ଭୁଲି ହୁଏନା (ସନ୍ତୋଷ ମଲ୍ଲିକ )

 ଭୁଲି ହୁଏନା

ସନ୍ତୋଷ ମଲ୍ଲିକ  (ନିଆଳି କଟକ)



ଭୁଲି ତ ହୁଏନା ମୋ ଚାଳ ଛପର

       ସେ ମାଟି ନଦ‌ଉ କାନ୍ଥ,

ଭୁଲି ତ ହୁଏନା ଚୁଲିଜାଳ ମାଟି

       ମୋ ହାଣ୍ଡି ପଖାଳ ଭାତ।

ଭୁଲି ହେଉନାହିଁ ମୋ ଗାଁ ମାଟିର 

       ପାଣିକାଦୁଅର ବାଟ,

ଭୁଲି ହେଉନାହିଁ ଗାଁ ଦାଣ୍ଡେ ସାଙ୍ଗ

       ସହ ଗୁଲି ଖେଳ ଭେଟ।

ସେଦିନର ପିଲାବେଳ ସମୟକୁ

       କେବେ ଭୁଲିହେଉ ନାହିଁ,

ସେଦିନ ନଙ୍ଗଳା ପୋଖରୀ ଗାଧୁଆ

       କେମିତି ଭୁଲିବି ମୁହିଁ?

ବନିଶି ପକେଇ ମାଛ ଧରୁଥିଲି

       ଜିଆ‌ ଥୋପ‌ ଗୁନ୍ଥି ଦେଇ,

ନିଆରା ସେ ନିଶା ବାଗୁଡ଼ି ଖେଳକୁ

        ଜମା ଭୁଲି ହେଉନାହିଁ।

ମନରୁ ଲିଭୁନି ବାପାଙ୍କ ପାଖରେ

        ଶୋଇଥିବା ଖରାବେଳ,

ବାହାନା କରି ମୁଁ ଖସିଯାଉଥିଲି

         ନିଶାଥିଲା ସାଙ୍ଗ ମେଳ।

ମଧୁର ଦୁଷ୍ଟାମୀ ମିଠା ଚଗଲାମି

         ଲାଗୁଥିଲା ମୋତେ ଭଲ,

ବାପାଙ୍କ ପ‌ଇସା ଚୋରି କରୁଥିଲି 

         ପକେଟରୁ‌ ବହୁଥର‌।

ଭୁଲି ତ ହେଉନି ମାମୁଁ ଘର ସ୍ନେହ

         ସେଠିକା ନ‌ଈ ଗାଧୁଆ,

ଆମ୍ବତୋଟା ତଳେ ସାରାଖରାବେଳେ

         ଭୁଲିଯାଏ ମୋ ଦୁନିଆଁ।

ସେଦିନର ସ୍କୁଲ ଯିବା ବାଟେ କୁନା

        ସାଙ୍ଗରେ ମୋ ମାଡଗୋଳ,

ସିଲଟ ଭାଙ୍ଗିଛି  ନାକେ ପୁରେଇଛି

        ଫୁଲୁଖଡି କେତେଥର।

ସବୁବେଳେ ମୋର ହାପ୍‌ ପେଅଣ୍ଟ୍‌ର

        ବୋତାମ ଗୁଡାକ ଛିଡେ,

ବାଁ ହାତେ‌ କେବେ ପେଣ୍ଟ୍‌ ଟେକିଧରେ

         ଲଙ୍ଗଳା ବି ବେଳେବେଳେ।

ମୋ ନାକର‌ ଦୁଇ ପୁଡାରୁ ସର୍ବଦା

         ଗଙ୍ଗା ଓ ଯମୁନା ବହେ,

ସେସିଙ୍ଘାଣି‌ପୁଣି କେବେପୋଛେନାହିଁ

         ଜିଭେ‌ ସବୁ ଚାଟିଦିଏ।

ଧାନ ଉଁସାହେଲେ ସାରୁ ବାଇଗଣ

        ବୋଉ ମୋ ଧାନେ‌ ଶିଝାଏ,

କନ୍ଦମୂଳ ପୋଡ଼ା ରାତି ନ ପାହୁଣୁ

        ବୋଉ ମୋତେ ଖୋଇଦିଏ।

ଆଠିଣିଟିଏ ମୁଁ ବୋଉଠୁଁ ପାଇଲେ

        ମୋ ଗୋଡ଼ ତଳେ ଲାଗେନି,

ବେଲୁନୁ ବନ୍ଧୁକ ଯେତେ କିଣୁଥିଲି

        ସେ ସବୁ ଭୁଲି ପାରୁନି।

ଗୋଡଗଳା ମୋର ସାଇକେଲ ଚଢ଼ା

         ଆଜି କି ଭୁଲି ପାରୁଛି,

ହାଣ୍ଡେଲ ଛାଡ଼ିବି ଚଲେଇଲା ବେଳେ 

         ଯୋଉ କଚଡା‌ ଖାଇଛି।

ସଢେଇ ଟାଙ୍ଗିକି ଖରାବେଳିଆରେ

         ବାଉଁଶ ବୁଦାର‌ ମୂଳେ,

ଯାତ୍ରା କରୁଥିଲୁ ଟିଣା‌ ବାଡେଇକି

         ତାକୁ କି ମୁଁ ଭୁଲିପାରେ?

ଗାଆଁ ମୁଣ୍ଡ ବରଗଛ ଓହଳରେ

         ରଜ ଝୁଲି ଖେଳବେଳେ,

ନଖିନାନୀ ଯୋଉ କଚଡା ଖାଇଲା

         ହସେ ମୁଁ ମନେ ପଡିଲେ।

ସେକଥା ଜମାରୁ ଭୁଲି ହେଉନାହିଁ

         ଭାଲୁକୁଣି‌ ଓଷା ବେଳ,

ପାହାନ୍ତାରୁ ଗାଆଁ ଝିଅଙ୍କ ସହିତ

         ତୋଳୁଥିଲୁ ଯୋଉ ଫୁଲ।

ଫୁଲ ବାହାନାରେ କେତେଥର ପରା

         କାକୁଡି ଚୋରି କରିଛି,

ସେ ଲାଗି କାଢଣା କେତେ ମୁଁ ଖାଇଛି

         ଆଜି ବି ମନେ ପଡୁଛି।

କୁଆଁର ପୁନେଇ ପାଳଭୁତ କଥା

‌‌         କେବେ ବି ଭୁଲି ହେବନି,

ତଳସାହି‌ ଆଉ ଆମ ସାହି ପିଲା

‌‌         କ୍ରିକେଟ ଖେଳ ଭୁଲିନି।

ନଡ଼ିଆ ବାହୁଙ୍ଗା ବ୍ଯାଟ୍ ସାଙ୍ଗକୁ ସେ

         ବାଉଁଶ ମୂଳିର ବ‌ଲ୍,

କାଠ କଳମର ଉଇକେଟ ଧରିକି

         ପିଟାପିଟି କେତେଥର।

କଳାଧଳା ଟେଲିଭିଜନ ଦେଖିବୁ

         ଯାଉଥିଲୁ କୋଶେ ଦୂର,

ମଟର ଗାଡ଼ିଟି ଗୋଟିଏ ଆସିଲେ

         ଦ‌ଉଡୁ‌ ପଛେ ତାହାର।

ଭୁଲି ହୁଏନାହିଁ ମୋ ବୁଢ଼ୀ ମାଆର

         ବୁଢ଼ୀ ଅସୁରୁଣୀ ଗପ,

ମୋ ପିଲାବେଳର କାହାଣୀକୁ ଆଜି

         କରୁଛି ମୁଁ ଅନୁତାପ।

ହେ ସମୟ ତୁମେ ଏଡିକି‌ ଯିଦିଆ

         ଛଡେଇ ନେଲ ମୋ ହସ,

ଆଜି ଯାହା ସବୁ ଦେଉଛ ମୋ ହାତେ

         ମନ ମୋ ହେଉନି ତୋଷ।


Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!