ଅଚିହ୍ନା ମୁହଁ
ମିତାରାଣୀ ଜେନା, ଯାଜପୁର
ସପନ ରାଇଜେ ଉଡ଼ି ବୁଲୁଥିଲି
ଛୁଟୁଥିଲା ଖୁସି ସୁଅ
ଜୀବନ ଆକାଶେ ଉଇଁଥିଲା ଏକ
ଅଚିହ୍ନା ସୁରୁଜ ମୁହଁ ।
ପ୍ରଜାପତି ପରି ଉଡ଼ିବୁଲୁଥିଲି
ତା' ପ୍ରତି ନଥିଲା ନଜର
ପାଦ ଚାପି ଚାପି ଜମେଇ ବସିଲା
ମୋ ହୃଦୟେ ତା' ଅଧିକାର ।
ଅଣଦେଖା କେବେ ପ୍ରେମ ପାଲଟିଲା
ଜାଣି ମୁଁ ପାରିଲି ନାହିଁ
ସେ ଏକା ନିଜର ବାକି ହେଲା ପର
ଭୁଲିଲି ଦୁନିଆଁ ମୁହିଁ ।
ତା' ଓଠେ ଖେଳିଲେ ହସର ଫରୁଆ
ଚୋରି ହୁଏ ମୋର ମନ
ଭାରି ଖୁସି ଲାଗେ ମନେ ପଡ଼ିଗଲେ
ତା' ସାଥେ ପ୍ରଥମ ଦିନ।
ପ୍ରଥମେ ଯେବେ ମୁଁ ଦେଖିଥିଲି ତାକୁ
ସମୟ ଅଟକି ଗଲା
ଅଜଣା ଅଚିହ୍ନା ପକ୍ଷୀ ଦୁଇଟିର
ମନର ମିଳନ ହେଲା।
ଧୀରେ ଧୀରେ ଦିନେ କହିଲା ମୋ କାନେ-
ସକାଳେ ଭାବୁଛି ସଞ୍ଜରେ ଭାବୁଛି
ରାତିରେ ଭାବୁଛି ତତେ
କେମିତି କହିବି ଜାଣି ମୁଁ ପାରୁନି
ଭଲ ମୁଁ ପାଉଛି କେତେ ?
ଦୁଇପଦ ତା'ର ମିଠା କଥା ଶୁଣି
ଲାଗିଥିଲା ଭାରି ଖୁସି
ଜାଣି ମୁଁ ନଥିଲି ଖୁସି ମୋର ଦିନେ
ଲୋତକରେ ଯିବ ଭାସି।
ସେ ଗଲା ପରଠୁ ହରାଇଛି ମୁହିଁ
ମନର ବିଶ୍ୱାସ ଭରସା
ଅଧା ବାଟେ ମୋର ହାତ ଛାଡି ଦେବ
କରି ମୁଁ ନଥିଲି ଆଶା।
ପ୍ରେମ ମୋ ପାଇଁ ଅକୁହା ଯନ୍ତ୍ରଣା
କାହାକୁ ନ କହି ହୁଏ
ସବୁଦିନ ପାଇଁ ନୟନ କୋଣରେ
ଲୁହ ହୋଇ ରହି ଯାଏ।
ତୁମେ ଥିଲ ମୋର ନିଜଠୁ ନିଜର
କେମିତି ଭୁଲିବି କୁହ
ଯେତେ ଦୂରେଇଲେ ଭୁଲିକି ପାରିବି
ତୁମ ସେ ଅଚିହ୍ନା ମୁହଁ।
-
