ଦୁନିଆରେ କୁହନ୍ତି, ଜନ୍ମ ହେବା ପରେ ପ୍ରତିଟି ଶିଶୁ ନିଜ ମା’ର କୋଳରେ ଆଶ୍ରୟ ପାଏ। ସେଇ କୋଳ ହିଁ ତାର ସ୍ୱର୍ଗ, ସେଇ ସ୍ନେହ ହିଁ ତାର ସବୁଠୁ ବଡ଼ ସୁରକ୍ଷା। କିନ୍ତୁ ମୋ କପାଳର ଲେଖା ବୋଧହୁଏ ବିଧାତା ଭିନ୍ନ କାଳିରେ ଲେଖିଥିଲା। ମୁଁ ସେହି ଅଭାଗା ପୁଅ, ଯିଏ ଏ ଦୁନିଆକୁ ଆଖି ଖୋଲି ଚାହିଁବା ବେଳକୁ ନିଜ ମା’କୁ ସବୁଦିନ ପାଇଁ ହରାଇ ସାରିଥିଲା।
ମା’ର ସ୍ନେହ କେମିତି ଥାଏ, ମା’ର ଡାକ କେତେ ମିଠା— ତାହା ଜାଣିବା ତ ବହୁତ ଦୂରର କଥା; ଆଜି ପର୍ଯ୍ୟନ୍ତ ନିଜ ମା’ର ଗୋଟିଏ ଫଟୋ କି ଚେହେରା ବି ଦେଖିବାର ଭାଗ୍ୟ ମୋର ହୋଇନାହିଁ। ମନେ ମନେ କେବଳ ଗୋଟିଏ ଅସ୍ପଷ୍ଟ ଛାଇ ଆଙ୍କି ମୁଁ ତାକୁ ଝୁରିହୁଏ। କିଛି ବର୍ଷ ପରେ ବାପା ବି ସବୁଦିନ ପାଇଁ ଆଖି ବୁଜିଦେଲେ। ପରିବାର ବୋଲି ରକ୍ତର ସମ୍ପର୍କ ଥାଇ ମଧ୍ୟ ମୋତେ ଅନ୍ୟର ଘରେ, ଅନ୍ୟର ଦୟାରେ ମୁଣ୍ଡ ଗୁଞ୍ଜି ବଢ଼ିବାକୁ ପଡ଼ିଲା।
ତିନି ତିନିଟା ଭଉଣୀ ଥାଇ ବି ରାକ୍ଷୀ ପୂର୍ଣ୍ଣିମାରେ ମୋ ହାତ ଚିରଦିନ ଶୂନ୍ୟ ରହିଗଲା। ପର୍ବପର୍ବାଣୀରେ ଯେତେବେଳେ ଚାରିଆଡ଼େ ଖୁସିର ଲହରୀ ଖେଳେ, ମୁଁ ସେତେବେଳେ କୋଣଟିଏ ଖୋଜି ନିଜକୁ ଲୁଚାଇ ରଖେ। ନିଜର ବୋଲି ଭିଟାମାଟି ଥାଇ ମଧ୍ୟ ଆଜି ମୁଁ ଭଡ଼ା ଘରର ଚାରି କାନ୍ଥ ମଝିରେ ଏକାକୀ, ଠିକ୍ ଜଣେ ଅନାଥ ଭଳି ଦିନ କାଟୁଛି।
ଲୋକେ କହନ୍ତି, ନିଜର ଦୁଃଖ ଅନ୍ୟ ଆଗରେ କହିଲେ ମନ ହାଲୁକା ହୁଏ। କିନ୍ତୁ ଯାହାର କଥା ଶୁଣିବାକୁ କେହି ନାହିଁ, ସେ କାହା ଆଗରେ ମନ ଖୋଲିବ? ଯେତେବେଳେ ଅତୀତର ସ୍ମୃତି ଆଖି ଆଗରେ ଭାସିଉଠେ, ଛାତି ଫାଟିଯାଏ। କେହି ନାହାନ୍ତି ପିଠିରେ ହାତ ରଖି କହିବାକୁ ଯେ— "ତୁ ଏକା ନୁହଁରେ, ଆମେ ତୋ ସାଥୀରେ ଅଛୁ।"
ସବୁଠୁ ବେଶୀ ଡର ସେତେବେଳେ ଲାଗେ, ଯେତେବେଳେ ଭାବେ— "ଯଦି ଆଜି ମୋର କିଛି ହୋଇଯାଏ, ତେବେ ମୋ ସାନଭାଇର କ'ଣ ହେବ?" ସେହି ଗୋଟିଏ ଭୟ ମୋତେ ହାରିବାକୁ ଦିଏନାହିଁ।
ମୁଁ ମୋ ଜୀବନରେ ଜାଣିଶୁଣି କେବେ କାହା ମନରେ ଦୁଃଖ ଦେଇନାହିଁ। କାହାର ଦୁଃଖର କାରଣ ହେବା ପୂର୍ବରୁ ଅନ୍ୟର ସବୁ ଦୋଷ ନିଜ ମୁଣ୍ଡକୁ ନେଇ ନିରବରେ ଚାଲିଆସିଛି। ଯାହାକୁ ଭାଇ, ଭଉଣୀ, ସାଙ୍ଗ ବା ପରିବାର ଭାବି ଆପଣେଇ ନେଲି, ସେ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ନିଜର ସବୁ ସୁଖ ଜଳାଞ୍ଜଳି ଦେଲି। କିନ୍ତୁ ଏ ଦୁନିଆର ରୀତି ବଡ଼ ନିଷ୍ଠୁର— ଯିଏ ନିଃସ୍ୱାର୍ଥପର ଭାବେ ଛିଡ଼ା ହୁଏ, ଲୋକେ ତାକୁ ପାଦ ତଳେ ଦଳି ଚାଲିଯାଆନ୍ତି; ଆଉ ଯିଏ ପ୍ରତାରଣା ଦିଏ, ଲୋକେ ତା’ର ମିଠା କଥାରେ ଭୁଲି ତା’ ପଛରେ ଗୋଡ଼ାନ୍ତି।
ରାତି ଯେତେବେଳେ ଗଭୀର ହୁଏ, ନିରବତା ମୋତେ ଘେରିଯାଏ। କୋହ ଯେତେବେଳେ ଛାତି ଫଟାଇ ବାହାରକୁ ଆସିବାକୁ ଚାହେଁ, ମୁଁ ବାଥରୁମ୍ ଭିତରକୁ ଯାଇ କବାଟ କିଳିଦିଏ। କଳ ପାଣି ଖୋଲିଦେଇ ନିଶବ୍ଦରେ କାନ୍ଦେ— ଯେମିତି ମୋ କାନ୍ଦର ଶବ୍ଦ କାହାରି କାନରେ ନ ପଡୁ। କାରଣ ଆମେ ତ ପୁଅ ପିଲା! ଏ ଦୁନିଆ ଭାବେ ପୁଅ ପିଲାଙ୍କର ବୋଧହୁଏ ହୃଦୟ ନାହିଁ, ଆଉ କାନ୍ଦିଲେ ସମାଜ ଉପହାସ ଉଡ଼ାଏ।
ଲୁହ ପୋଛି, ମୁହଁ ଧୋଇ ବିଛଣାକୁ ଆସି ଶୋଇପଡ଼େ; କାରଣ ସକାଳ ହେଲେ ପୁଣି ନିଜ ହାତରେ ରୋଷେଇ ସାରି ପେଟ ପାଇଁ କାମକୁ ଦୌଡ଼ିବାକୁ ହେବ।
ଦିନବେଳା ମୁଁ ମୁହଁରେ ଗୋଟିଏ ହସର ମୁଖା ପିନ୍ଧି ସମସ୍ତଙ୍କ ସହ ମିଶେ। କେହି ଯଦି ଭୁଲ୍ରେ ବି ପଚାରିଦିଏ— "କେମିତି ଅଛ?", ମୁଁ ସବୁ କୋହ ଛାତି ଭିତରେ ଚାପିଦେଇ ହସି ହସି କୁହେ— "ହଁ, ବହୁତ ଭଲରେ ଅଛି।" ଲୋକେ ଭାବନ୍ତି ମୋ ଭଳି ଖୁସିରେ ବୋଧହୁଏ କେହି ନାହିଁ। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ, ମୋର ଦୁଇଟି ଚେହେରା ଅଛି— ଗୋଟିଏ ଦିନର ହସିଲା ମୁହଁ, ଆଉ ଅନ୍ୟଟି ରାତିର ଲୁହଭିଜା ଅନ୍ଧାର।
ମୋର ଏହି ଏକାକୀ ଯାତ୍ରାରୁ ମୁଁ ଗୋଟିଏ ବଡ଼ ଶିକ୍ଷା ପାଇଛି— ସମ୍ପର୍କର ମୂଲ୍ୟ କେବଳ ସେହି ବୁଝେ ଯାହାର ସମ୍ପର୍କ ନାହିଁ, ରାକ୍ଷୀର ମୂଲ୍ୟ ସେହି ବୁଝେ ଯାହାର ହାତ ଖାଲି ପଡ଼ିଛି, ଆଉ ବାପା-ମା’ଙ୍କର ମୂଲ୍ୟ ସେହି ବୁଝେ ଯାହାର ମୁଣ୍ଡ ଉପରେ କାହାର ହାତ ନାହିଁ।
ଶେଷରେ ଏତିକି କହିବି— ଯଦି ଆପଣଙ୍କ ଜୀବନରେ ଏମିତି କେହି ଜଣେ ଅଛି, ଯିଏ କୌଣସି ସ୍ୱାର୍ଥ ନ ରଖି ଆପଣଙ୍କ ଟିକିଏ ହସ ପାଇଁ ନିଜର ସବୁକିଛି ତ୍ୟାଗ କରିଦିଏ, ତେବେ ତାକୁ କେବେ ନିଜଠାରୁ ଦୂରେଇ ଦିଅନ୍ତୁ ନାହିଁ। କାରଣ ଏ ସ୍ୱାର୍ଥପର ଦୁନିଆରେ ନିଃସ୍ୱାର୍ଥପର ଭଲପାଇବା ବହୁତ କଷ୍ଟରେ ମିଳେ।
ଅମିତ ନାଏକ
ବରପାଲି, ବରଗଡ଼