ଧଳା ଆପ୍ରନ ର ଆଢ଼ୁଆଳରେ ଲେଖକ - ପଙ୍କଜ କୁମାର ଜେନା

-----ଧଳା ଆପ୍ରନ୍‌ର ଆଢ଼ୁଆଳରେ-----

ଏକ ଅସମ୍ପୂର୍ଣ୍ଣ ପ୍ରେମ, ଏକ ସୁନ୍ଦର କର୍ତ୍ତବ୍ୟ


ହସ୍ପିଟାଲର ଗୋଟିଏ କୋଣରେ ଶଯ୍ୟାରେ ରୋଗୀଟିଏ ହୋଇ ପଡ଼ିଥିଲା ରାହୁଲ। ସଡ଼କ ଦୁର୍ଘଟଣାରେ ଆହତ ହୋଇ ସେ କିଛି ଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ଶରୀରରେ ଯନ୍ତ୍ରଣା ଥିଲା, ମନରେ ଥିଲା ଅସହାୟତା। ନିଜ ଲୋକଙ୍କ ବ୍ୟସ୍ତତା ଭିତରେ ସେ ନିଜକୁ ଖୁବ୍ ଏକୁଟିଆ ଅନୁଭବ କରୁଥିଲା।

ସେହି ୱାର୍ଡରେ ଡ୍ୟୁଟି କରୁଥିଲେ ନର୍ସିଂ ଅଫିସର ମାଡାମ୍ ପ୍ରିୟା।

ପ୍ରିୟା ମାଡାମ୍ ପ୍ରତିଦିନ ସମୟରେ ଆସି ତାକୁ ଔଷଧ ଦେଉଥିଲେ, ଡ୍ରେସିଂ କରୁଥିଲେ, ଖାଇବା ଠିକ୍‌ରେ ଖାଉଛି କି ନାହିଁ ପଚାରୁଥିଲେ। ରାତିରେ ଯନ୍ତ୍ରଣା ବଢ଼ିଲେ ମଧ୍ୟ ଧୈର୍ଯ୍ୟର ସହିତ ତା’ର କଥା ଶୁଣୁଥିଲେ।

ପ୍ରିୟାଙ୍କର ଯେଉଁ ଛୋଟ ଛୋଟ ଉପଦେଶ ହସ ହସ ଶୈଳୀରେ ଦେଉଥିଲେ ସେଇଟା ରାହୁଲକୁ ବହୁତ ଆଶ୍ୱାସନା ଦେଉଥିଲା।

ଦିନେ ରାହୁଲ ପଚାରିଲା, “ମାଡାମ୍, ଆପଣ ଏତେ ରୋଗୀଙ୍କର ଯତ୍ନ ନିଅନ୍ତି। କେବେ ଥକି ଯାଆନ୍ତି ନାହିଁ କି?”

ପ୍ରିୟା ହସି କହିଲେ, “ଥକି ଯାଏ ତ। ଆମେ ବି ମଣିଷ। କିନ୍ତୁ ଆମ ଯତ୍ନରେ ଯେତେବେଳେ ଜଣେ ରୋଗୀ ଟିକେ ଭଲ ହୋଇ ସୁସ୍ଥ ହୋଇ ହସିଦିଏ, ସେତେବେଳେ ସବୁ ଥକାପଣ ଭୁଲିଯାଉ।”

ସେହି କଥାଟି ରାହୁଲର ମନକୁ ଛୁଇଁଗଲା।

ଦିନ ବିତିବା ସହିତ ରାହୁଲ ପ୍ରିୟାଙ୍କ ଯତ୍ନକୁ କେବଳ ଜଣେ ନର୍ସଙ୍କ କର୍ତ୍ତବ୍ୟ ଭାବରେ ଦେଖିପାରିଲା ନାହିଁ। ପ୍ରିୟାଙ୍କ ସହିତ କଥା ହେବା, ତାଙ୍କ ହସ ଦେଖିବା ତା’ର ଅଭ୍ୟାସ ପାଲଟିଗଲା। ଧୀରେ ଧୀରେ ସେହି ଯତ୍ନକୁ ସେ ପ୍ରେମ ବୋଲି ଭାବିବସିଲା।


କିନ୍ତୁ ରାହୁଲ ଜାଣି ନଥିଲା, ପ୍ରିୟାଙ୍କ ଜୀବନରେ ଆଗରୁ ଜଣେ ମଣିଷ ଅଛନ୍ତି। ସେ ବିବାହିତା। ତାଙ୍କର ନିଜ ସଂସାର ଅଛି, ଦାୟିତ୍ୱ ଅଛି, ଭଲପାଇବାର ଏକ ସୁନ୍ଦର ବନ୍ଧନ ଅଛି।

ଦିନେ ରାହୁଲ ସାହସ କରି ନିଜ ମନର କଥା କହିଦେଲା।

“ପ୍ରିୟା, ଆପଣ ମୋ ପାଇଁ କେବଳ ଜଣେ ନର୍ସ ନୁହନ୍ତି। ଆପଣଙ୍କୁ ଦେଖିଲେ ମୋ ମନ ଖୁସି ହୋଇଯାଏ। ମୁଁ ଆପଣଙ୍କୁ ଭଲ ପାଇବାକୁ ଲାଗିଛି। ଆପଣ କ’ଣ ମୋ ଭାବନାକୁ ବୁଝିପାରିବେ?”

ପ୍ରିୟା କିଛି ସମୟ ଚୁପ୍ ରହିଲେ। ତାଙ୍କ ମୁହଁରେ ନା ରାଗ ଥିଲା, ନା ଘୃଣା। ଥିଲା କେବଳ ଏକ ଗମ୍ଭୀର ଶାନ୍ତି।

ସେ ଧୀର ସ୍ୱରରେ କହିଲେ,

“ରାହୁଲ, ଆପଣ ମୋତେ ଭୁଲ୍ ବୁଝନ୍ତୁ ନାହିଁ। ମୁଁ ଆପଣଙ୍କ ଯତ୍ନ ନିଏ, କାରଣ ଆପଣ ଜଣେ ରୋଗୀ। ଆପଣଙ୍କ ଯନ୍ତ୍ରଣା କମାଇବା, ଆପଣଙ୍କୁ ସାହସ ଦେବା ଏବଂ ଆପଣଙ୍କୁ ସୁସ୍ଥ କରିବା ମୋର କର୍ତ୍ତବ୍ୟ। ମୁଁ ଆପଣଙ୍କୁ ଜଣେ ମଣିଷ ଭାବରେ ସମ୍ମାନ କରେ। କିନ୍ତୁ ମୋର ନିଜ ସଂସାର ଅଛି। ମୁଁ ବିବାହିତା। ଆପଣଙ୍କ ଭାବନାକୁ ଅସମ୍ମାନ କରିବା ମୋର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ମୁଁ ଆପଣଙ୍କ ପ୍ରସ୍ତାବ ଗ୍ରହଣ କରିପାରିବି ନାହିଁ।”

ରାହୁଲ ମୁଣ୍ଡ ତଳକୁ କରିଦେଲା।

ପ୍ରିୟା ପୁଣି କହିଲେ, “କେବେ କେବେ ଆମେ କାହାର ଯତ୍ନ ପାଇ ତାଙ୍କୁ ନିଜର ଭାବିବସୁ। କିନ୍ତୁ ସବୁ ଯତ୍ନ ପ୍ରେମ ନୁହେଁ, ଆଉ ସବୁ ପ୍ରେମର ଅର୍ଥ ଅଧିକାର ନୁହେଁ। 

ମୋ କାମରେ ମୋତେ ମଣିଷର ଯନ୍ତ୍ରଣା ଦେଖିବାକୁ ହୁଏ, ତାଙ୍କର ଧର୍ମ, ଜାତି, ଧନ କିମ୍ବା ସମ୍ପର୍କ ନୁହେଁ। ଆପଣଙ୍କ ଯତ୍ନ ନେବାରେ ମୋର କୌଣସି ସ୍ୱାର୍ଥ ନାହିଁ।”

ସେଦିନ ରାହୁଲ ଚୁପ୍ ରହିଲା। ତା’ ମନରେ ଯନ୍ତ୍ରଣା ଥିଲା, କିନ୍ତୁ ପ୍ରିୟାଙ୍କ କଥାରେ ଥିବା ସତ୍ୟକୁ ସେ ଅସ୍ୱୀକାର କରିପାରିଲା ନାହିଁ।

କିଛି ଦିନ ପରେ ରାହୁଲ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଲା। ଯିବା ପୂର୍ବରୁ ସେ ପ୍ରିୟାଙ୍କୁ କହିଲା,

“ମୁଁ ହୁଏତ ଆପଣଙ୍କ ଯତ୍ନକୁ ପ୍ରେମ ବୋଲି ଭାବିଥିଲି। କିନ୍ତୁ ଆଜି ବୁଝିଲି, ଆପଣଙ୍କ ଭଲପାଇବା କେବଳ ଜଣେ ମଣିଷ ପାଇଁ ନୁହେଁ, ଆପଣଙ୍କ ଯତ୍ନ ଆବଶ୍ୟକ କରୁଥିବା ପ୍ରତ୍ୟେକ ମଣିଷ ପାଇଁ ହୋଇଥାଏ।”

ପ୍ରିୟା ହସି କହିଲେ, “ନିଜର ଯତ୍ନ ନେବେ। ଆଉ ଜୀବନକୁ ଭଲ ପାଇବେ।”

ରାହୁଲ ଚାଲିଗଲା। ପ୍ରିୟା ପୁଣି ନିଜ ଡ୍ୟୁଟିରେ ଲାଗିଗଲେ। ଆଉ ଜଣେ ନୂଆ ରୋଗୀ ଆସିଲେ, ଆଉ ଗୋଟିଏ ନୂଆ ଦାୟିତ୍ୱ ତାଙ୍କୁ ଅପେକ୍ଷା କରୁଥିଲା।

ତାଙ୍କ ପାଇଁ ଏହା ଥିଲା ଦୈନନ୍ଦିନ କାମ। କିନ୍ତୁ ରାହୁଲ ପାଇଁ ଏହା ଜୀବନର ଏକ ବଡ଼ ଶିକ୍ଷା ହୋଇ ରହିଗଲା।

ସେ ବୁଝିଲା, ଧଳା ଆପ୍ରନ୍ ପିନ୍ଧିଥିବା ପ୍ରତ୍ୟେକ ନର୍ସିଂ ଅଫିସରଙ୍କ ପଛରେ ଜଣେ ମଣିଷ ଅଛନ୍ତି—ତାଙ୍କର ନିଜ ଜୀବନ, ନିଜ ସମ୍ପର୍କ ଓ ନିଜ ଦାୟିତ୍ୱ ଅଛି। ତାଙ୍କର ହସ, ତାଙ୍କର ସ୍ନେହ ଓ ତାଙ୍କର ଯତ୍ନକୁ ଭୁଲ୍ ଅର୍ଥରେ ନେବା ଉଚିତ ନୁହେଁ।

ପ୍ରିୟାଙ୍କ କାହାଣୀରେ ପ୍ରେମ ପ୍ରସ୍ତାବ ଗ୍ରହଣ କରିବା ନଥିଲା, କିନ୍ତୁ ଥିଲା ମାନବିକତାର ଏକ ବଡ଼ ଉଦାହରଣ ଥିଲା।

କାରଣ ନର୍ସିଂ ବୃତ୍ତି କେବଳ ଏକ ଚାକିରି ନୁହେଁ। ଏହା ଏକ ସେବା, ଏକ ଦାୟିତ୍ୱ ଏବଂ ଏକ ମହାନ ମାନବିକ ଭାବନା।

 “ତେଣୁ  ନର୍ସିଂ ଅଫିସର ମାନଙ୍କ ହସକୁ ପ୍ରେମ ଭାବନ୍ତୁ ନାହିଁ, ତାଙ୍କ ଯତ୍ନକୁ ଦୁର୍ବଳତା ଭାବନ୍ତୁ ନାହିଁ। ସେ ଆପଣଙ୍କ ପାଖରେ ଅଛନ୍ତି, କାରଣ ଆପଣଙ୍କୁ ତାଙ୍କର ଆବଶ୍ୟକତା ଅଛି। ତାଙ୍କ ସେବାକୁ ସମ୍ମାନ କରନ୍ତୁ—କାରଣ ମାନବିକତା ହିଁ ନର୍ସିଂ ବୃତ୍ତିର ପ୍ରକୃତ ପରିଚୟ।”

ମାନବ ସେବା ହିଁ ମାଧବ ସେବା |



ପଙ୍କଜ କୁମାର ଜେନା 
ଭୋଗରାଇ,  ବାଲେଶ୍ବର ||

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!