ମମତାର ଆଉ ଏକ ନାମ
ଲେଖକ:- ରାଜେଶ
ମାଆର ପଣତ ପରି
ନିର୍ମଳ ତାଙ୍କ ଛାୟା,
ତାଙ୍କ ମୁଖର ମଧୁର ବଚନେ
ଭୁଲିଯାଏ ମନର ବ୍ୟଥା।
ସେ ନୁହଁନ୍ତି ଗର୍ଭଧାରିଣୀ ମୋର,
ତଥାପି ଜନନୀ ସମ,
ତାଙ୍କ ସ୍ନେହର ସୁଧାଧାରାରେ
ପବିତ୍ର ହୁଏ ମୋ ମନ।
ଶୈଶବର ସେ ଧୂଳିଧୂସର
ଅଗଣିତ ସ୍ମୃତିମାଳା,
ତାଙ୍କ ସ୍ନେହର ସ୍ପର୍ଶ ପାଇ
ଭରିଯାଇଥିଲା ଜୀବନ ସାରା।
ଝଡ଼ ଆସିଲେ ବଟବୃକ୍ଷ ପରି
ଠିଆ ହୁଅନ୍ତି ଆଗେ,
ମୋ ଆଖିର ଅଶ୍ରୁ ଦେଖି
ବ୍ୟଥା ଜାଗେ ତାଙ୍କ ହୃଦୟେ।
ମୋର ହସରେ ତାଙ୍କ ହସ,
ମୋ ଦୁଃଖେ ତାଙ୍କ ବେଦନା,
ଏମିତି ସ୍ନେହର ସମ୍ପର୍କକୁ
ମାପିପାରିବ କି ଏ ଦୁନିଆ?
ରକ୍ତର ବନ୍ଧନ ନୁହେଁ ଯେ
ଏ ବନ୍ଧନ ହୃଦୟର,
ଜନ୍ମ ନଦେଇ ମଧ୍ୟ ଯିଏ
ମାଆ ହୋଇଛନ୍ତି ଜୀବନର।
ସନ୍ଧ୍ୟା ଆକାଶେ ଚନ୍ଦ୍ର ଯେପରି
ବିତରେ ଶୀତଳ ଜ୍ୟୋତି,
ତାଙ୍କ ମମତା ସେହିପରି
ଦୁଃଖେ ଦିଏ ମନେ ଶାନ୍ତି।
ଜୀବନପଥର କଣ୍ଟକ ମଧ୍ୟେ
ଯେବେ ଥକିଯାଏ ପାଦ,
ତାଙ୍କ ସ୍ନେହ ହୋଇଯାଏ ପୁଣି
ବଞ୍ଚିବାର ମଧୁର ସ୍ୱାଦ।
ମାଆ ଶବ୍ଦର ଅର୍ଥ ଯଦି
ମମତା, ତ୍ୟାଗ ଓ ଛାଇ
ସେହି ମମତାର ଆଉ ଏକ – ନାମ ପିଉସୀ ମାଆ ହୋଇ।
