****ବିଶ୍ୱାସ ଘାତକ ****
ଅଣ୍ଟି ଛୁରୀ ଏଠି କାଟୁଥାଏ ତଣ୍ଟି
ସୁବିଧା ସୁଯୋଗ ପାଇ,
ଘର ଢ଼ିଙ୍କି ଯଦି କୁମ୍ଭୀର ହୋଇବ
କାହାକୁ କହିବ ଯାଇ..
ଫୁଲ ମାଳ ଯଦି କାଳ ନାଗ ହୁଏ
କାହାକୁ ବା ଦବ ଦୋଷ,
ଚପଲ ଯଦି ବା ପାଦ ଫୁଟାଇଲା
ଖାଲି ଯାହା ଅବସୋସ..
ବାଡ଼ ଖାଇଗଲା ଫସଲକୁ ଯଦି
କାହା ଆଗେ ଯିବ ଗାଇ,
କପାଳରେ କର ମାରି ବସିଥିବ
ହିଂସ୍ର ହେଲେ ପୋଷା ଗାଈ.
କାଠ ହାଣୁଥାଏ କାଠକୁ ଯତନେ
କୁରାଢ଼ୀ ପଛରେ ଥାଇ,
ଲୁହା ଛେଚୁଥାଏ ଲୁହାକୁ ନିଇତି
ହାତୁଡ଼ି ର ନାମ ନେଇ...
ନିଜ ଗୁପ୍ତ ତଥ୍ୟ ଅନ୍ୟକୁ ଜଣାଇ
ଘର ଭାଙ୍ଗୁଥାଏ ଭାଇ,
ମନରୁ ବିଶ୍ୱାସ ମରି ଯାଇଥାଏ
ଧୋକା ଦେଲେ ନିଜ ଛାଇ...
ଖାଦ୍ୟ ଦ୍ୱାରା ଯଦି ରୋଗ ଉପୁଜଇ
କ୍ରମଶଃ ସରଇ ଆୟୁ,
ନିଶ୍ୱାସ ଟା ଯଦି ଧୋକା ଦେଲା କେବେ
ଉଡ଼ିଯାଏ ପ୍ରାଣ ବାୟୁ..
ସୁଖ ଶାନ୍ତି ଶୁଭ ଚିନ୍ତକ ସାଜନ୍ତି
ବନ୍ଧୁ ପରିବାର ବର୍ଗ,
ଇର୍ଷା ଜ୍ୱାଳା ଯଦି ଗ୍ରାସି ଦିଏ ତାଙ୍କୁ
ନର୍କ ସମ ଲାଗେ ସ୍ୱର୍ଗ..
ପୁତନା ପରିକା ଯଦି କେଉଁ ମାଆ
କ୍ଷୀରରେ ମିଶାଏ ବିଷ,
କହିବା ପାଇଁକି କିଛିବି ନଥିବ
ସାହା ସେଇ ଜଗଦିଶ..
ଯିବା ଆସିବାର ସୁବିଧା ପାଇଁକି
ଯାନବାହାନ ରେ ଯାଉ,
ଯାନ ଯଦି ନିଏ ଅଦିନେ ଜୀବନ
କାହାକୁ କହିବ ଆଉ..
ବିଶ୍ୱାସ ଭରସା ମଝିରେ କଳଙ୍କ
ସାଜେ ବିଶ୍ୱାସ ଘାତକ,
ବେଳ ଥାଉ ଥାଉ ଚିହ୍ନି ନ ପାରିଲେ
ଜୀବନ ହୋଇବ ନର୍କ...