ପବନର ଦୁଷ୍ଟାମୀରେ ଯେବେ ଅଲରା କେଶ ତୁମର ମୁହଁକୁ ଯାଇ ଢାଙ୍କିଦିଏ,
କେଶର ସେଇ ଫାଙ୍କରୁ ଝଲସି ଉଠେ ତୁମ ମୁହଁ; ଯେମିତି ମେଘ ଫାଙ୍କରୁ ଜହ୍ନ ଲୁଚି ଲୁଚି ହସେ।
ଅଲରା କେଶର ସେଇ ଫାଙ୍କରେ
ଯେବେ ତୁମ ଆଖି ମୋତେ ଖୋଜେ, କେଜାଣି କାହିଁକି ସମୟ ସେଇଠି ଅଟକିଯାଏ,
ପବନ ନିରବ ହୋଇଯାଏ,
ଆଉ ମୋ ହୃଦୟ; ତୁମ ଚାହାଣୀରେ ନିଜକୁ ହଜାଇ ବସେ।
ତୁମ ଅଲରା କେଶ
ମୋ ପାଇଁ କେବଳ କେଶ ନୁହେଁ,
ସେ ତ ଏକ ଅଧାଲେଖା କବିତା,
ଯାହାର ପ୍ରତିଟି ଫାଙ୍କରେ ତୁମ ସୌନ୍ଦର୍ଯ୍ୟର ଅକ୍ଷର ଆଉ ମୋ ହୃଦୟର ନିରବ ଭାବନା ଲେଖା ଅଛି।
ସତ କହୁଛି;
ସେଇ ଚାହାଣୀ ମୋତେ ପ୍ରତିଥର ମାରିଦିଏ, ତଥାପି ମୁଁ ଚାହେଁ ପବନ ଆଉ ଟିକେ ବହୁ,
ତୁମ କେଶ ଆଉ ଟିକେ ଉଡୁ, ଆଉ ସେଇ ଫାଙ୍କରୁ ତୁମ ଆଖି
ମୋତେ ଆଉ ଥରେ ମାରିଦେଉ...
ଅଭିମନ୍ୟୁ ପାତ୍ର
ଗୋପ, ପୁରୀ