ରାକ୍ଷୀର ସୂତାରେ ଭାଇର ଛାଇ
ପ୍ରିୟଦର୍ଶିନୀ ବରାଳ
ଶୈଶବର ସେଇ ଅଗଣିତ ଦିନ,
କେବେ ହସର ମିଠା ଝରଣା,
କେବେ ଛୋଟ ଛୋଟ ଝଗଡ଼ାରେ
ଭରିଯାଉଥିଲା ଆମ ଅଗଣା।
ମୋ ଖେଳନା ନେଇ ଝଗଡ଼ା,
ମୋ ମିଠା ନେଇ ତୋର ଅଭିମାନ,
କିଛି କ୍ଷଣ ପରେ ସବୁ ଭୁଲି
ପୁଣି ଏକାଠି ହେଉଥିଲା ଆମ ମନ।
ସେଦିନ ଜାଣିନଥିଲି
ଭାଇ ହେବାର ଅର୍ଥ କେତେ ବଡ଼,
ଆଜି ବୁଝୁଛି—ଜୀବନ ରାସ୍ତାରେ
ଭାଇ ହେଉଛି ଭରସାର ଗଛଟିଏ ଦୃଢ଼।
ମୁଁ ଯେତେବେଳେ ହାରିଯାଏ,
ତୁ ହୋଇଯାଉ ମୋର ସାହସ,
ମୋ ଆଖିରେ ଲୁହ ଆସିଲେ
ତୋ ନୀରବତାରେ ଥାଏ ଭଲପାଇବାର ପ୍ରକାଶ।
ମୁଁ କିଛି ନ କହିଲେ ମଧ୍ୟ
ତୁ ବୁଝିଯାଉ ମୋ ମନର କଥା,
ଦୁନିଆ ଯଦି ଦୂରେଇ ଯାଏ,
ତୁ ରହୁ ମୋ ପାଖେ ହୋଇ ନିଜର ଛାଇ ପରି ସଦା।
ଆଜି ପୁଣି ଆସିଛି ରକ୍ଷାବନ୍ଧନ,
ହାତରେ ଧରିଛି ରାକ୍ଷୀ,
ସୂତାଟି ଛୋଟ ହେଲେ ମଧ୍ୟ
ତା’ ଭିତରେ ଲୁଚିଛି ଭଲପାଇବାର ଅସୀମ ରାଶି।
ଏ ରାକ୍ଷୀ ନୁହେଁ କେବଳ
ହାତରେ ବନ୍ଧା ଏକ ରଙ୍ଗିନ ସୂତା,
ଏହା ମୋ ହୃଦୟର ପ୍ରାର୍ଥନା,
ତୋ ଜୀବନର ପ୍ରତିଟି ପଥ ହେଉ ଖୁସିରେ ଭରା।
ତୋ ମୁହଁରେ ହସ ରହୁ,
ତୋ ସ୍ୱପ୍ନ ସବୁ ପୂରଣ ହେଉ,
ଜୀବନର ଯେତେ ଝଡ଼ ଆସୁ,
ସେସବୁ ତୋ ପାଦ ଛୁଇଁ ଦୂରେଇ ଯାଉ।
ମୋ ପାଇଁ ତୁ କେବଳ ଭାଇ ନୁହେଁ,
ତୁ ମୋ ଶୈଶବର ସୁନ୍ଦର ସ୍ମୃତି,
ତୁ ମୋ ଦୁଃଖରେ ନୀରବ ସାଥୀ,
ତୁ ମୋ ଖୁସିରେ ପ୍ରଥମ ହସର ସାଥି।
ଦିନେ ଦିନେ ବଡ଼ ହେବୁ ଆମେ,
ବଦଳିଯିବ ଜୀବନର ଠିକଣା,
ହୁଏତ ଦୂର ଦେଶରେ ରହିବୁ ଦିନେ,
ହେଲେ ଭୁଲିବୁନି ସେଇ ଛୋଟ ଘରର ଅଗଣା।
ସମୟ ଯଦି ଆମକୁ
ଦୁଇଟି ଭିନ୍ନ ରାସ୍ତାରେ ନେଇଯାଏ,
ମୋ ମନର ଗୋଟିଏ କୋଣରେ
ତୋ ପାଇଁ ଭଲପାଇବା ସବୁବେଳେ ରହିଯାଏ।
ଭାଇ, ତୋ ହାତରେ ଆଜି
ବାନ୍ଧୁଛି ଏଇ ରାକ୍ଷୀର ସୂତା,
ସାଙ୍ଗରେ ବାନ୍ଧୁଛି ମୋ ଶୈଶବ,
ମୋ ହସ, ମୋ ଲୁହ ଆଉ ଅନେକ ଅକୁହା କଥା।
ଭଗବାନଙ୍କ ପାଖରେ ମୋର
ଆଜି ଗୋଟିଏ ମାତ୍ର ପ୍ରାର୍ଥନା—
ତୋ ଜୀବନ ହେଉ ଫୁଲ ପରି ସୁନ୍ଦର,
ସୁଖରେ ଭରିଯାଉ ତୋ ପ୍ରତିଟି ମୁହୂର୍ତ୍ତ ର ମୂର୍ଚ୍ଛନା।
ଯେତେ ଦୂରେ ଯାଅ ଭାଇ,
ମୋତେ ତୋ ଭଉଣୀ ବୋଲି ମନେ ରଖିବୁ,
ରାକ୍ଷୀର ଏଇ ଛୋଟ ସୂତାକୁ
ଜୀବନ ସାରା ହୃଦୟରେ ସାଇତି ରଖିବୁ।
କାରଣ ରାକ୍ଷୀ ଛିଣ୍ଡିଯାଇପାରେ,
ସମୟ ବଦଳିଯାଇପାରେ,
ଦୂରତା ଆମ ମଝିରେ ଆସିପାରେ—
ହେଲେ ଭାଇ-ଭଉଣୀର ଏଇ ପବିତ୍ର ସମ୍ପର୍କ
କେବେ ବି ଛିଣ୍ଡିନ ପାରେ । ❤️
ରାକ୍ଷୀର ସୂତା ହାତରେ ନୁହେଁ,
ବନ୍ଧା ରହୁ ଆମ ହୃଦୟରେ—
ଆଜି, କାଲି ଓ ଜୀବନର ଶେଷ ନିଶ୍ୱାସ ଆଉ ବିଶ୍ୱାସରେ । ❤️
✨ପ୍ରିୟଦର୍ଶିନୀ ବରାଳ

