ସଂସାର
କବି:- ଅବିନାଶ ରଥ
ଦୁଇଟି ବିଷୟ ସଂଯୋଗ ହୋଇଲେ
ହୁଏ ପ୍ରତିକ୍ରିୟା ତାର,
ଯେଉଁ ସାରତତ୍ତ୍ୱ ଅନୁଭବ ହୁଏ
ତାହା ହେଉଛି ସଂସାର। ୧।
ବାପା ମାଆ ପୁଅ ଧନ ଓ ସମ୍ପତ୍ତି
ବୁଝୁ ଆମେତ ସଂସାର,
ପେଟ ପାଟି ଆଖି କାନ ଗୋଡ଼ ହାତ
ନୁହେଁକି ଅଂଶ ତାହାର। ୨।
ମଣିଷର ଜନ୍ମ କର୍ମର ଅଧୀନ
କର୍ମ କରିବାକୁ ହେବ,
କରିବାକୁ କର୍ମ ସଂସାରରେ ପୁଣି
ଜଡିତ ହେବାକୁ ହେବ। ୩।
ଯେପରି ପହଁରା ଶିଖିବାର ପାଇଁ
ଦରକାର ହୁଏ ପାଣି,
ପାଣିରେ ପଶିଲେ ଯାଇଁତ ଶିଖିବ
ଏହି ସଂସାର କାହାଣୀ। ୪।
ବିନା କର୍ମ କରି ଫଳର ବ୍ୟବସ୍ଥା
ହୋଇଅଛି ପଶୁଙ୍କର,
ବିବେକ ବିଚାର ମଣିଷ ପାଇଛି
ଅଧୀନତ ସେ କର୍ମର। ୫।
ସଂଯୋଗର ସାର ଅଟଇ ସଂସାର
ଯୋଡ଼ି ହୋଇକି ରହିବ,
ଜଡିତ ନହେଲେ ଜାଣି ପାରିବନି
ସଂସାର କିପରି ହେବ। ୬।
ଅବିନାଶ ରଥ
