ବୃନ୍ଦାବନ ଅନୁଭୂତି
କବି:- ରାକେଶ କୁମାର ସାହୁ
ଆଜି ଅକସ୍ମାତେ ବୈଭବ ଯେ ମୋତେ
ଦେଖିଲା ଚଣ୍ଡିଖୋଲରେ,
ଭିଜାଇ ନୟନ ବୋଲଇ ବଚନ
ଭୁଲି ଗଲ ବନ୍ଧୁ ବାରେ l
ଗଲ ବୃନ୍ଦାବନ ରଖିଲ ଗୋପନ
ମୋ ପାଖରେ ବନ୍ଧୁ କାହିଁ,
କହି ଥିଲେ ମୋତେ ଯାଇ ଥାନ୍ତି ସାଥେ
କାହିଁ ଜଣାଇଲ ନାହିଁ l
କାହା ସାଥେ ଗଲ କେଉଁଠି ବୁଲିଲ
ରହିଲ ଯେ କେତେ ଦିନ,
କୁହ ବନ୍ଧୁ କୁହ ଶୁଣିବାକୁ ମୋର
ଅଥୟ ହୁଅଇ ମନ l
କହିଲି ବୈଭବ ଶୁଣରେ ବାନ୍ଧବ
ବୃନ୍ଦାବନ ଅନୁଭୂତି,
ଭଦ୍ରକ ଜିଲ୍ଲାର ମାନସ ରଞ୍ଜନ
ଟ୍ରିପ ପ୍ଳାନର ଅଟନ୍ତି l
ମୋ ସାଥୀରେ ଥିଲେ ମୋ ବନ୍ଧୁ ପ୍ରକାଶ
କଟକରୁ ଗଲୁ ବେନି,
ସୋର ଷ୍ଟେସନରୁ ବିକାଶ ସିଦ୍ଧାର୍ଥ
ମାନସ ଚଢିଲେ ତିନି l
ମଇ ମାସର ଯେ ଏକତିରିଶରେ
ହୋଇଲା ଯାତ୍ରା ଆରମ୍ଭ,
ଜୁନ ମାସର ଯେ ପ୍ରଥମ ଦିବସ
ବନାରସେ ଆବିର୍ଭାବ l
ହରିଶ୍ଚନ୍ଦ୍ର ଘାଟରୁ କେଦାର ଘାଟ
ନାବେ ପରିକ୍ରମା କରି,
ଦଶାଶ୍ଵମେଧ ଘାଟେ ଗଙ୍ଗା ଆଳତି
କୋଟି ପାପ ଦେଲା ସାରି l
ନାବୁ ଉତ୍ତରିଣ ଆମେ ପାଞ୍ଚ ଜଣ
ଗଣେଶ ଘାଟ ପର୍ଯ୍ୟନ୍ତ,
ବିକାଶ ଆଜ୍ଞା ସର୍ବେ ଜ୍ୟେଷ୍ଠ ଅଟନ୍ତି
ସଦା ରହୁ ଥାନ୍ତି ବ୍ୟସ୍ତ l
ମାନସ ସାର୍ ଓ ସିଦ୍ଧାର୍ଥ ସାର୍ ଯେ
ଇଁଷ୍ଟା ଅପଲୋଡ଼ ପାଇଁ,
ଗୋଟିଏ ଘାଟରେ ସବୁ ଦିଗରୁ ତ
ଫଟୋ ନେଉ ଥାନ୍ତି ରହି l
ତହୁଁ ଯାଇ କାଳ ଭୈରବ ମନ୍ଦିରେ
ଦିବ୍ୟ ଦରଶନ ସାରି,
ମହା ମୃତ୍ୟୁଞ୍ଜୟ ମନ୍ଦିରର ଜଳ
ଆତ୍ମା ଦେଲା ତୃପ୍ତ କରି l
ସେହି ଦିବ୍ୟକୂପ ଜଳକୁ ଭକ୍ତିରେ
ଆଣିଲୁ ସରବେ ଯାଇ,
ସାଇତି ରଖିଲୁ ଆଗାମୀ ଦିନର
ପେଟ ବ୍ୟାଧି ଦୂର ପାଇଁ l
ପ୍ରଥମ ଦିନର ବନାରସ ସ୍ମୃତି
କହିଲି ତୋତେ ବୈଭବ,
ଜୁନ୍ ଦୁଇରେ ତ ଇଷ୍କନ ମନ୍ଦିର
ଖଟୁଶ୍ୟାମେ ଆବିର୍ଭାବ l
ମଣି ମନ୍ଦିର ଓ ତୁଳସୀ ମାନସ
ଦୁର୍ଗା ମା' ମନ୍ଦିର ଯାଇ,
ଶଙ୍କଟ ମୋଚନ ଜୟ ହନୁମାନ
ଆଶୀର୍ବାଦ ଥିଲୁ ପାଇ l
ଅପରାହ୍ନ ବେଳେ କାଶୀ ବିଶ୍ଵନାଥ
ଦିବ୍ୟ ଦରଶନ ସାରି,
ମଣିକର୍ଣ୍ଣିକାରୁ ନମୋ ଘାଟ ଯାଏ
ପରିକ୍ରମା ଥିଲୁ କରି l
କାଶୀ ବିଶ୍ଵନାଥ ସ୍ପର୍ଶ ଦରଶନ
ଭାଗ୍ୟେ ମୋର ହେଲା ନାହିଁ,
ଯାଇ ଅର୍ଦ୍ଧରାତ୍ରେ ବିଶ୍ଵନାଥ ପାଦ
ସର୍ବେ ଦେଇ ଥିଲେ ଛୁଇଁ l
କହୁଛି ବୈଭବ ମନ ଦେଇ ଶୁଣ
ତିନି ତାରିଖ ବୃତ୍ତାନ୍ତ,
ବାରଣାସୀରୁ ଅଯୋଧ୍ୟା ଅଭିମୁଖେ
ଚଳିଲୁ ହୋଇଣ ବ୍ୟସ୍ତ l
ହନୁମାନ ଗାଦି ଓ ରାମ ମନ୍ଦିର
ଭକ୍ତିରେ ଦର୍ଶନ କଲି,
ପ୍ରଭୁ ଆଶୀର୍ବାଦେ ଆପଦ ବିପଦ
ସବୁ ଯାଇ ଥିଲା ଟଳି l
ଚାରି ତାରିଖରେ ପ୍ରୟାଗରାଜରେ
ତ୍ରିବେଣୀ ସଙ୍ଗମ ସ୍ନାନ,
କୋଟି ଜନ୍ମ ପାପ ହେଲା ଭସ୍ମୀଭୂତ
ସେ ତିନି ନଦୀ ମିଳନ l
ଗଙ୍ଗା ଯମୁନା ଓ ସରସ୍ବତୀ ନଦୀ
ତହିଁରେ ହେଲେ ମିଳନ,
କୈବର୍ତ୍ତ କୁଳର ନାଉରୀ ମତରେ
କଲୁ ଜଳ ଘଡି ପୂର୍ଣ୍ଣ l
ପାତାଳପୁରି ହନୁମାନ ସାଥୀରେ
ଲେଟେ ହନୁମାନ ଯାଇ,
ବଜରଙ୍ଗଵାଲୀ ଆଶୀର୍ବାଦ ପ୍ରାପ୍ତେ
ବଜରଙ୍ଗ ଗଲୁ ହେଇ l
କାନପୁର ଦେଇ ଗଲୁ ବୃନ୍ଦାବନ
ଶୁଣରେ ବୈଭବ ଶୁଣ,
ପରିକ୍ରମା ମାର୍ଗ ପରିକ୍ରମଣରେ
ମିଳିଗଲା କୋଟି ପୂଣ୍ୟ l
ପାଞ୍ଚ ତାରିଖରେ ରାଧା ବଲ୍ଳଭ ଓ
ବାଙ୍କେ ବିହାରୀ ମନ୍ଦିର,
ମୀରାବାଈ ସାଥେ ଦର୍ଶନ କରିଲୁ
ରାଧାରାଣୀଙ୍କ ମନ୍ଦିର l
ଗଲୁ ବୃନ୍ଦାବନ ଅରଜିଲୁ ପୂଣ୍ୟ
ସନ୍ଧ୍ୟାରେ ପ୍ରେମ୍ ମନ୍ଦିର,
ଛଅ ତାରିଖରେ ନନ୍ଦ ଗାଆଁ ଗଲୁ
ମନରେ ଭକ୍ତି ଅପାର l
ନନ୍ଦ ମହଲର ଦରଶନ ସାରି
ବର୍ଷାଣାକୁ ଗଲୁ ଚାଲି,
ବୃଷଭାନୁ ସାଥେ କୀର୍ତଦା ଦର୍ଶନେ
ପୀଡ଼ା କ୍ଳେଶ ଗଲୁ ଭୁଲି l
ରାଧାରାଣୀଙ୍କର ଦର୍ଶନ ମାତ୍ରକେ
ଜୀବନ ଧନ୍ୟ ମୋହର,
ଛୋଟା ଗୋଡ଼ ମୋର ଚଢିଲା ପାହାଚ
ଦୟା ରାଧାରାଣୀଙ୍କର l
ଗିରିଗୋବର୍ଦ୍ଧନ ପରିକ୍ରମ କଲୁ
ଉଦ୍ଧବ କୁଣ୍ଡ ଦେଖିଲୁ,
କୃଷ୍ଣ କୁଣ୍ଡ, ରାଧା କୁଣ୍ଡ କୁସୁମର
ସରୋବରେ ଧନ୍ୟ ହେଲୁ l
ଶୁଣରେ ବୈଭବ ତହୁଁ ଉପରାନ୍ତେ
ଚାରି ଧାମର ଯେ ନାମ,
ଶିବ ଧାମ, ଶନି ଧାମ, ବୈଷ୍ଣଦେଵୀ
ରାଧାକୃଷ୍ଣଙ୍କର ଧାମ l
ପଦ୍ମଫୁଲ ସମ ପ୍ରିୟକୁଞ୍ଜ ନାମ
ମନ୍ଦିର ଦର୍ଶନ କରି,
ସାତ ତାରିଖରେ କୃଷ୍ଣ ଜନ୍ମଭୂମି
ବୈଭବ ଗଲୁ ବାହାରି l
ପ୍ରଭୁ ଯେଉଁ ଠାରେ ଜନ୍ମ ଲଭି ଥିଲେ
ଆହା ସେ ପବିତ୍ର ସ୍ଥାନ,
ବୃନ୍ଦାବନ ମାଟି ଆଣିଲି ସାଉଁଟି
ବିତରିଣ ସ୍ୱଳ୍ପ ଧନ l
କୃଷ୍ଣ ଜନ୍ମଭୂମି ଦର୍ଶନ ମାତରେ
ଜୀବନ ହୋଇଲା ଧନ୍ୟ,
ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭିଲୁ
ହୃଦେ ଦମ୍ଭ ଆଚରିଣ l
ଆଠ ତାରିଖରେ ଦିଲ୍ଲୀ ସହରରେ
ଇଣ୍ଡିଆ ଗେଟ୍ ଦେଖିଲୁ,
ଆହା କି ସୁନ୍ଦର ସେ ତ' ମନୋହର
ବହୁ ଫଟୋ ଉଠାଇଲୁ l
ରାଷ୍ଟ୍ରପତି ଭବନେ ପହଞ୍ଚିଲୁ ଯେ
ବିଳମ୍ବ ଆଉ ନ କରି,
ଥିଲା ବ୍ୟାରିକେଟ ପ୍ରବେଶ ନିଷେଧ
ବାହାରୁ ଆସିଲୁ ଫେରି l
କୁତବ ମିନାର ମନରେ ସଞ୍ଚାର
କରିଲା ନାନା କୌତୁକ,
ବିଭିନ୍ନ ପ୍ରାନ୍ତରୁ ମାଡ଼ି ଆସୁ ଥାନ୍ତି
ଲକ୍ଷାଧିକ ପର୍ଯ୍ୟଟକ l
ଲାଲକିଲା ଯାଇ ନାଲି ଗଲୁ ହେଇ
ଆହା କି ସୁନ୍ଦର ସ୍ଥାନ,
ପୁଣି ନିଶ୍ଚେ ଥରେ ଯିବି ରେ ବୈଭବ
ରହିଲେ ମୋର ଜୀବନ l
ଆଠ ତାରିଖରେ ସରି ଗଲା ଯାତ୍ରା
ଯୋଜନାର ଅନୁସାରେ,
ନଅ ତାରିଖରେ କରିଲୁ ପ୍ରସ୍ଥାନ
କୋହ ପୂର୍ଣ୍ଣ ହୃଦୟରେ l