*ଜ୍ୟୋତି ରଞ୍ଜନ ପାତ୍ର*
ନିଶ୍ଚଳ, ନିସ୍ତବ୍ଧ ରଜନୀରେ
ଟିକି ଟିକି ତାରାଫୁଲ ମେଳରେ
ନିଜକୁ ରାଜକୁମାର ମନେ କରୁଥିବା
ସେଇ ମତୁଆଲା ଜହ୍ନ ଟା.......
ଜ୍ୟୋତ୍ସ୍ନା ଭିଜା ପ୍ରେମ ପ୍ରଣୟର
ଶୀତଳ ଛିଟାରେ ଓଦା ହୋଇ
ନିଜ ଆଲୋକକୁ ହରେଇ ଯେମିତି
ନିସ୍ତବ୍ଧ ନିସ୍ତେଜ ହୋଇ ପଡିଛି..
ସ୍ମୃତିର ଫରୁଆରେ ଛଟପଟ ହେଉଥିବା
କଇଁ ମନରେ ଘାରିଛି ଉତ୍କଣ୍ଠା
ଦୁଆର ମୁହଁରେ କେବେ ଗୁଞ୍ଜରିତ ହେବ
ମଲା ଜହ୍ନର ସେ ରୋଷଣୀ....
ଖାଁ ଖାଁ ଲାଗେ ସେ ଜହ୍ନରାତି
ଝାପସା ଆଲୋକର ପରସରେ
ସାଇତା ସ୍ମୃତିସବୁ ଖିନ ଭିନ ହୋଇ
ଘୁରି ବୁଲନ୍ତି ଦିପ୍ତିମୟୀ ସନ୍ଧାନ ରେ....
ତପନର ଆଭା ବିହୁନେ
ଜ୍ୟୋତିର୍ମୟ ଶଶୀ ଯେପରି
ମଲା ଜହ୍ନ ପାଲଟି ଯାଏ
ମଣିଷ ଜୀବନ ଠିକ ସେହିପରି...
ଯୌବନର ଚାରି ଛକିରେ
ଲୁଚକାଳି ଖେଳ ଖେଳୁ ଖେଳୁ
ବୟସଟା ନିସ୍ତେଜ ହୋଇ
ଅସ୍ତର ଅପେକ୍ଷାରେ ଉପନୀତ ହୋଇଯାଏ....
ପଛକୁ ଫେରି ଚାହିଁଲେ
ଦିଶୁଥାଏ ଅତୀତର ପାଦ ଚିହ୍ନ
ଯିଏ ସ୍ମୃତିର ରୋଷଣୀ ନେଇ
ମାଡି ଚାଲିଥାଏ ଆଗକୁ ଆଗକୁ.....
*କରଞ୍ଜିଆ, ମୟୁରଭଞ୍ଜ*