ରକ୍ତହୀନ ସମାଜ ଓ ରକ୍ତ ର ବନ୍ଧୁତା

ରକ୍ତହୀନ ସମାଜ ଓ ରକ୍ତର ବନ୍ଧୁତା

ଲେଖକ - ହିଂମାଶୁ କୁମାର ମଣ୍ଡଳ 

ମୁଁ ଶେଖର। ବାଲେଶ୍ୱର ସହରର ଏକ ପ୍ରାଇଭେଟ୍ କଲେଜରେ ମୁଁ ଗଣିତର ଅଧ୍ୟାପକ। ଗଣିତର ଜଟିଳ ସୂତ୍ର ସମାଧାନ କରିବା ମୋର ପେସା, କିନ୍ତୁ ଆଜି ମୁଁ ଜୀବନର ଏମିତି ଏକ ଜଟିଳ ସୂତ୍ର ବିଷୟରେ କହିବାକୁ ଯାଉଛି, ଯାହାକୁ ଆମ ସମାଜ ଜାତି ନାଁରେ ଆହୁରି ପେଚଦାର୍ କରିଦେଇଛି। ଆଜି ମୁଁ ମୋ ଘର ବାଲେଶ୍ୱରରୁ ପ୍ରାୟ ୫୦୦ କିଲୋମିଟର ଦୂର ବରଗଡ଼ ଜିଲ୍ଲାର ଚିରାପଲ୍ଲୀ ଗାଁକୁ ଯାଉଛି। କାରଣ ଆଜି ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଆଲୋକର ବାହାଘର।
ଆମେ ତିନିଜଣ—ମୁଁ, ଆଲୋକ ଜେନା ଏବଂ ସତ୍ୟଜିତ ଦାସ। କଲେଜରେ ଆମେ ଏକାଠି ଗ୍ରାଜୁଏସନ୍ କରୁଥିଲୁ। ଦିନେ ଆମ ତିନିଜଣଙ୍କ ବନ୍ଧୁତା କଲେଜରେ ଏକ ମିସାଲ୍ ଥିଲା। ହେଲେ କଲେଜ ସରିବା ପରେ ଜୀବନ ସମସ୍ତଙ୍କକୁ ଅଲଗା ବାଟ ଦେଖେଇଦେଲା। ମୁଁ ଅଧ୍ୟାପକ ହେଲି, ଆଲୋକ ତାର ନିଜ ଗାଁ ଚିରାପଲ୍ଲୀ ହାଇସ୍କୁଲରେ ଶିକ୍ଷକ ହେଲା, ଆଉ ସତ୍ୟଜିତ ତାର ବାପାଙ୍କ ବ୍ୟବସାୟ ସମ୍ଭାଳିଲା। କିଛି ମାସ ତଳେ ସତ୍ୟଜିତର ବାହାଘର ହୋଇଥିଲା। କଲେଜରେ ପରୀକ୍ଷା ଏବଂ ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁଁ ମୁଁ ସେଦିନ ତା’ ବାହାଘରକୁ ଯାଇପାରିନଥିଲି। ସେତେବେଳେ ମୁଁ ଆଦୌ ଜାଣିନଥିଲି ଯେ ସେହି ଗାଁରେ ଏକ ବିରାଟ 'ମହାଭାରତ' ସୃଷ୍ଟି ହୋଇସାରିଛି!
ପରେ ଯେତେବେଳେ ମୁଁ ସବୁକଥା ଶୁଣିଲି, ମୋର ଛାତି ଥରିଉଠିଲା। ସତ୍ୟଜିତ ଥିଲା ଉଚ୍ଚ ଜାତିର ଆଉ ଆଲୋକ ଥିଲା ଅନୁସୂଚିତ ଜାତିର । ଆଲୋକ ଯେତେବେଳେ ନିଜ ଯୋଗ୍ୟତାରେ ସେହି ଗାଁ ସ୍କୁଲରେ ଚାକିରି ପାଇଲା, ସେତେବେଳେ ଗାଁର ସ୍କୁଲ ମେମ୍ବର ତଥା ମୁଖିଆ ମଧୁବାବୁଙ୍କ ଜାତିଆଣ ଅହଂକାରରେ ବଡ଼ ଆଘାତ ଲାଗିଥିଲା। ସେ ସହ୍ୟ କରିପାରୁନଥିଲେ ଯେ କେମିତି ଜଣେ ଅନୁସୂଚିତ ଜାତିର ପିଲା ସେମାନଙ୍କ ଗାଁ ସ୍କୁଲରେ ମାଷ୍ଟର ହୋଇ ପିଲାମାନଙ୍କକୁ ପାଠ ପଢ଼ାଉଛି! ସ୍କୁଲର ପାଣ୍ଠି ହେରଫେରକୁ ନେଇ ଆଲୋକ ସବୁବେଳେ ମଧୁବାବୁଙ୍କ ମନମୁଖୀ ଶାସନର ପ୍ରତିବାଦ କରୁଥିଲା, ଯାହା ମଧୁବାବୁଙ୍କୁ ଆହୁରି ରାଗେଇ ଦେଇଥିଲା। ସେ ସବୁବେଳେ ଆଲୋକକୁ ସାବାଡ଼ କରିବାକୁ ସୁଯୋଗ ଖୋଜୁଥିଲେ।
ସତ୍ୟଜିତର ବାହାଘର ବେଳେ ଆଲୋକ ଆଗେଇ ଆସି ସବୁ କାମ ସମ୍ଭାଳିଥିଲା। ମଧୁବାବୁଙ୍କୁ ନିଜ ଜାତିଆଣ ଇଗୋ ଏବଂ ବ୍ୟକ୍ତିଗତ ପ୍ରତିଶୋଧ ନେବାର ବାହାନା ମିଳିଗଲା। ସେ ସାମାଜିକ ବାଛନ୍ଦର ଧମକ ଦେଇ ସତ୍ୟଜିତର ବାପାଙ୍କୁ ଗାଁ ସମାଜ ଆଗରେ ଭୁଲ୍ ମଗାଇଲେ। ଆଉ ସତ୍ୟଜିତ? ତା’ ପଛପଟେ ସମାଜ ଏତେ ବଡ଼ ଚକ୍ରାନ୍ତ କରୁଛି ବୋଲି ସେ କିଛି ବି ଜାଣିନଥିଲା! ସେ କେବଳ ଏତିକି ଜାଣିଥିଲା ଯେ ବାହାଘର ଭୋଜି ଭିତରେ କିଛି ଲୋକ ଗଣ୍ଡଗୋଳ କରୁଛନ୍ତି। କିନ୍ତୁ ଏହି କଥାକୁ ନେଇ ଦୁଇ ବନ୍ଧୁଙ୍କ ଭିତରେ ଅଭିମାନର ଏକ ବିରାଟ ପ୍ରାଚେରୀ ଠିଆ ହୋଇଗଲା।
ସହରର ଏକ ଚା’ ଦୋକାନରେ ଦିନେ ଦୁହିଁଙ୍କର ଦେଖା ହେଲା। ଆଲୋକ ଅଭିମାନରେ ଏବଂ ସତ୍ୟଜିତ ଆଖିରେ ଲୁହ ନେଇ ମୁହାଁମୁହିଁ ଠିଆ ହେଲେ।
ଆଲୋକ (ଖୋଭ ଓ ଅଭିମାନଭରା ସ୍ୱରରେ): "ସତ୍ୟ! ମୁଁ ତୋ ବାହାଘରକୁ ଜଣେ ଭାଇ ହିସାବରେ ଯାଇଥିଲି, ଜାତିର ପ୍ରତିନିଧି ହୋଇ ନୁହେଁ। ହେଲେ ମୋ ପାଇଁ ତୋ ବାପାଙ୍କୁ ଗାଁ ସମାଜ ଆଗରେ ଭୁଲ୍ ମାଗିବାକୁ ପଡ଼ିଲା, ଆଉ ତୁ ଚୁପ୍ ରହିଲୁ? ତୁ ଟିକେ ବି ମୋ ପାଇଁ ସାହସ ଦେଖାଇଲୁନି?"
ସତ୍ୟଜିତ (ବିକଳ ହୋଇ, ଆଲୋକର ହାତ ଧରିବାକୁ ଚେଷ୍ଟା କରି): "ଆଲୋକ, ମୋତେ ଭୁଲ୍ ବୁଝନା ଭାଇ! ମୁଁ ଆଦୌ ଜାଣିନଥିଲି ଯେ ମୋ ପଛରେ ଏତେ ସବୁ ଘଟିଯାଇଛି ବୋଲି। ମୁଁ ଜାଣିଲା ବେଳକୁ ତୁ ଆଉ ସେଠି ନଥିଲୁ, ତୁ ଗାଁରୁ ଫେରି ସାରିଥିଲୁ। ମୁଁ ତ କେବଳ ଭାବିଥିଲି ବାହାଘର ଭୋଜି ଭିତରେ କିଛି ଲୋକ ଗଣ୍ଡଗୋଳ କରୁଛନ୍ତି। ମୋତେ ଯଦି ସେତେବେଳେ ସତ କଥା ଜଣାଥାନ୍ତା, ମୁଁ କଣ ଚୁପ୍ ରହିଥାନ୍ତି?"

ଆଲୋକ (ନିଜ ହାତ ଛଡ଼େଇ, ତଥାପି ଗମ୍ଭୀର ହୋଇ): "ନା ସତ୍ୟ! ତୁ ଜାଣିଥାଉ କି ନଜାଣିଥାଉ, କିନ୍ତୁ ବନ୍ଧୁତା ଆଗରେ ଜାତି କିଛି ନୁହେଁ ବୋଲି ପ୍ରମାଣ କରିବାକୁ ତୁ ସାହସ ଦେଖାଇଲୁ ନାହିଁ। ଶେଷରେ ତୁ ବି ସେହି ଅନ୍ଧ ସମାଜର ନିୟମକୁ ହିଁ ମଥାପାତି ସ୍ୱୀକାର କରିନେଲୁ।"
ଆଲୋକ ରାଗରେ ଚାଲିଗଲା। ସତ୍ୟଜିତ ସେଠାରେ ଅସହାୟ ଭାବେ ଠିଆ ହୋଇ ରହିଲା। ଏହି ଘଟଣାର ସୁଯୋଗ ନେଇ ମଧୁବାବୁ ଆଉ ତାଙ୍କ ଚାମଚାମାନେ ଦୁହିଁଙ୍କ କାନ ଫୁଙ୍କିବା ଆରମ୍ଭ କଲେ, ଦୁଇ ଜନ୍ମର ବନ୍ଧୁଙ୍କ ଭିତରେ କଳି ସୃଷ୍ଟି କଲେ। ଆଲୋକ ଆଉ ସତ୍ୟର ଏହି ଦୂରତା ମୋତେ ଭିତରୁ ଆନ୍ଦୋଳିତ କରୁଥିଲା। ଏହି ଜାତି ନାଁରେ କେତେ ଯେ ସଂଘର୍ଷ, କେତେ ଯେ ରକ୍ତପାତ ଆଉ ଅତ୍ୟାଚାରର ଅସହ୍ୟ ଇତିହାସ ଏ ମାଟିରେ ଲୁଚି ରହିଛି, ତାହା ଭାବିଲେ ଆତ୍ମା ଶିହରି ଉଠେ। ଦୁଇ ବନ୍ଧୁଙ୍କର ଏହି ମନୋମାଳିନ୍ୟ ଦେଖି ମୋର ସେଦିନ ମନେପଡ଼ିଯାଉଥିଲା ମୋର ଆଉ ଜଣେ ବାନ୍ଧବୀ ସନ୍ଧ୍ୟାର ବାହାଘର କଥା। ସନ୍ଧ୍ୟାର ସେହି ଶୁଭ ବାହାଘର ଉତ୍ସବରେ ସେ ତା’ର ପିଲାଦିନର ଅତି ପ୍ରିୟ ସାଙ୍ଗ ସୁନିତାକୁ ନିମନ୍ତ୍ରଣ କରିବାକୁ ଚାହୁଁଥିଲା। କିନ୍ତୁ ସନ୍ଧ୍ୟାର ମାଆ ରୋକଠୋକ୍ ମନା କରିଦେଇଥିଲେ। କାରଣ? ସୁନିତା ଥିଲା ଅନୁସୂଚିତ ଜାତିର ଝିଅ। ସେଦିନ ସନ୍ଧ୍ୟାର ମାଆ କ୍ଷୋଭର ସହ କହିଥିଲେ—"ତାକୁ ଯଦି ବାହାଘରକୁ ଡାକିବୁ, ତେବେ ତା’ ପାଇଁ ସାରା ସମାଜ ଆଗରେ ମୁଁ ଭୁଲ୍ ମାଗିପାରିବି ନାହିଁ।" ଜନ୍ମର ସେହି ପବିତ୍ର ସମ୍ପର୍କ ଆଗରେ ଜାତିପ୍ରଥାର ଏହି କୁତ୍ସିତ ପାଚେରୀ ସେଦିନ ବି ଜିତିଯାଇଥିଲା ଆଉ ବନ୍ଧୁତା ହାରିଯାଇଥିଲା।
ହେଲେ ଆଜି ଆଲୋକର ବାହାଘର। ସେ ତାର ସବୁ ଅଭିମାନ ଭୁଲି ସତ୍ୟକୁ ନିମନ୍ତ୍ରଣ କରିଛି। ବାହାଘର ମଣ୍ଡପରେ ରଙ୍ଗୀନ ଆଲୋକ ଏବଂ ବାହାଘରର ମଙ୍ଗଳ ଧ୍ୱନି ଶୁଭୁଥିଲା। ଆଲୋକ ବରବେଶରେ ମଣ୍ଡପରେ ବସିଥିଲା। ଗୋଟିଏ ପାର୍ଶ୍ୱରେ ମୁଖିଆ ମଧୁବାବୁ ତାଙ୍କର କିଛି ଚାମଚା ଏବଂ ଗାଁ ଲୋକଙ୍କ ସହ ଠିଆ ହୋଇ ବ୍ୟଙ୍ଗ ହସ ହସୁଥିଲେ।
ମଧୁବାବୁ (ଉଚ୍ଚ ସ୍ୱରରେ ତାଳି ମାରି): "ବାଃ! ବାଃ ଆଲୋକ ବାବୁ! ବାହାଘର ତ ବଡ଼ ଜମକଦାର୍ ହେଉଛି। କିନ୍ତୁ ଆଜି ତୁମର ସେହି ଉଚ୍ଚ ଜାତିର ଅନ୍ତରଙ୍ଗ ବନ୍ଧୁ ସତ୍ୟଜିତ କାହିଁ? ସେଦିନ ତ ତା’ ବାହାଘରରେ ତୁମେ ଗାଁ ସମାଜକୁ ଡେଇଁ ବଡ଼ ଚୌଧୁରୀ ସାଜିଥିଲ। ଆଜି ତୁମ ନିଜ ବାହାଘର ମଣ୍ଡପ ସୁନା ସାଙ୍ଗ ବିନା ଶୂନ ପଡ଼ିଛି! ମୁଁ ଗାଁ ସାରା ଲୋକଙ୍କକୁ କହିଦେଇଛି—ଯଦି ସେହି ଜେନେରାଲ୍ ଜାତିର ସତ୍ୟଜିତ ଏହି ସମାଜର ନିୟମ ଭାଙ୍ଗି ଏଠିକି ଆସିବ, ଆମେ ତାକୁ ଆଉ ତା’ ପରିବାରକୁ ଗାଁରୁ ପାଣି-ବାଛନ୍ଦ କରିବୁ!"
ଠିକ୍ ସେତିକିବେଳେ ସମସ୍ତଙ୍କକୁ ଚକିତ କରି ସତ୍ୟଜିତ, ତାଙ୍କ ସ୍ତ୍ରୀ ଏବଂ ତାଙ୍କ ବୃଦ୍ଧ ବାପା ରାଗରେ କମ୍ପି କମ୍ପି ସେଠାରେ ପହଞ୍ଚିଗଲେ। ସତ୍ୟଜିତ ସିଧା ଆସି ମଧୁବାବୁଙ୍କ ସାମ୍ନାରେ ଆଙ୍ଗୁଠି ଦେଖାଇ ଠିଆ ହେଲା।
ସତ୍ୟଜିତ (ରାଗରେ ଗର୍ଜନ କରି): "ଚୁପ୍ କରନ୍ତୁ ମଧୁବାବୁ! ଆଉ ଗୋଟିଏ ପଦ ବି ଜାତି ନାଁରେ ବିଷ ଓଗାଳନ୍ତୁ ନାହିଁ! (ଆଲୋକ ଆଡ଼କୁ ଚାହିଁ, ଆଖିରେ ଲୁହ) ଆଲୋକ... ମୋତେ କ୍ଷମା କରିଦେ ଭାଇ! ମୁଁ ଜାଣିନଥିଲିରେ... ମୁଁ ସତରେ କିଛି ଜାଣିନଥିଲି! ମୋ ବାହାଘର ଦିନ ମୋ ପଛପଟେ ମୋ ବାପାଙ୍କକୁ ନେଇ ଆପଣ ଏତେ ବଡ଼ ଅପମାନର ଚକ୍ରାନ୍ତ କରିଥିଲେ ବୋଲି ମୁଁ ଜାଣିଲା ବେଳକୁ ତୁ ଗାଁରୁ ଫେରି ସାରିଥିଲୁ। ମୋର ସେହି ନିରୀହ ଅଜ୍ଞତା ତୋତେ ଏତେ ବଡ଼ ଆଘାତ ଦେଲା? କିନ୍ତୁ ଆଜି ମୁଁ ସବୁ ସତ ଜାଣିସାରିଛି!"
ମଧୁବାବୁ (ଲାଠି ଠୁକି, ଲାଲ୍ ଆଖି କରି): "ସତ୍ୟଜିତ! ଜାଣିଛୁ ତୁ କାହା ସାମ୍ନାରେ ଠିଆ ହୋଇଛୁ? ଗାଁ ସମାଜର ନିୟମ ଭାଙ୍ଗି ଏମିତି ଗୋଟେ ଅନୁସୂଚିତ ଜାତିର ବାହାଘର ମଣ୍ଡପକୁ ଆସିବା ଅପରାଧ! ସେଦିନ ତୋ ବାପା ଆମ ଆଗରେ ଭୁଲ୍ ମାଗିଥିଲେ ବୋଲି ତୁମ ପରିବାର ଗାଁରେ ବଞ୍ଚିଛି। ଆଜି ଯଦି ତୁ ଏଇଠି ଠିଆ ହେବୁ, ଆମେ ତୁମ ପୁରା ବଂଶକୁ ସମାଜରୁ ବାହାର କରିଦେବୁ!"

ମଧୁବାବୁଙ୍କ ଏହି ଅହଂକାରୀ କଥା ସ୍କୁଲ ସମୟରୁ ଆଲୋକ ସହ ଥିବା ତାଙ୍କର ଶତ୍ରୁତାର ପ୍ରତିଫଳନ ଥିଲା। ଏହା ଶୁଣି ସତ୍ୟଜିତର ବାପା ରାଗରେ ସିଂହ ଭଳି ଆଗକୁ ଆସିଲେ ଏବଂ ମଧୁବାବୁଙ୍କ ସାମ୍ନାରେ ପାଚେରୀ ଭଳି ଠିଆ ହୋଇ ଚିତ୍କାର କଲେ।
ସତ୍ୟଜିତର ବାପା (ବଜ୍ର ଗମ୍ଭୀର ସ୍ୱରରେ): "ବାଛନ୍ଦ କରିବେ? କାହାକୁ ବାଛନ୍ଦ କରିବେ ମଧୁବାବୁ? ସେଦିନ ମୋ ପୁଅର ବାହାଘର ଭାଙ୍ଗିଯିବା ଭୟରେ ମୁଁ ଚୁପ୍ ଥିଲି। ଆପଣ ନିଜ ସ୍କୁଲର ବ୍ୟକ୍ତିଗତ ପ୍ରତିଶୋଧ ନେବା ପାଇଁ ଜାତି ନାଁରେ ମୋତେ ବ୍ୟବହାର କରି ମୋ ସାମ୍ନାରେ ଭୁଲ୍ ମଗାଇଥିଲେ। କିନ୍ତୁ ଆଜି ମୋ ପୁଅ ମୋତେ ଡରପୋକ ସମାଜର ନିୟମ ଭାଙ୍ଗିବାକୁ ସାହସ ଦେଇଛି!"
ମଧୁବାବୁ (ପଛକୁ ହଟି, ଧମକାଇ): "ଦାସବାବୁ! ଆପଣ ନିଜ ଜାତି ଓ କୁଳ-ମର୍ଯ୍ୟାଦା ହରାଉଛନ୍ତି!"
ସତ୍ୟଜିତର ବାପା (ନିଜ ଉତ୍ତରୀୟ କାଢ଼ି ତଳେ ପକାଇ): "ଯେଉଁ ସମାଜର ମର୍ଯ୍ୟାଦା ଦୁଇଟି ନିଷ୍ପାପ ବନ୍ଧୁଙ୍କ ପବିତ୍ର ରକ୍ତରେ ଲିଖିତ ସମ୍ପର୍କ ଭିତରେ ବିଷ ଗୋଳେ, ସେ ସମାଜର କୁତ୍ସିତ ନିୟମକୁ ମୁଁ ଆଜି ଏଇଠି ଗୋଇଠା ମାରୁଛି! ମୁଁ ଆଜି ସାରା ଗାଁ ସାମ୍ନାରେ ଛାତି ଫୁଲାଇ କହୁଛି—ଆଲୋକ ମୋ ପୁଅ! ତା’ ବାହାଘରର ସବୁ କାମ ମୁଁ ନିଜେ କରିବି, ଦେଖିବା କେଉଁ ସମାଜର ସାହସ ଅଛି ଆମକୁ ଅଟକାଇବ!"
ସତ୍ୟଜିତ ସିଧା ଯାଇ ଆଲୋକକୁ ମଣ୍ଡପରୁ ଉଠାଇ ଜାବୁଡ଼ି ଧରିଲା। ଦୁଇ ବନ୍ଧୁଙ୍କ ଆଖିରୁ ଲୁହ ଝରୁଥିଲା। ଗାଁର ସବୁ ଯୁବକମାନେ ଏକାଠି ହୋଇ ମଧୁବାବୁଙ୍କୁ ଘେରି ଗଲେ ଏବଂ ଚିତ୍କାର କଲେ, "ବାହାରି ଯାଆନ୍ତୁ ମଧୁବାବୁ! ଆମ ଚିରାପଲ୍ଲୀ ଗାଁରେ ଆପଣଙ୍କ ଏହି ଜାତିଆଣ ବିଷ ଆଉ ଚଳିବ ନାହିଁ!" మଧୁବାବୁ ଏବଂ ତାଙ୍କ ଚାମଚାମାନେ ଭୟ ଓ ଅପମାନରେ ମୁଣ୍ଡ ପୋତି ଚୁପଚାପ୍ ସେଠାରୁ ଖସିଗଲେ। ଗାଁ ଲୋକମାନେ ତାଳି ମାରି ଉତ୍ସବ ମନାଇଲେ।
ମୁଁ ଆଖିରୁ ଲୁହ ପୋଛି, ଜୋର୍ରେ ହସି ମଣ୍ଡପ ଉପରକୁ ଦୌଡ଼ିଗଲି ଏବଂ ଦୁଇ ବନ୍ଧୁଙ୍କୁ ନିଜ ବାହୁପାଶକୁ ନେଲି।
ମୁଁ (ଶେଖର - ଉତ୍ସାହର ସହ): "ବାଃ ସତ୍ୟ! ବାଃ ଆଲୋକ! ବାଲେଶ୍ୱରରୁ ବରଗଡ଼କୁ ଆସିବା ମୋର ଆଜି ସାର୍ଥକ ହୋଇଗଲା। ଗଣିତର ଅଧ୍ୟାପକ ହୋଇ ମୁଁ ଭାବୁଥିଲି ଏ ସମାଜର ଜାତିଆଣ ସୂତ୍ର ବହୁତ ଜଟିଳ, କିନ୍ତୁ ଆଜି ତୁମ ଦୁହିଁଙ୍କ ବନ୍ଧୁତା ସେହି ସୂତ୍ରକୁ ଧୂଳିସାତ୍ କରିଦେଲା!"
ଆଲୋକ (ସତ୍ୟର ହାତ ଧରି): "ଶେଖର! ଦେଖିଲୁ ତ, ଆମ ସତ୍ୟ ଆଜି ଜାତିର ସେହି ଅନ୍ଧ ଚକ୍ରାନ୍ତକୁ କେମିତି ଚୂରମାର୍ କରି ମୋ ପାଖକୁ ଚାଲିଆସିଲା! ଆଜି ମୋ ସ୍ୱାଭିମାନ ଜିତିଗଲା ଭାଇ।"
ସତ୍ୟଜିତ: "ଶେଖର, ଆଜି ମୋ ଛାତିରୁ ଏକ ବଡ଼ ପାଷାଣ ବୋଝ ଓହ୍ଲାଇଗଲା। ସେଦିନ ଅଜାଣତରେ ହେଉ ପଛେ ମୋର ଚୁପ୍ ରହିବାଟା ମୋତେ ମାରିଦେଉଥିଲା। ଆଜି ମୋ ଭାଇର ହାତ ଧରି ମୁଁ ସମାଜକୁ ଦେଖେଇ ଦେଲି ଯେ, ବନ୍ଧୁତା ସବୁଠୁ ଉପରେ।"
ମୁଁ ଦୁହିଁଙ୍କୁ ଚାହିଁଲି। ଆଲୋକ ଆଉ ସତ୍ୟଜିତଙ୍କ କାହାଣୀରେ ତ ଆଜି ଜାତିର ପାଚେରୀ ଭାଙ୍ଗିଗଲା। ଯେଉଁଠି ଦିନେ ମୋ ବାନ୍ଧବୀ ସନ୍ଧ୍ୟା ଆଉ ସୁନିତାର ବନ୍ଧୁତା ଜାତିର ଅନ୍ଧ ନିୟମ ଆଗରେ ହାରିଯାଇଥିଲା, ଆଜି ସେହି କୁତ୍ସିତ ଇତିହାସକୁ ବଦଳାଇ ଆଲୋକ ଆଉ ସତ୍ୟର ପବିତ୍ର ସମ୍ପର୍କ ଜିତିଯାଇଥିଲା। ଆଜି ଏହି ମଣ୍ଡପରେ କୌଣସି ଜାତି ନୁହେଁ, ବରଗଡ଼ର ଏହି ମାଟିରେ ଏକ ନୂଆ ମଣିଷପଣିଆର ଜନ୍ମ ହୋଇଥିଲା। ଆମେ ତିନି ବନ୍ଧୁ ପରସ୍ପରର ହାତ ଉପରେ ହାତ ରଖି ଜୋର୍ରେ ହସିଲୁ।


ଏଠି ସବୁକିଛି ଠିକ୍ ହୋଇଗଲା ସତ... କିନ୍ତୁ, ସମାଜର ଏହି କୁତ୍ସିତ ରୂପ କଣ କେବଳ ଏତିକିରେ ସରିଯାଏ? ନା! ଜାତିଆଣ ପ୍ରଥାର ଏହି ବିଷାକ୍ତ ଚେର ଆମ ସମାଜର ମାଟିରେ ବହୁତ ଗଭୀରକୁ ଚାଲିଯାଇଛି।
ଚିରାପଲ୍ଲୀର ଏହି ବିଜୟର ଉତ୍ସବ ଭିତରେ ବି ମୋ ମନ ଭିତରେ ଗୋଟିଏ ପ୍ରଶ୍ନ ବାରମ୍ବାର କାଠଗଡ଼ାରେ ଠିଆ ହେଉଛି। ମୋର ଆଉ ଜଣେ ଅତି ପ୍ରିୟ ବାନ୍ଧବୀ... ସଞ୍ଜୁକ୍ତା! ସେ ଜଣେ ପୁଅକୁ ନିଜ ଜୀବନଠାରୁ ଅଧିକ ଭଲ ପାଏ। କୌଣସି ଦିନେ କି ଦୁଇ ଦିନର ନୁହେଁ... ହାଇସ୍କୁଲ ଦିନରୁ ଦୀର୍ଘ ୧୨ ବର୍ଷର ନିବିଡ଼ ପ୍ରେମ ସେମାନଙ୍କର! ଦୀର୍ଘ ୧୨ ବର୍ଷର ସେହି ପବିତ୍ର ପ୍ରେମ କଣ ହାର୍ ମାନିଯିବ ଏହି କୁତ୍ସିତ, ନିର୍ଦ୍ଦୟ ଆଉ ଲୁଣ୍ଠିତ ସମାଜ ଆଗରେ? ସେହି ଜାତିର ପାଚେରୀ କଣ ଆଜି ତା’ର ସବୁ ସ୍ୱପ୍ନକୁ ଚୂରମାର୍ କରିଦେବ? ନା ସଞ୍ଜୁକ୍ତା ତାର ପ୍ରେମର ସାହସରେ ନିଜ ବାପା-ମାଆଙ୍କୁ ମନେଇ, ସମାଜର ଆଖିରେ ଆଖି ମିଶାଇ ଜିତେଇ ଦେବ ତାର ୧୨ ବର୍ଷର ସେହି ନିଷ୍ପାପ ଭଲପାଇବାକୁ?
ସମାଜର ଆଗାମୀ ଅଧ୍ୟାୟରେ କଣ ଶୁଣିବାକୁ ମିଳିବ? ପ୍ରେମର ବିଜୟର ଶଙ୍ଖଧ୍ୱନି... ନା ଜାତିପ୍ରଥାର ଅନ୍ଧକାର ଭିତରେ ଆଉ ଏକ ନିଷ୍ପାପ ପ୍ରେମର ଆତ୍ମହୁତି? କଣ ହେବ ସଞ୍ଜୁକ୍ତାର ଭାଗ୍ୟ...??
-- କ୍ରମଶଃ --

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!