ସନ୍ତୋଷ ମଲ୍ଲିକ
ନିଆଳି,କଟକ
ତୁ ମୋର ଅଧା ସ୍ୱପ୍ନ,
ଅଧା ଲେଖା କବିତା,
ଅଧା ରହିଯାଇଥିବା
ମନର ନୀରବ ବ୍ୟଥା।
ତୁ ଆସିଥିଲୁ
ବର୍ଷାର ପ୍ରଥମ ବୁନ୍ଦା ପରି,
ଆଉ ଚାଲିଗଲୁ
ଶରତର ମେଘ ପରି।
ଆଜି ବି
ତୋ ନାମରେ ହୃଦୟ ଧଡ଼କେ,
ସ୍ମୃତିର ପ୍ରତ୍ୟେକ ପୃଷ୍ଠାରେ
ତୋ ଛବି ହସି ଉଠେ।
ତୁ ମୋର ଅଧା ସ୍ୱପ୍ନ,
କେବେ ପୂରା ହୋଇନଥିବା ଆଶା,
ତଥାପି ତୋ ସ୍ମୃତିରେ
ମୋ ଜୀବନର ଭରସା।
ଯଦି କେବେ
ପୁଣି ଦେଖା ହୋଇଯାଏ,
କିଛି କହିବିନି—
କେବଳ ଆଖିର ଭାଷାରେ
ସବୁ କଥା କହିଦେବି।
କାରଣ,
ତୁ ମୋର ଅଧା ସ୍ୱପ୍ନ ହୋଇଥିଲେ ମଧ୍ୟ,
ମୋ ସମଗ୍ର ହୃଦୟର
ସବୁଠାରୁ ସୁନ୍ଦର ଅନୁଭବ।