ଦୋଷ କାହାର
ଦିଲ୍ଲୀପ କୁମାର ପ୍ରଧାନ
ଧରା ରେ ବହିଲେ ମଳୟ ବସନ୍ତ
ଦ୍ରୁମ ନବ ପଲ୍ଲବୀତ
ମାତଙ୍ଗ ଅଇରି ଦିଏ ପତ୍ର ଝଡା
ଦେଖିବ ସେହି ଲଣ୍ଡିତ l
କରି ନାହିଁ କେବେ ପାତର ଅନ୍ତର
ପାଦପେ ଦିଏ ପରଶ
ଲଣ୍ଡିତ ବାଉଁଶ କେବେ କହେ ନାହିଁ
ଏ କଣ ବସନ୍ତ ଦୋଷ l
ଦେଖିଣ ଜୀମୁତ ତୃଷାର୍ତ୍ତ ଚାତକ
ପୟୋ ଆଶେ ନଭ ଚାହିଁ
ବର୍ଷେ ବଳାହକ ହୋଇଣ ପ୍ରକୋପ
ଜଳମଗ୍ନ ହୁଏ ମହୀ l
ତଥାପି ସେ ନୀର ତୃଷାର୍ତ୍ତ ଚାତକ
ମୁଖେ ଯଦି ନ ପଡ଼ଇ
ଉଦକେ କାତର ତୃଷାର୍ତ୍ତ ଚାତକ
ଘନେ ଦୋଷ ଦିଏ ନାହିଁ l
ବିବସ୍ୱାନ ଉଦେ ବିଶ୍ଵମ୍ଭରା ଦେଖ
ହୋଇଣ ଚଳଚଞ୍ଚଳ
ଲଭି ରବି ରଶ୍ମି ସେ ପ୍ରାଣୀ ଜଗତ
ଆନନ୍ଦେ ହୋଇ ବିହ୍ୱଳ l
ପେଚା ଓ ଉଲୁକ ହୋଇ ନିଶାଚର
ପାଏ ନାହିଁ ଭାନୁ ପରଶ
ହୋଇଣ ବଞ୍ଚିତ ତପନ କିରଣ
ଦେବେ ପ୍ରଭାକରେ ଦୋଷ l
ଶରିରେ ମଣ୍ଡିତ ଲଳନା ସୁବର୍ଣ୍ଣ
ପାଟ ସହ ପ୍ରସାଧନ
ଗୁପ୍ତ ଅଙ୍ଗ ଯଦି ହୋଇବ ଦର୍ଶନ
ଦୋଷ କିମ୍ପା ଦେବା ବସନ l
ଆଗମ ଶର୍ବରୀ ସେ ପ୍ରାଣୀ ଜଗତ
ଗମନ୍ତି ସର୍ବେ ସଦନ
ହେଉ ଚକ୍ରବାକ ଅବା ଚକ୍ରବାକି
ସଦନ ଛାଡେ ତକ୍ଷଣ l
ରାମ ଅଭିଶାପେ ହୋଇ ଅଭିଶପ୍ତ
ରାତ୍ରେ ସଦନେ ରହେନା
ବିରହ ଜୀବନ ଅଟଇ କରୁଣ
ଶର୍ବରୀ ଦୋଷ ଦିଅନା l
ଦିଲ୍ଲୀପ କୁମାର ପ୍ରଧାନ
ସହକାରୀ ଶିକ୍ଷକ, ସରକାରୀ ଉଚ୍ଚ ପ୍ରାଥମିକ
ବିଦ୍ୟାଳୟ, ବାରବାଙ୍କ, ରେଢାଖୋଲ
ସମ୍ବଲପୁର

