ରଥ ଯାତ୍ରା

ରଥଯାତ୍ରା :-

ନୀଳାଦ୍ରି-ନାୟକ ନାଥ! ନିଖିଳ ନୟନାଭିରାମ,
ନନ୍ଦିଘୋଷେ ନବ ତେଜେ ନିତ୍ୟ କରୁଣାଧାମ।
ଭକ୍ତି-ଭାବ-ଭରା ଭୂମି ବିମଳ ବନ୍ଦନା ଗାଏ,
"ଜୟ ଜଗନ୍ନାଥ" ଧ୍ୱନିରେ ଜଗତ ଆନନ୍ଦ ପାଏ।

ତାଳଧ୍ୱଜେ ତେଜୋମୟ ବଳଭଦ୍ର ବୀରବର,
ଧର୍ମଧ୍ୱଜ ଦିଗ୍ବିଜୟୀ, ଦୁର୍ଜୟ ଦୁଃଖହର।
କରୁଣାର କବଚ ଧରି କରନ୍ତି କଳୁଷ କ୍ଷୟ,
ସତ୍ୟ-ଶୌର୍ଯ୍ୟ-ସଂଯମେ ସୁଶୋଭିତ ତାଙ୍କ ଲୟ।

ଦର୍ପଦଳନେ ଦେବୀ ସୁଭଦ୍ରା ସ୍ନେହସୁଧା ସିଞ୍ଚନ୍ତି,
ମାତୃମମତା ମାଧୁରୀରେ ମାନବମନ ଜିଣନ୍ତି।
ସମତାର ସୁମନ ସଜି ସୁଗନ୍ଧ ଛଡ଼ାଏ ପଥେ,
ଭ୍ରାତୃଭାବର ଭାରତୀ ହସେ ଭକ୍ତହୃଦୟ ରଥେ।


ବଡ଼ଦାଣ୍ଡ ବୈକୁଣ୍ଠ ହୁଏ ବେଦଧ୍ୱନିର ବିହଙ୍ଗ,
ଘଣ୍ଟ-ମର୍ଦ୍ଦଳ-ଶଙ୍ଖନାଦେ ନାଚେ ନବ ତରଙ୍ଗ।
ଚରାଚର ଚେତନାରେ ଚିରମଙ୍ଗଳ ଚିତ୍ର ଫୁଟେ,
ପ୍ରେମପରାଗ ପ୍ରସ୍ଫୁଟିତ ହୋଇ ଭକ୍ତିବୃକ୍ଷ ଛୁଟେ।

ରଥର ରସି ନୁହେଁ ଏହା ଋଷିମନ୍ତ୍ରର ରେଖା,
ହୃଦୟକୁ ହୃଦୟ ସହ ବାନ୍ଧେ ପବିତ୍ର ଦେଖା।
ବର୍ଣ୍ଣ-ଭେଦ ବିଲୀନ ହୁଏ କରୁଣାର କିରଣେ,
ବିଶ୍ୱବନ୍ଧୁତା ବିରାଜେ ପ୍ରଭୁଙ୍କ ପାଦଚରଣେ।


ମହାପ୍ରସାଦ ମହିମା ମହାମନ୍ତ୍ର ସମ ପବିତ୍ର,
ଅନ୍ନକଣେ ଅଙ୍କିତ ଅଛି ଅମୃତର ଚିରଚିତ୍ର।
ଦୀନ-ଧନୀ ଏକାସନେ ପାଆନ୍ତି ପ୍ରେମର ସ୍ଥାନ,
ଏହି ତ ଜଗନ୍ନାଥଧର୍ମ ମାନବତାର ସମ୍ମାନ।


ଓଡ଼ିଆ ଅସ୍ମିତାର ଅମର ଆଲୋକ ଏ ଯାତ୍ରା,
ଯୁଗଯୁଗାନ୍ତ ଧରି ବହେ ଭକ୍ତିର ପବିତ୍ର ଧାରା।
କଳା, ସଂସ୍କୃତି, ସାହିତ୍ୟର କିରୀଟ ଏହି ମହୋତ୍ସବ,
ବିଶ୍ୱମଞ୍ଚେ ଓଡ଼ିଶାର ଗୌରବର ଶୁଭ ଉତ୍ସବ।


ଚକାଡୋଳା ଚକ୍ଷୁ ତୁମ ଚାହେ ଚରାଚର ପ୍ରାଣ,
କ୍ଷଣମାତ୍ର ଦର୍ଶନେ ହରେ ଜନ୍ମଜନ୍ମାନ୍ତର ତ୍ରାଣ।
ଅନାଥର ନାଥ ତୁମେ, ଅଭୟର ଅକ୍ଷୟ ଦ୍ୱାର,
ତୁମ ନାମେ ଜୀବନ ପାଏ ମୋକ୍ଷର ମହା ଅଧିକାର।

ହେ କଳିଯୁଗ କରୁଣାସିନ୍ଧୁ! କର କୃପାବର୍ଷଣ,
ଅହଂକାର-ଅନ୍ଧକାରେ ଜ୍ୱାଳ ପ୍ରେମର ପ୍ରଦୀପଣ।
ସତ୍ୟ, ସେବା, ସଦାଚାରେ ସଜୁ ପ୍ରତିଟି ପ୍ରାଣ,
ଭକ୍ତିଭାବେ ଭରିଯାଉ ଏ ପବିତ୍ର ଭାରତଭୂମି ପ୍ରାଣ।


ରଥଯାତ୍ରା ନୁହେଁ କେବଳ ବାର୍ଷିକ ମହା ଉତ୍ସବ,
ଏ ତ ଜୀବନ-ଜାଗରଣ, ଧର୍ମ-ଦୟାର ବୈଭବ।
ଯାଏଯାଏ ଜଗତେ ରହିବ ଚନ୍ଦ୍ର, ସୂର୍ଯ୍ୟ, ସାଗର, ଗଗନ—
ସେଯାଏ ଗୁଞ୍ଜିବ ଅମର ଧ୍ୱନି"ଜୟ ଜଗନ୍ନାଥ, ଜୟ ଜଗନ୍ନାଥ!"
ନାମ:-ସରୋଜ ବେଉରା 
ଜିଲ୍ଲା :-କଟକ

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!