ହଁ ମୁଁ ସେଇ ଝିଅ
ନାମ -ସରୋଜିନୀ ନାୟକ (ଠିକଣା - ଜଟଣୀ, ଖୋର୍ଦ୍ଧା )
ଯିଏ ଛୋଟ ବେଳୁ ଗାଁର ବର୍ଷାଭିଜା ମାଟିରେ ବଢ଼ିଛି,
କାଦୁଅ ପଥରରେ ଚାଲି ଚାଲି
ଜୀବନର ରାସ୍ତା ଶିଖିଛି,
ପ୍ରତ୍ୟେକ ଧୂଳିରେ ନିଜ କାହାଣୀ ଲେଖିଛି। (୧)
ହଁ ମୁଁ ସେଇ ଝିଅ -
ଯିଏ ଛୋଟ ଛୋଟ କଥାରେ ମୁହଁ ଫୁଲେଇ ବସେ
କିନ୍ତୁ ସେହି ମୁହଁ ପଛରେ
ଅନେକ ନୀରବତା ଲୁଚି ରହିଛି।(୨)
ହଁ ମୁଁ ସେଇ ଝିଅ -
ଯାହାର ଜୀବନରେ ସବୁ କିଛି ଥିଲେ ମଧ୍ୟ
କିଛି ଅଧୁରା ରହିଯାଇଛି,
ରାତିର ନୀରବତାରେ କାନ୍ଦି ନେଇ
ସକାଳେ ପୁଣି ହସିବା ଶିଖିଛି।(୩)
ହଁ ମୁଁ ସେଇ ଝିଅ -
ଯିଏ ଘରର ଇଜ୍ଜତ କୁ ସମ୍ମାନ ଦେଇ
ନିଜ ପ୍ରେମକୁ ବଳି ଦେଇଛି,
ଭଙ୍ଗିପଡ଼ିଲେ ମଧ୍ୟ ହାରିନି
ପୁଣି ନୂଆ ଭାବେ ଜୀବନ ଆରମ୍ଭ କରିଛି।(୪)
ହଁ ମୁଁ ସେଇ ଝିଅ -
ଯିଏ ନିଜ ଦୁଃଖକୁ ଗୀତ କରି
ଜୀବନକୁ ହସି ହସି ଜୀଉଛି,
ମନର କଥା କହିପାରେ ନାହିଁ କାହା ଆଗରେ
କିନ୍ତୁ ମନରେ ଅନେକ ଯନ୍ତ୍ରଣା ଗଳ୍ପ ପରି ଲୁଚି ରହିଛି।(୫)
ହଁ ମୁଁ ସେଇ ଝିଅ -
ଯିଏ ଭୁବନେଶ୍ୱର ର ଗଳିକନ୍ଦି ରେ ବାଟ ଭୁଲିଯାଏ,
ଯାହାକୁ ବାସି ପଖାଳର ବାସ୍ନା ଭଲ ଲାଗେ।
ଯିଏ ସ୍ୱପ୍ନ ଦେଖେ ଆକାଶ ଛୁଇଁବା ପାଇଁ
ମାତ୍ର ସବୁ ସ୍ବପ୍ନ ବର୍ଷାର କାଗଜ ଡ଼ଙ୍ଗା ପରି ବତୁରିଯାଏ।(୬)
ହଁ ମୁଁ ସେଇ ଝିଅ -
ଯିଏ ସମସ୍ତଙ୍କୁ ଆପଣାର କରିପାରେ
କିନ୍ତୁ କେହି ମୋତେ ଆପଣାର କରି ପାରନ୍ତି ନାହିଁ,
ଯିଏ ଛୋଟ ଛୋଟ ଖୁସିରେ ବିଭୋର ହୋଇଯାଏ,
ଯିଏ ଆଜି ଯାଏଁ ସିନେମାହଲ୍ ର ଚାରି କାନ୍ଥକୁ ଦେଖିନାହିଁ,
ପିଲାବେଳ ର ନଡିଆ ମଲେଇ ପାଇଁ କେତେ ଯେ ଅଳି କରିଛି।(୭)
ହଁ ମୁଁ ସେଇ ସରଳ, ଗାଉଁଲି, ସାଧାରଣ ଝିଅ -
ଯିଏ ନିଜର ପଥ ନିଜେ ଗଢୁଛି,
ଧୀରେ ଧୀରେ ଆଗକୁ ଯିବାର ଲକ୍ଷ୍ୟ ରଖିଛି।(୮)
ହଁ ମୁଁ ସେଇ ଝିଅ -
ଯିଏ ମାଆର ଆଖିରେ ସ୍ଵପ୍ନ ଦେଖେ
ବାପାଙ୍କ ଆଶୀର୍ବାଦ ରେ ଶକ୍ତି ପାଏ
ପରିବାରର ଖୁସି ପାଇଁ ନିଜ ଇଚ୍ଛାକୁ ନୀରବ କରିଦିଏ।(୯)
ହିଁ ମୁଁ ସେଇ ଝିଅ -
ଯିଏ ସମୟ ସ୍ରୋତରେ ବଦଳିଛି
ତଥାପି ମନରେ ସରଳତାକୁ ହରାଇନି
ହଜାରେ ଝଡ଼ ଆସିଲେ ମଧ୍ୟ
ଆଶାର ଦ୍ୱୀପକୁ ଲିଭିବାକୁ ଦେଇନି।(୧୦)

