ମୁଁ ମାଟିର ମଣିଷ,
ମାଟିରେ ଜନ୍ମ, ମାଟିରେ ଖେଳ,
ମାଟିରେ ହସ, ମାଟିରେ କାନ୍ଦ,
ମାଟି ମୋ ସବୁ କିଛି।
ମୋ ପାଦରେ କାଦୁଅ ନାହିଁ,
ମୋ ପାଦରେ ମାଟିର ଟିକା।
ମୋ ହାତରେ କଲମ ନାହିଁ,
ମୋ ହାତରେ ହଳ ମୁଠା।
ମୁଁ ସହର ଜାଣେ ନାହିଁ,
ମୁଁ ସୁଟ୍ ବୁଟ୍ ପିନ୍ଧେ ନାହିଁ,
ମୁଁ ଇଂରାଜୀ କହେ ନାହିଁ,
ହେଲେ ମୁଁ ମିଛ କହେ ନାହିଁ।
ମୁଁ ଖରାରେ ପୋଡେ,
ବର୍ଷାରେ ଭିଜେ,
ଶୀତରେ ଥରେ,
ହେଲେ ମାଟିକୁ ଛାଡେ ନାହିଁ।
ତମେ ଚାଉଳ ଖାଅ,
ମୁଁ ଧାନ ଫଳାଏ।
ତମେ ସୁନା ପିନ୍ଧ,
ମୁଁ ମାଟିକୁ ସୁନା କରେ।
ମୁଁ ଭୋକରେ ମରେ ସତ,
ହେଲେ ଭିକ ମାଗେ ନାହିଁ,
ମାଟି ମୋ ମା' ଅଟେ,
ମା'କୁ କେହି ବିକେ ନାହିଁ।
ମୁଁ ମାଟିର ମଣିଷ,
ମାଟି ପାଇଁ ବଞ୍ଚେ,
ମାଟି ପାଇଁ ମରେ,
ମାଟିରେ ମିଶି ଯାଏ।
ଦିପ୍ତିମୟୀ ଆଚାର୍ଯ୍ୟ।