ପ୍ରେମିକାକୁ ସ୍ତ୍ରୀ କରିବାର ସ୍ୱପ୍ନ ପ୍ରାୟ ପ୍ରତ୍ୟେକ ପୁରୁଷର ହୃଦୟରେ ଜନ୍ମ ନିଏ,
କିନ୍ତୁ ସ୍ତ୍ରୀକୁ ପ୍ରେମିକା ପରି
ସାରାଜୀବନ ହୃଦୟରେ ସଜାଇ ରଖିବାର ସାଧନା କେତେଜଣ କରନ୍ତି?
ସମସ୍ତ ପ୍ରେମ ବିବାହ ପୂର୍ବରୁ ଆରମ୍ଭ ହୁଏନି।
କେତେକ ସମ୍ପର୍କ ଅଗ୍ନିକୁ ସାକ୍ଷୀ ରଖି ଆରମ୍ଭ ହୁଏ,
ଆଉ ସମୟ ସହ ପ୍ରେମର ଅର୍ଥ ଶିଖିଯାଏ।
ବିବାହର ଅଗ୍ନିକୁ ସାକ୍ଷୀ ରଖି
ଯେଉଁ ହାତ ଧରାଯାଏ,
ସେହି ହାତକୁ ସମୟର ସ୍ରୋତରେ କେବଳ ଦାୟିତ୍ୱର ଶୃଙ୍ଖଳରେ ବାନ୍ଧି ଦିଆଯାଏ।
ଧୀରେ ଧୀରେ ହଜିଯାଏ;
ସେହି ଚୋରା ଚାହାଣି, ଅକାରଣ ଅଭିମାନ, ଅପେକ୍ଷାର ଅଧୀରତା, ଆଉ ଭଲପାଇବାର ନିଷ୍ପାପ ଉଚ୍ଛ୍ୱାସ।
ସେ ଘରର ଲକ୍ଷ୍ମୀ ବୋଲି ପରିଚିତ ହୁଏ,
ସନ୍ତାନର ମା' ବୋଲି ସମ୍ମାନ ପାଏ,
ପରିବାରର ଆଧାର ବୋଲି ପ୍ରଶଂସିତ ହୁଏ,
କିନ୍ତୁ କେତେଥର ସେ ନିଜ ସ୍ୱାମୀଙ୍କ ଆଖିରେ ପ୍ରଥମ ପ୍ରେମିକାର ସ୍ଥାନ ପାଏ?
ବାପା-ମା' ତୁମକୁ ଭଲ ପାଆନ୍ତି,
କାରଣ ତୁମେ ତାଙ୍କ ଜୀବନର ଅଂଶ।
ଭାଇ-ଭଉଣୀ ତୁମକୁ ଭଲ ପାଆନ୍ତି, କାରଣ ଜନ୍ମର ପ୍ରଥମ ଦିନରୁ ତୁମେ ତାଙ୍କ ସହଯାତ୍ରୀ।
ସନ୍ତାନ ତୁମକୁ ଭଲ ପାଏ,
କାରଣ ତୁମ ଛାୟାରେ
ସେ ନିଜର ପୃଥିବୀକୁ ଖୋଜି ପାଏ।
କିନ୍ତୁ... ଜଣେ ସ୍ତ୍ରୀର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ।
ନା ସେ ତୁମ ରକ୍ତର ସମ୍ପର୍କ,
ନା ସେ ତୁମ ଶୈଶବର ସାଥୀ।
ତୁମ ଜନ୍ମ ସହ ତା'ର କୌଣସି ସମ୍ପର୍କ ନଥାଏ।
ତଥାପି... ସେ ନିଜ ବାପା-ମା'ଙ୍କ ଘର ଛାଡ଼ି,
ନିଜ ପରିଚୟକୁ ପଛରେ ରଖି,
ତୁମ ଘରକୁ ନିଜ ଘର କହେ,
ତୁମ ଲୋକଙ୍କୁ ନିଜର ଲୋକ କରେ,
ତୁମ ସୁଖରେ ହସେ,
ତୁମ ଦୁଃଖରେ ଭାଙ୍ଗିପଡ଼େ।
ରକ୍ତର ସମ୍ପର୍କ ନଥାଇ ମଧ୍ୟ
ସେ ସମ୍ପର୍କର ସବୁଠାରୁ ଗଭୀର ଅର୍ଥ ଶିଖାଏ।
ପ୍ରେମିକା ପାଇଁ ସମୟର କୌଣସି ଅଭାବ ନଥାଏ,
ସ୍ତ୍ରୀ ପାଇଁ ସବୁବେଳେ ସମୟ ପରେ ସମୟ ରହିଯାଏ।
ପ୍ରେମିକାର ଗୋଟିଏ ଅଭିମାନ
ଶହେ କ୍ଷମାରେ ଭାଙ୍ଗି ଦିଆଯାଏ,
ସ୍ତ୍ରୀର ଶହେ ଲୁହ
ଅନେକବେଳେ ନିରବତାରେ ଶୁଖିଯାଏ।
ଥରେ...କୌଣସି ଉତ୍ସବର ଅପେକ୍ଷା କରନି।
କୌଣସି ବିଶେଷ ଦିନର ଆବଶ୍ୟକତା ନାହିଁ।
ଅକାରଣରେ ତା' ପାଇଁ ଗୋଟିଏ ଫୁଲ ନେଇଯାଅ,
ହଠାତ୍ ତା'ର ହାତ ଧରି କୁହ;
"ଚାଲ... ଟିକେ ବୁଲି ଆସିବା।"
ତା'କୁ ଅନୁଭବ କରାଅ,
ସେ କେବଳ ତୁମ ସଂସାରର ଦାୟିତ୍ୱ ନୁହେଁ,
ସେ ତୁମ ହୃଦୟର ସବୁଠାରୁ ପ୍ରିୟ ମଣିଷ।
କେବେ କୁହ;
"ଆଜି ବି ତୁମକୁ ଦେଖିଲେ
ମୋ ମନ ଶାନ୍ତ ହୋଇଯାଏ।"
ଦେଖିବ...ତା' ଆଖିର କୋଣରେ
ଜମି ରହିଥିବା ବର୍ଷ ବର୍ଷର ନିରବତା ଅଶ୍ରୁ ହୋଇ ଝରିପଡ଼ିବ।
ସେହି ଅଶ୍ରୁରେ ଥିବ ଅଭିଯୋଗ ନୁହେଁ, ପ୍ରାପ୍ତିର ତୃପ୍ତି।
ମନେରଖ...ସ୍ତ୍ରୀ କେବେ ପ୍ରେମିକା ହେବା ବନ୍ଦ କରେନି।
ବଦଳିଯାଏ କେବଳ ଆମର ଦୃଷ୍ଟି, ଆମର ବ୍ୟବହାର, ଆଉ ପ୍ରେମକୁ ପ୍ରକାଶ କରିବାର ଶୈଳୀ।
ଯେଦିନ, ସ୍ୱାମୀ ନିଜ ସ୍ତ୍ରୀଙ୍କୁ
ପୁଣି ଥରେ ପ୍ରେମିକା ପରି ଦେଖିବା ଶିଖିଯିବ,
ସେଦିନ ବିବାହ କେବଳ ଗୋଟିଏ ବନ୍ଧନ ରହିବ ନାହିଁ;
ସେ ପାଲଟିଯିବ ପ୍ରତିଦିନ ନୂଆ ହୋଇ ଜନ୍ମ ନେଉଥିବା ଏକ ଅମର ପ୍ରେମ କାହାଣୀରେ।
କାରଣ... ପ୍ରେମିକାକୁ ସ୍ତ୍ରୀ କରିବା ସହଜ ହୋଇପାରେ,
କିନ୍ତୁ ସ୍ତ୍ରୀକୁ ସାରାଜୀବନ ପ୍ରେମିକା ପରି ସମ୍ମାନ,
ସମୟ, ସ୍ନେହ ଓ ଭଲପାଇବା ଦେଇ ରଖିବା;
ସେଇଟା ହିଁ ପ୍ରକୃତ ପ୍ରେମର ସର୍ବୋଚ୍ଚ ସାଧନା।
ଅଭିମନ୍ୟୁ ପାତ୍ର
ଗୋପ, ପୁରୀ
ମୋ - ୮୨୪୯୦୮୯୮୧୩