ତୁମକୁ ମାଆ ପ୍ରଶ୍ନଟିଏ ( ଜଗବନ୍ଧୁ ସାହୁ )

 ତୁମକୁ ମାଆ ପ୍ରଶ୍ନଟିଏ

ଜଗବନ୍ଧୁ ସାହୁ( ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ )

ତୁମକୁ ମାଆ ପ୍ରଶ୍ନଟିଏ ( ଜଗବନ୍ଧୁ ସାହୁ )


ଜରା ଆଶ୍ରମରେ ବୃଦ୍ଧ ପିତା ମାତା

       ମଣ୍ତପରେ ଦେବୀ ପୂଜା

ବଡ଼ ଅଦ୍ଭୂତ ଦଶହରା ପର୍ବେ

         ତୁମରି ଏ ସଜ ସଜ୍ଜା


ଦଶମାସ ଗର୍ଭ କଷ୍ଟ ସହି ସହି

      ଦେଲା ଯିଏ ପିଣ୍ତେ ପ୍ରାଣ

ଶେଷ ସମୟଟା ହେଲା ତା କେମିତି

       କଲବଲେ ବୃଦ୍ଧାଶ୍ରମ


କହିବ କି ମାଆ କହିବ କି ତୁମେ

       କେମିତି ଏ ବିଧିବିଧାନ

ସବୁଠୁ ଭରଷା ଥାଏ ମା' ଯୋଉଠି

       ଶେଷେ କାଇଁ ହୀନିମାନ


ଦେଖିଛି କେତେ ମା' ଦଶହରା ପର୍ବେ

       ତୁମ ପାଶେ ଦୀନ ଦୁଃଖି

ତୁମରି ଦୁଆରେ ସିଏ ବସିଥାଏ

        ମୁହଁ ଯାଇଥାଏ ସୁଖି


ତୁମେ ବି ଜନନୀ ସିଏ ବି ଜନନୀ

        ମଣ୍ତପରେ ତୁମ ପୂଜା

କହି ଦିଅ ମାଆ ଆସି ଥରେ ମୋତେ

        କାହିଁକି ତା ପାଇଁ ସଜା


ଯୁଗେ ଯୁଗେ ପରା ନାରୀ ନାରାୟଣୀ

       କଥାଟା ହୋଇଛି ଲେଖା

ହେଲେ ଏ କଳିରେ କେଉଁଠି ବି କାହିଁ

   ତାହାରି ସମ୍ମାନ ଦେଖା


ନିୟତି ପ୍ରକୃତି ଧରିତ୍ରୀ ମାଆ ଗୋ

       ସବୁ ପରା ତୁମ ରୂପ

କେମିତି ସହୁଛୁ ଦେଖି ମା' ନୟନେ

        ଧରଣୀରେ ଏତେ ପାପ


ମାନବଟା ଆଜି ଦାନବ ସାଜିଛି

       ଧର୍ମ ନାମେ ପ୍ରହସନ

ଛୋଟ ମୁହେଁ ବଡ଼ କଥାଟି ମାଆ ଗୋ

       ପଚାରି ଦେଲି ମୁଁ ପ୍ରଶ୍ନ


*ପ୍ରେମ କବି ଜଗବନ୍ଧୁ ସାହୁ*

        *ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ*

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!