ଲଜ୍ଜ୍ୟା – ନାରୀର ଅଳଙ୍କାର ନା ସମାଜର ଅଭିଶାପ?

 ଲଜ୍ଜ୍ୟା – ନାରୀର ଅଳଙ୍କାର ନା ସମାଜର ଅଭିଶାପ?


କବୟିତ୍ରୀ :- ଦେବସ୍ମିତା ଦାଶ (କେନ୍ଦ୍ରାପଡ଼ା)



ଲଜ୍ଜ୍ୟା ନୁହେଁ କେବଳ ମୁଖର ଅବନତି,

            ସେ ନାରୀର ଅନ୍ତର୍ଲୀନ ଶାଳୀନତାର ଅଳଙ୍କାର,

ମାତ୍ର, ସମାଜର କୁସଂସ୍କାରର କରାଳ ଛାୟାରେ

            ସେହି ଲଜ୍ଜ୍ୟା ହୋଇଯାଏ ଅବ୍ୟକ୍ତ ଯନ୍ତ୍ରଣାର ଭାର।।



ଯେବେ ପ୍ରକୃତିର ନିୟମେ

                  ଋତୁସ୍ରାବର ପବିତ୍ର ପର୍ବ ଆସେ,

ସୃଷ୍ଟିର ସମ୍ଭାବନା ବହନକାରିଣୀ ନାରୀକୁ

         ସମାଜ "ଅଶୁଚି"ର ଆଖ୍ୟାରେ ଆଚ୍ଛାଦିତ କରେ।



ଛୁଆଁ–ଅଛୁଆଁର ପ୍ରହସନ,

                     ଅବଜ୍ଞାର ଅନଳ,

ତା'ର ହୃଦୟକୁ କରେ ବିଦୀର୍ଣ୍ଣ,

               ଅପମାନର ଅଦୃଶ୍ୟ ଶୃଙ୍ଖଳ।



ମନ୍ଦିରର ଦ୍ୱାର ରୁଦ୍ଧ,

                         ରୋଷେଇ ଘରରୁ ବହିଷ୍କୃତ,

କେବଳ ପ୍ରକୃତିର ବିଧାନକୁ ବହନ କରିଥିବାରୁ,

                             ସ୍ନେହର ସ୍ପର୍ଶରୁ ବଞ୍ଚିତ।



କି ଏହି ଅପରାଧ?

               ନା କି ମାତୃତ୍ୱର ମହିମାର ପ୍ରାରମ୍ଭ?

ଯାହାର ଗର୍ଭରେ ମାନବ ସଭ୍ୟତାର ଅଙ୍କୁରୋଦ୍ଗମ।

                 ସେହି ନାରୀ କାହିଁକି ଅବମାନନାର ପାତ୍ର?



ଲଜ୍ଜ୍ୟା ଯଦି ନାରୀର ଅଳଙ୍କାର,

       ହେଉ ସେ ସ୍ୱାଭିମାନର ଦୀପ୍ତ ଆଭୂଷଣ।

କୁସଂସ୍କାରର ଲୌହ-ଶୃଙ୍ଖଳ ନୁହେଁ,

             ଅବମାନନାର ନିଷ୍ଠୁର ବନ୍ଧନ ନୁହେଁ।



ଋତୁସ୍ରାବ ଯଦି ପ୍ରକୃତିର ବରଦାନ,

                   ସୃଷ୍ଟିର ପବିତ୍ରତମ ଅଭିଯାନ।

ତାହାକୁ ଅଭିଶାପ କହିବା ଅର୍ଥ,

               ମାନବତାର ଅନ୍ତରେ କଳଙ୍କର ଅଙ୍କନ।



ଆସ, ଲଜ୍ଜ୍ୟାର ସଂଜ୍ଞା ବଦଳାଇବା,

                 ନାରୀକୁ ନୁହେଁ, କୁସଂସ୍କାରକୁ ଲଜ୍ଜିତ କରିବା।

ଯେଉଁଦିନ ଋତୁସ୍ରାବକୁ ସମ୍ମାନର ଦୃଷ୍ଟିରେ ଦେଖାଯିବ,

ସେହିଦିନ ଲଜ୍ଜ୍ୟା ନୁହେଁ—

        ନାରୀର ମୁଖମଣ୍ଡଳରେ ଆତ୍ମମର୍ଯ୍ୟାଦାର ଦୀପ୍ତି ବିଚ୍ଛୁରିତ ହେବ।



                                            ------------*---------


Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!