"ମୁଁ ନୀରବ ପ୍ରତିଯୋଗୀ"
ଲୋପାମୁଦ୍ରା ବେହେରା ( ବାଲେଶ୍ୱର)
ମୁଁ ନୀରବ ପ୍ରତିଯୋଗୀ,
ମୋ ନାମ କେହି ଜାଣେନା।
ମୁକୁଟ ପାଇଁ ନୁହେଁ ମୋର ଲଢ଼େଇ,
ଖାଲି ନିଜକୁ ହରାଇ ନ ଦେବାର ସାଧନା।
ଭିଡ଼ ଭିତରେ ତାଳି ହୁଏ ଅନ୍ୟ ପାଇଁ,
ମୁଁ ପଛରେ ଠିଆ ହୋଇ ହସେ।
ମୋ ଆଖିର ଲୁହକୁ ଲୁଚାଇ,
ମୁଁ ନିଜ କ୍ଷତକୁ ନିଜେ ସଜେ।
କେତେ ରାତି ନିଦ ନାହିଁ,
କେତେ ସ୍ୱପ୍ନ ଅଧାରେ ଭାଙ୍ଗିଗଲା।
କେହି ପଚାରିଲେ ନାହିଁ - "କେମିତି ଅଛ?",
ସମସ୍ତେ କେବଳ ଫଳାଫଳ ମାଗିଲେ।
ମୁଁ ହାରିଲେ ବି ଅଭିଯୋଗ କରେନି,
ଜିତିଲେ ବି ଡିଙ୍ଗି ପିଟେନି।
କାରଣ ମୁଁ ଜାଣେ,
ପ୍ରତିଯୋଗିତା ଶେଷ ନୁହେଁ,
ଜୀବନ ହିଁ ସବୁଠୁ ବଡ଼ ପରୀକ୍ଷା।
ମୋ ନାମ ଖବରକାଗଜରେ ନାହିଁ,
ମୋ ଫଟୋ ଷ୍ଟେଜ୍ ଉପରେ ନାହିଁ।
ତଥାପି ମୁଁ ରୋଜ୍ ଲଢ଼ୁଛି,
ନିଜ ଅନ୍ଧାର ସହିତ, ନିଜ ଡର ସହିତ।
ହୁଏତ ଗୋଟିଏ ଦିନ,
କେହି ବୁଝିବେ ମୋ ନୀରବତାର ମୂଲ୍ୟ।
ସେଦିନ ବୁଝିବେ,
ପ୍ରତିଟି ନୀରବ ପ୍ରତିଯୋଗୀ ଭିତରେ
ଗୋଟିଏ ଯୁଦ୍ଧ ଜିତିବାର କାହାଣୀ ଲୁଚି ରହିଛି।
ମୁଁ ନୀରବ ପ୍ରତିଯୋଗୀ
କିନ୍ତୁ ହାର ମାନେନି
