଼ିଯାଇପାରେ।
କିନ୍ତୁ ଜୀବନରେ କେତେକ ଭୁଲ୍ ଏପରି ଥାଏ, ଯାହା ମଣିଷକୁ ପ୍ରତି ମୁହୂର୍ତ୍ତରେ ଗୋଟିଏ କଥା ମନେ ପକାଇଦିଏ:- 
ଯେଉଁ ଦୁଇ ନମ୍ବର ହରାଇଥିଲି, ତାହାଠାରୁ ବଡ଼ କ୍ଷତି ଥିଲା ମୋ ଅହଂକାରରେ ହରାଇଥିବା ବିବେକ।
ଆଉ ଶିକ୍ଷକଙ୍କ ସେହି କଥା ତା' ହୃଦୟରେ ସବୁଦିନ ପାଇଁ ଲେଖା ହୋଇ ରହିଗଲା:- 
“ଜ୍ଞାନୀ ହେବାଠାରୁ ନମ୍ର ହେବା ଅଧିକ ଜରୁରୀ। କାରଣ, ନମ୍ରତା ନଥିବା ଜ୍ଞାନ ମଣିଷକୁ ଉଚ୍ଚକୁ ନେବା ପରିବର୍ତ୍ତେ ନିଜ ଭୁଲ୍‌ର ଗଭୀରତା ଭିତରକୁ ଠେଲିଦିଏ।”

କୌଣସି ବିଷୟ ଛୋଟ ନୁହେଁ, କୌଣସି ଶିକ୍ଷକଙ୍କ ପରାମର୍ଶ ଅମୂଲ୍ୟ ନୁହେଁ। ଅହଂକାର ଆମକୁ ନିଜ ଦୁର୍ବଳତା ଦେଖିବାକୁ ଦିଏନାହିଁ; ଆଉ ଅନୁତାପ ଆମକୁ ସେହି ଭୁଲ୍‌ର ମୂଲ୍ୟ ବୁଝାଇଦିଏ।


ଉମା ଶଙ୍କର ମାଝୀ 
ସହ ଶିକ୍ଷକ 
ପିଏମଶ୍ରୀ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରିଷିଡା, କଳାହାଣ୍ଡି

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!