ଅଧୁରା ପ୍ରେମର ଶେଷ ପୃଷ୍ଠା
ଯାଜ୍ଞସେନୀ ସ୍ୱାଇଁ ( ଜଗତସିଂହପୁର , ଗାରିଆ)
କୁହାଯାଏ, ପ୍ରତ୍ୟେକ ପ୍ରେମ କାହାଣୀର ଗୋଟିଏ ଆରମ୍ଭ ଥାଏ। କେହି ପ୍ରଥମ ଦେଖାରୁ ଆରମ୍ଭ ହୁଏ, କେହି ପ୍ରଥମ କଥାରୁ, ଆଉ କେହି ଅଜାଣତରେ ହୃଦୟର ଗଭୀରେ ଜନ୍ମ ନେଇଥାଏ। ଆମ କାହାଣୀ ମଧ୍ୟ ସେମିତି ଥିଲା। କେବେ, କେଉଁଠି, କିପରି ତୁମେ ମୋ ହୃଦୟର ଏତେ ନିକଟକୁ ଆସିଗଲ, ମୁଁ ଜାଣିପାରିଲି ନାହିଁ। କିନ୍ତୁ ଯେତେବେଳେ ଜାଣିଲି, ସେତେବେଳେ ତୁମେ ମୋ ଜୀବନର ଏକ ଅଭ୍ୟାସ ହୋଇସାରିଥିଲ।
ତୁମ ସହ କଥା ହେବା ଦିନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଥିଲା। ତୁମର ଗୋଟିଏ ସନ୍ଦେଶ ମୋ ମୁହଁରେ ହସ ଆଣିଦେଉଥିଲା, ତୁମର ଗୋଟିଏ ଶବ୍ଦ ମୋର ଖରାପ ଦିନକୁ ଭଲ କରିଦେଉଥିଲା। ମୁଁ ଜାଣିନଥିଲି ଏହା ପ୍ରେମ ଥିଲା କି ନୁହେଁ, କିନ୍ତୁ ଏତିକି ଜାଣିଥିଲି ଯେ ତୁମକୁ ନ କହିଲେ ଦିନଟା ଅଧୁରା ଲାଗୁଥିଲା।
ଧୀରେ ଧୀରେ ତୁମେ ମୋର ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଗଲ। ମୋର ସ୍ୱପ୍ନରେ, ମୋର କବିତାରେ, ମୋର ନୀରବତାରେ ଓ ମୋର ଅନୁଭୂତିରେ କେବଳ ତୁମେ ଥିଲ। ମୁଁ ଭବିଷ୍ୟତର କିଛି ଛୋଟ ଛୋଟ ସ୍ୱପ୍ନ ମଧ୍ୟ ଦେଖିବାକୁ ଆରମ୍ଭ କରିଥିଲି। ସେ ସ୍ୱପ୍ନଗୁଡ଼ିକ ବହୁତ ବଡ଼ ନଥିଲା, କିନ୍ତୁ ସେଥିରେ ତୁମର ଉପସ୍ଥିତି ଥିଲା।
କିନ୍ତୁ ଜୀବନ ସବୁବେଳେ କାହାଣୀ ଭଳି ଚାଲେନାହିଁ। କିଛି ସମ୍ପର୍କ ଥାଏ ଯାହା ଗଢ଼ିଉଠେ, କିନ୍ତୁ ଗନ୍ତବ୍ୟରେ ପହଞ୍ଚିପାରେ ନାହିଁ। ଆମ କାହାଣୀ ମଧ୍ୟ ସେହିଭଳି ଥିଲା। କେଉଁଠି ଗୋଟିଏ ଭୁଲ ବୁଝାମଣା, କେଉଁଠି ସମୟର ଦୂରତା, କେଉଁଠି ନୀରବତାର ଦେଵାଲ—ସବୁକିଛି ଆମ ମଧ୍ୟରେ ଆସି ଠିଆ ହୋଇଗଲା।
ଦିନେ ମୁଁ ବୁଝିଲି, ତୁମେ ଆଉ ପୂର୍ବ ଭଳି ନାହଁ। କଥାଗୁଡ଼ିକ ଛୋଟ ହୋଇଗଲା, ଅପେକ୍ଷାଗୁଡ଼ିକ ଲମ୍ବା ହୋଇଗଲା। ଯେଉଁଠାରେ କେବେ ହଜାର ହଜାର ଶବ୍ଦ ଥିଲା, ସେଠାରେ ନୀରବତା ଆସି ବସିଗଲା। ମୁଁ ବାରମ୍ବାର ନିଜକୁ ବୁଝାଉଥିଲି ଯେ ସବୁ ଠିକ୍ ହୋଇଯିବ, କିନ୍ତୁ ହୃଦୟ ଜାଣିଥିଲା ଯେ କିଛି ବଦଳିଯାଇଛି।
ସବୁଠାରୁ କଷ୍ଟଦାୟକ କଥା ବିଦାୟ ନୁହେଁ। ସବୁଠାରୁ କଷ୍ଟଦାୟକ କଥା ହେଉଛି ସେହି ଲୋକଟି ଧୀରେ ଧୀରେ ଅଜଣା ହୋଇଯିବା, ଯାହାକୁ ଆମେ କେବେ ନିଜଠାରୁ ମଧ୍ୟ ଅଧିକ ନିଜର ବୋଲି ଭାବିଥାଉ।
ଆଜି ମଧ୍ୟ ମୁଁ ତୁମକୁ ଦୋଷ ଦିଏ ନାହିଁ। କାରଣ ପ୍ରେମର ଅର୍ଥ କେବଳ ପାଇବା ନୁହେଁ। କେବେ କେବେ ପ୍ରେମର ଅର୍ଥ ହେଉଛି କାହାକୁ ମନରୁ ଭଲ ପାଇବା, ଯଦିଓ ସେ ତୁମ ଜୀବନର ଅଂଶ ହୋଇ ରହିନଥାଏ।
ତୁମେ ମୋ ଜୀବନରେ ଆସିଥିଲ, ଏବଂ ମୋତେ ଅନେକ କିଛି ଶିଖାଇଥିଲ। ତୁମେ ମୋତେ ହସିବା ଶିଖାଇଥିଲ, ସ୍ୱପ୍ନ ଦେଖିବା ଶିଖାଇଥିଲ, ଏବଂ ଶେଷରେ ଭାଙ୍ଗିଯାଇ ପୁଣି ନିଜକୁ ଗଢ଼ି ତୋଳିବା ମଧ୍ୟ ଶିଖାଇଥିଲ।
ହୁଏତ ଆମ କାହାଣୀର ଶେଷ ଏକାଠି ହୋଇନଥିଲା, କିନ୍ତୁ ତାର ଅର୍ଥ ଏହା ନୁହେଁ ଯେ କାହାଣୀଟି ସୁନ୍ଦର ନଥିଲା। କିଛି କାହାଣୀ ଅଧୁରା ରହିଯାଏ, ତଥାପି ସେମାନେ ଜୀବନର ସବୁଠାରୁ ସୁନ୍ଦର ଅଧ୍ୟାୟ ହୋଇ ରହିଯାନ୍ତି।
ଏବଂ ତୁମେ...
ତୁମେ ମୋ ଜୀବନର ସେହି ଅଧ୍ୟାୟ,
ଯାହାର ଶେଷ ମୁଁ ଆଜି ମଧ୍ୟ କରି ପାରିନି ।

