ପାର୍ବଣର ଆବେଶରେ ନିର୍ବାଚନୀ ଉନ୍ମାଦ( ବିଶ୍ୱନାଥ ସାହୁ)

 ପାର୍ବଣର ଆବେଶରେ ନିର୍ବାଚନୀ ଉନ୍ମାଦ

ବିଶ୍ୱନାଥ ସାହୁ ( ହିନ୍ତରାଇ, ସମ୍ବଲପୁର)

ପାର୍ବଣର ଆବେଶରେ ନିର୍ବାଚନୀ ଉନ୍ମାଦ( ବିଶ୍ୱନାଥ ସାହୁ) ଜାଗୃତି ପତ୍ରିକା


ଶରତ ଆକାଶରେ ଧଳା ମେଘର ଲୁଚକାଳି ଖେଳ,

କାଶତଣ୍ଡୀ ଫୁଲେ ସଜେ ବିଲହୁଡ଼ା ଓ ନଦୀକୂଳ।

ଶିଶିରଭିଜା ଘାସର ଗାଲିଚା, କ୍ଷେତେ ସୁନାର ଧାନ,

ଜଗତଜନନୀଙ୍କ ଆଗମନୀରେ ହର୍ଷିତ ହୁଏ ମନ।


ଏଥର ପାର୍ବଣ ଋତୁରେ ବଦଳିଗଲା ପରିବେଶ,

ଛାତ୍ରନିର୍ବାଚନ ଗିଳିଦେଲା ଦୁର୍ଗାପୂଜାର ଆବେଶ।

କ୍ୟାମ୍ପସରେ ରାଜନେତା-ନେତ୍ରୀଙ୍କ ଭିଡ଼ ପ୍ରବଳ,

ପ୍ରଚାରର ପଦଧ୍ୱନିରେ କମ୍ପେ ଶିକ୍ଷାଙ୍ଗନ ସକଳ।


ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଚେତନାର ମନ୍ଦିର,

ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟ ହେଉ ନିର୍ବାଚନର ଆଧାର।

ପୋଷ୍ଟର, ବ୍ୟାନର, ଭୋଜିଭାତ, ସ୍ଲୋଗାନର ଗର୍ଜନ,

ପ୍ରାର୍ଥୀ ପଛେ ଧାଉଛି ଯୁବପିଢ଼ି, ଭୁଲି ନିଜ ପ୍ରୟୋଜନ।


କିଏ ହେବ ସଭାପତି, ସମ୍ପାଦକ, କାହାର ହେବ ଜୟ,

ମିଥ୍ୟା ରାଜନୀତିର ପଶାପାଲିରେ ବନ୍ଧୁତା ହୁଏ କ୍ଷୟ।

ବନ୍ଧୁତାରେ ସନ୍ଦେହର ଛାଇ, ସମ୍ପର୍କେ ବଢ଼େ ତିକ୍ତତା,

କ୍ଷଣିକ କ୍ଷମତା ରାଜନୀତି ମୋହେ ଦୃଢ଼ ହୁଏ ଶତ୍ରୁତା।


ମାଆଙ୍କ ଆଗମନୀ ବାର୍ତ୍ତା ଏଥର ଜଗାଏନି ପୁଲକ,

ନିର୍ବାଚନୀ ମୋହେ ବନ୍ଦୀ ଶିକ୍ଷିତ ଯୁବତୀ ଓ ଯୁବକ।

ଯେଉଁଠି ଶଙ୍ଖଧ୍ୱନିରେ ଭରିବା କଥା ଭକ୍ତିର ପରିବେଶ,

ସେଠି ସ୍ଲୋଗାନ ଛଡ଼ାଏ ନିର୍ବାଚନୀ ଉନ୍ମାଦର ଆବେଶ।


ପ୍ରତିଦ୍ୱନ୍ଦ୍ୱିତା ରହୁ, ରହୁ ଆଦର୍ଶ, ରହୁ ବିଚାରର ଲଢ଼େଇ,

ତିକ୍ତତାରେ ଭାଇଚାରାର ବନ୍ଧନକୁ ଦିଅନାହିଁ ଭସେଇ।

ପୂଜାପାର୍ବଣକୁ ରାଜନୀତିର ରଙ୍ଗେ ଦିଅନାହିଁ ରଙ୍ଗାଇ,

ସଂସ୍କୃତିର ପବିତ୍ରତା କ୍ଷମତାମୋହେ ଦିଅନାହିଁ ହଜାଇ।


ମଣ୍ଡପେ ଦୁର୍ଗତିନାଶିନୀଙ୍କ ମୃଣ୍ମୟୀ ମୂର୍ତ୍ତି ଅପେକ୍ଷାରତ,

ହିଂସା-ଦ୍ୱେଷ ଭୁଲି ସାଙ୍ଗସାଥୀ ହୁଅ, ମାଆଙ୍କ ଶରଣାଗତ।

ମାଆଙ୍କ ଆଶିଷେ ଉଜ୍ଜ୍ୱଳ ହେଉ ଯୁବପିଢ଼ିର ଭବିଷ୍ୟତ,

ଜ୍ଞାନ, ବିବେକ, ମାନବିକତା ହେଉ ଜୀବନର ଶପଥ।


✍️ ବିଶ୍ୱନାଥ ସାହୁ

ହିନ୍ତରାଇ, ସମ୍ବଲପୁର

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!