ଅନ୍ଧାରର ୨ଟି ରୂପ:-ଚକ୍ଷୁ ଯୁକ୍ତ ଓ ଚକ୍ଷୁ ହୀନ
।।୧।।
ରଜନୀର କଳା ଆଞ୍ଚଳ ତଳେ,
ହଜିଯାଏ ଦୁନିଆ ସାଉଁଟି କ୍ଳାନ୍ତି,
ଅନ୍ଧାର ଆସେ ନୀରବ ଚରଣେ,
ଢାଳିଦେବା ପାଇଁ ଅପୂର୍ବ ଶାନ୍ତି।
ଆଲୋକର ଦୀପ ଲିଭିଗଲା ପରେ,
ମନର ଗହନେ ଜଳଇ ଜ୍ୟୋତି,
ନିଶବ୍ଦ ରାତିର କଳା ଚାଦରରେ,
ଚମକି ଉଠନ୍ତି ତାରାଙ୍କ ମୋତି।
ଦେଖାଇଦିଏ ସେ ନିଜର ସତ୍ତା,
ଲୁଚାଇ ରଖେ ସେ ସାରା ଜଗତ,
ଭୟ ନୁହେଁ ସେ ତ ବିଶ୍ରାମର ବାର୍ତ୍ତା,
ସ୍ୱପ୍ନର ଦେଶେ ସେ କରାଏ ସ୍ୱାଗତ।
କାହା ପାଇଁ ସେ ତ ବିରହର ନିଶା,
କାହା ପାଇଁ ସେ ପ୍ରେମର ସ୍ପର୍ଶ,
ଅନ୍ଧାର ଭିତରେ ଲୁଚିଥାଏ ସଦା,
ଆସନ୍ତା କାଲିର ନୂଆ ହରଷ।
।।୨।।
ଅନ୍ଧାର ରଙ୍ଗ ମୁଁ ଦେଖିନାହିଁ କେବେ,
ଖାଲି ଅନୁଭବ କରେ,
ଇଏ ସେଇ ସାଥୀ ଯିଏ ପ୍ରତିଥର,
ମୋ ସାଥେ ସାଥେ ଚାଲେ ।
ତୁମ ପାଇଁ ଯାହା କାଳିମା ଅଟଇ,
ମୋ ପାଇଁ ସେ ଶାନ୍ତିର କୋଳ,
ନିଶବ୍ଦ ରାତିର ଶୀତଳ ପବନେ,
ବିତିଯାଏ ମୋର ବେଳ ।
ଆଖିର ଆଲୋକ ନାହିଁ ତ କଣ ହେଲା,
ମନର ଆଲୋକ ଜଳେ,
ଅନ୍ଧାର ଭିତରେ ଝଙ୍କାର ସେ ସ୍ୱର,
ମୋ ହୃଦୟକୁ ସ୍ପର୍ଶ କରେ ।
ତୁମେ ଦେଖୁଥିବା ସଂସାରଠୁ ବଳି,
ମୋ ଅନ୍ଧାର ବଡ଼ ସୁନ୍ଦର,
ସେଠି ଛଳନା ନାହିଁ କି ପ୍ରତାରଣା ନାହିଁ,
ଖାଲି ଭରିଛି ସେ ପବିତ୍ର ଅନ୍ତର ।
ମୋ ନିଜ ଦୁନିଆର ମୁଁ ଅଟେ ଈଶ୍ୱର,
ଅନ୍ଧାର ମୋ ପାଇଁ ବରଦାନ,
ଏଇ କଳା ରଙ୍ଗର ଆବରଣ ତଳେ,
ମୁଁ ଖୋଜିପାଏ ମୋର ସମ୍ମାନ ।

