ନମ୍ରତାର ଅମର ଗାଥା
ଶୁଭକାନ୍ତ ବେହେରା (ନାଉଗାଁ, ଜଗତସିଂହପୁର)
ମାଟି ଯେତେ ନମ୍ର ହୁଏ,
ସେତେ ଦିଏ ଜୀବନର ଫଳ,
ଅହଂକାରୀ ପାହାଡ଼ ଥିଲେ ବି,
ଶୂନ୍ୟ ରହେ ତା'ର କୋଳ।
ବିନମ୍ରତା ନୁହେଁ ଦୁର୍ବଳତା,
ଏହା ମଣିଷତ୍ୱର ଅଳଙ୍କାର,
ନୀରବ ହୋଇ ଯେ ଜିତି ନିଏ ହୃଦୟ,
ସେହି ହିଁ ସତ୍ୟ ମହାନ।
ମୁହଁରେ ହସ, ଓଠରେ ପ୍ରଶଂସା,
ହାତରେ ମିଥ୍ୟା ସମ୍ମାନ,
କିନ୍ତୁ ହୃଦୟ ଭିତରେ ଲୁଚିଥାଏ
ଈର୍ଷାର ଅଦୃଶ୍ୟ ଝଡ଼।
ଏ କି ସମ୍ମାନ?
ନା କେବଳ ଚକଚକ କରୁଥିବା ମୁଖା?
ପ୍ଲାଷ୍ଟିକ ଫୁଲ ପରି ଯାହାର ରଙ୍ଗ ଅଛି,
କିନ୍ତୁ ନାହିଁ ଆତ୍ମାର ସୁଗନ୍ଧ।
ଯେ ମଣିଷ ଗରିବର ଲୁହ ବୁଝେ,
ଛୋଟକୁ ଦିଏ ବଡ଼ର ସ୍ଥାନ,
ପରାଜୟରେ ବି ଯେ ହସି କହେ—
"ମଣିଷ ହେବା ହିଁ ମୋର ପରିଚୟ",
ସେହି ପାଏ ଯୁଗର ସମ୍ମାନ।
ଆଜି ମଣିଷ ଖୋଜୁଛି ତାଳି,
ଖୋଜୁଛି ମିଥ୍ୟା ପ୍ରଶଂସାର ଫୁଲ,
କିନ୍ତୁ ଭୁଲିଯାଉଛି
ହୃଦୟରୁ ଦିଆ ଗୋଟିଏ ସମ୍ମାନ
ହଜାର ମୁଖର ଅଭିନୟଠାରୁ ମୂଲ୍ୟବାନ।
ସମୟର ଆଇନା ଦିନେ ଦେଖାଇବ,
କିଏ ଥିଲା ସତ୍ୟ, କିଏ ଥିଲା ମୁଖା,
ପ୍ଲାଷ୍ଟିକ ସମ୍ମାନ ଭାଙ୍ଗିଯିବ ଦିନେ,
କିନ୍ତୁ ବିନମ୍ରତା ରହିବ ଚିରକାଳ ଅମର ଗାଥା।
ହେ ମଣିଷ! ଉଚ୍ଚ ହେବାକୁ ଚାହୁଁଥିଲେ,
ପ୍ରଥମେ ଶିଖ ନମିବାର କଳା,
କାରଣ ନମ୍ର ହୃଦୟର ଆଲୋକରେ ହିଁ
ଜିତିଥାଏ ସାରା ମାନବତା।

