ଜୀବନ ଆଉ କଣ କି?
କବୟିତ୍ରୀ - ରଚିତା ଋତୁପର୍ଣ୍ଣା ଜେନା
ଜୀବନ ଆଉ କଣ କି—
ଏକ ଅସରନ୍ତି ପ୍ରଶ୍ନର
ନିରବ ଉତ୍ତର;
ଏକ ଅଧାଲେଖା କବିତା,
ଯାହାର ପ୍ରତିଟି ପୃଷ୍ଠାରେ
କେବେ ହସ ଫୁଟେ,
କେବେ ଲୁହ ଲେଖିଥାନ୍ତି
ନିଜ ନିଜର ବ୍ୟାଖ୍ୟା।
କେବେ ପ୍ରଭାତର ପ୍ରଥମ କିରଣ,
ସ୍ୱପ୍ନକୁ ଡେଣା ଦେଇ
ଆକାଶ ଛୁଇଁବାର ଆଶା;
ପୁଣି କେବେ ଅମାବାସ୍ୟାର ରାତି,
ନିଜ ଛାଇକୁ ବି ଅଚିହ୍ନା କରିଦେଉଥିବା
ଏକ ନିରବ ଏକାକୀତ୍ୱ।
କିଛି ଲୋକ ଆସନ୍ତି,
ବସନ୍ତ ପରି;
କିଛି ଲୋକ ଚାଲିଯାଆନ୍ତି,
ଝରା ପତ୍ର ପରି।
ସମୟର ନଈରେ ସମ୍ପର୍କ ଭାସିଯାଏ,
ତଥାପି କିଛି ସ୍ମୃତି
ବକ୍ଷ ଭିତରେ ଚିରଦିନ
ଦୀପ ହୋଇ ଜଳିରହେ।
ଜୀବନ ମାନେ—
ହାରିଯାଇ ପୁଣି ଉଠିବା,
ଭାଙ୍ଗିଯାଇ ପୁଣି ନିଜକୁ ଗଢ଼ିବା;
ଲୁହ ଭିତରେ ହସ ଖୋଜିବା,
ଅନ୍ଧାର ଭିତରେ
ଆଲୋକର ଏକ ଛୋଟ ଦୀପ ଜାଳିବା।
ତେଣୁ ଜୀବନ ଆଉ କଣ କି—
କିଛି ପ୍ରାପ୍ତି, କିଛି ଅପ୍ରାପ୍ତି,
କିଛି ମିଳନ, କିଛି ବିଚ୍ଛେଦ,
କିଛି ଆଶା, କିଛି ନିରାଶା;
ତଥାପି ପ୍ରତିଟି ପତନ ପରେ
ପୁଣି ଠିଆ ହେବାର
ଅଦମ୍ୟ ଇଚ୍ଛାର ନାମ ହେଉଛି—
ଜୀବନ।
ରଚିତା ଋତୁପର୍ଣ୍ଣା ଜେନା
ଭୁବନ,ଢେଙ୍କାନାଳ