ବିକାଶ ନାଁରେ ଠେଙ୍ଗା ଦେଖାଇଲେ
ଜନତା ହେ ବସି ଦେଖ,
ଆଖୁ କିଆରୀକୁ ପଶିଗଲେ ଚୋର
ଇଥାନଲ ପିଆ ଜୋକ ||୧
ଚାଳିଶ ଟଙ୍କାରେ ମିଳୁଥିଲା ଚିନି
ସତୁରି ଟଙ୍କା ହେ ଆଜି,
ମିଠା ଖାଇବା ଯେ ସ୍ୱପନ ହେଲା
କେମିତି ବାନ୍ଧିବା ରାକ୍ଷୀ ||୨
ଚାଳିଶ ଟଙ୍କାର ପିଆଜ ଯେ ଆଜି
ପଚାଶ ଛୁଇଁଲା ପୁଣି,
ଗରିବ ବିଚରା କି ପକୁଡି ଖାଇବ
ଲୁହ ତା' ହେଉଛି ଗଣି ||୩
ପରିବା ବିନା ଏ ରୋଷେଇଘରଟି
ଶୂନ୍ୟତାର ଗୀତ ଗାଏ,
ବଢ଼ି ବଢ଼ି ଚାଲେ ଖର୍ଚ୍ଚର ଆବେଗ
କମୁନାହିଁ ଦର ପ୍ରାୟେ ||୪
ପଞ୍ଚାୟତ ଦେଲା ମାଗଣା ଚାଉଳ
ଗରିବ ଚୂଲି ଜଳୁଛି,
ମାଗଣା ନାଁରେ କି ଖେଳ ଖେଳିଛି
ନିତି ସେ ଚିନ୍ତା ମାରୁଛି ।|୫
ସୋରିଷ ତେଲରେ ମାଉଁସ ବାସନା
ଆଉ ଯେ କାହିଁ ମିଳୁନି,
ଲିଟର ପିଛା ଶୁଣେ ଦୁଇଶ ହେଲାଣି
ଆହାଃ କି ଦୁଃଖ କାହାଣୀ ||୬
ଡାଲି, ତେଲ ଠାରୁ ନିତ୍ୟ ସାମଗ୍ରୀ
ସବୁରି ଚଢିଲା ଦର,
ମାସିକ ବଜାର କରିନାହିଁ ଭୋଳା
କେମିତି ଚଳିବ ସଂସାର? ||୭
ଆଳୁ, ଟମାଟୋ ପୋଡ଼ିବାକୁ ଆଉ
ମନ କି ଅବା ହେଉଛି,
ଦରମା ଯେତିକି ଏ ଖର୍ଚ୍ଚ ସେତିକି
ଲୁଚି ଲୁଚି ବସି କାନ୍ଦୁଛି ||୮
ସାଧାରଣ ଲୋକଙ୍କୁ ପୁଣି କେବେ
ଆଶ୍ୱାସ ମିଳିବ ଅବା,
ଜନତା ମୁହଁ ଆଜି ନାହିଁ ହସହସ
ଶାସକ ଦେଖାଏ ଜ୍ୱିହା ||୯
ନାମ - ସୌରଭ ମିଶ୍ର
ଜିଲ୍ଲା - କଳାହାଣ୍ଡି