ବିଡମ୍ବନା ଲେଖକ - ଉମାଶଙ୍କର ମାଝୀ

**ବିଡମ୍ବନା**

ସହରର ଏକ ପ୍ରତିଷ୍ଠିତ ସରକାରୀ ଅଧିକାରୀ ଥିଲେ ଅରବିନ୍ଦ ବାବୁ। ବଡ଼ ପଦବୀ, ମୋଟା ଦରମା, ସହର ମଝିରେ ବିଶାଳ ଘର, ଗାଡ଼ି, ଚାକରବାକର ଏବଂ ସମାଜରେ ଅଲଗା ପ୍ରତିଷ୍ଠା। ତାଙ୍କ ଘରକୁ ଆସୁଥିବା ଲୋକମାନେ ମଧ୍ୟ ତାଙ୍କ ପଦବୀକୁ ଦେଖି ସମ୍ମାନ ଦେଉଥିଲେ।

ଅରବିନ୍ଦ ବାବୁଙ୍କର ଏକମାତ୍ର ଝିଅ ଥିଲା ଅନନ୍ୟା। ପାଠପଢ଼ାରେ ଭଲ, ସ୍ୱଭାବରେ ଶାନ୍ତ ଓ ସରଳ। ଅନନ୍ୟାଙ୍କ ବିବାହ ହେଲା ରାଜେଶଙ୍କ ସହ।

ରାଜେଶ ଥିଲେ ଏକ ସାଧାରଣ ମଧ୍ୟବିତ୍ତ ପରିବାରର ପୁଅ। ବାପା ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ମାଆ ଗୃହିଣୀ। ଘରଟି ବଡ଼ ନଥିଲା, କିନ୍ତୁ ସେଠାରେ ଭଲପାଇବାର ଅଭାବ ନଥିଲା। ରାଜେଶ ନିଜ ଯୋଗ୍ୟତା ଓ ପରିଶ୍ରମରେ ସରକାରୀ ଚାକିରିଟିଏ ପାଇଥିଲେ।
ବିବାହ ଠିକ୍ ହେବା ପରଠାରୁ ଅରବିନ୍ଦ ବାବୁଙ୍କ ପରିବାରରେ ଏକ ଅଦୃଶ୍ୟ ଗର୍ବ ଥିଲା।

“ଆମ ଝିଅ ତ ବଡ଼ ଅଫିସରଙ୍କ ଝିଅ। ଏତେ ସାଧାରଣ ଘରକୁ ଯାଉଛି ! 

ବିବାହ ଦିନ ମଧ୍ୟ ଅରବିନ୍ଦ ବାବୁଙ୍କ ଜଣେ ସମ୍ପର୍କୀୟ ରାଜେଶଙ୍କ ବାପାଙ୍କୁ କହିଦେଲେ:- 
“ଆପଣମାନଙ୍କ ଘର ତ ଖୁବ ସାଧାରଣ। ଆମ ଘରର ଝିଅ ଏଠି କେମିତି ଚଳିବ କେଜାଣି !”


ବୃଦ୍ଧ ଲୋକଟି ହସିଦେଇ କହିଥିଲେ,
“ଘର ବଡ଼ ହେବା ଦରକାର ନାହିଁ ବାବୁ, ମନଟା ବଡ଼ ହେଲେ ଘର ଆପେଆପେ ବଡ଼ ହୋଇଯାଏ।”

କଥାଟି ଶୁଣି ସେ ଲୋକ ଚୁପ୍ ହୋଇଯାଇଥିଲେ।

ବିବାହ ପରେ ଅନନ୍ୟା ରାଜେଶଙ୍କ ଘରକୁ ଆସିଲା। ଶାଶୁ ତାକୁ ନିଜ ଝିଅ ପରି ଭଲପାଇଲେ। ଶ୍ୱଶୁର ମଧ୍ୟ ତାକୁ ନିଜ ଝିଅଠାରୁ କମ୍ ଭାବିଲେ ନାହିଁ।

କିନ୍ତୁ ଅନନ୍ୟାଙ୍କ ମାଆଙ୍କ ମନରେ ଗୋଟିଏ କଥା ସବୁବେଳେ ରହିଲା।
“ଆମ ଝିଅକୁ ଆମେ ଯେଉଁ ଘରକୁ ଦେଇଛୁ, ସେ ଘର ଆମ ସମାନ ନୁହେଁ।”

ସେହି ଭାବନା ଧୀରେ ଧୀରେ ଅନନ୍ୟାଙ୍କ ମନରେ ମଧ୍ୟ ପଶିବାକୁ ଲାଗିଲା l
ଘରେ କୌଣସି ଛୋଟ କଥା ହେଲେ ମାଆଙ୍କ ଫୋନ୍ ଆସୁଥିଲା।

“ତୁ ଏତେ କାମ କାହିଁକି କରୁଛୁ ? ତୋ ବାପାଙ୍କ ଘରେ ତୁ ଏମିତି କରୁନଥିଲୁ।”

ଅନନ୍ୟା କିଛି କହୁନଥିଲା  l

ରାଜେଶ ସବୁ ବୁଝୁଥିଲେ। ତଥାପି ସେ କେବେ ଅନନ୍ୟାଙ୍କୁ ତାଙ୍କ ବାପାଙ୍କ ପଦବୀ କିମ୍ବା ଧନସମ୍ପତ୍ତି ପାଇଁ ଅପମାନ କରିନଥିଲେ।
ସେ କେବଳ କହୁଥିଲେ,
“ତୁମ ବାପା ବଡ଼ ଅଫିସର। ଏହା ତୁମ ପାଇଁ ଗର୍ବର କଥା। କିନ୍ତୁ ଆମ ଘରର ସମ୍ମାନ ମଧ୍ୟ ଆମ ପାଇଁ କମ୍ ନୁହେଁ।”

ସମୟ ଗଡ଼ି ଚାଲିଲା।

ଅରବିନ୍ଦ ବାବୁ ଅବସର ନେଲେ। କିନ୍ତୁ ଅବସର ନେବା ସହିତ ତାଙ୍କ ଅହଂକାର ଅବସର ନେଲା ନାହିଁ।

“ମୁଁ ଏତେ ବର୍ଷ ଅଫିସର ଥିଲି। ମୋର ପରିଚୟ କ'ଣ ଥିଲା, ତୁମେ ଜାଣନାହଁ।”

ସେ ନିଜ ପୁରୁଣା ପଦବୀର କଥା ବାରମ୍ବାର କହୁଥିଲେ।
କିନ୍ତୁ ସମୟ କାହା ପାଇଁ ଅଟକି ରହେ ନାହିଁ।

ଦିନେ ହଠାତ୍ ଅରବିନ୍ଦ ବାବୁଙ୍କ ମୃତ୍ୟୁ ହେଲା।
ଘର ଲୋକେ ଶୋକରେ ଭାଙ୍ଗିପଡ଼ିଲେ। ରାଜେଶ ସବୁ କାମରେ ଆଗକୁ ଆସିଲେ। ଶେଷକ୍ରିୟାଠାରୁ ଆରମ୍ଭ କରି ଘରର ଦାୟିତ୍ୱ ପର୍ଯ୍ୟନ୍ତ ସେ ନିଜ ପରିବାର ପରି ସବୁକିଛି ସମ୍ଭାଳିଲେ।
କିନ୍ତୁ ଅରବିନ୍ଦ ବାବୁଙ୍କ ମୃତ୍ୟୁ ସହିତ ତାଙ୍କ ପରିବାରର ଅହଂକାର ମରିଲା ନାହିଁ l
ଅରବିନ୍ଦ ବାବୁଙ୍କ ପୁଅ ଅମିତ ନିଜ ବାପାଙ୍କ ପ୍ରଭାବ ଓ ନାମ ଉପରେ ଭରସା କରି ବଡ଼ ହୋଇଥିଲା। ପରିଶ୍ରମ କରିବାର ଅଭ୍ୟାସ ତାର ନଥିଲା। ବାପା ଚାଲିଯିବା ପରେ ଧୀରେ ଧୀରେ ସେ ବାଳୁଙ୍ଗା ହୋଇଗଲା।
ଯେଉଁ ଘରେ ଦିନେ ବଡ଼ ବଡ଼ ଲୋକଙ୍କ ଭିଡ଼ ଲାଗିଥିଲା, ସେଠାରେ ଏବେ ନିରବତା।


ଏପଟେ ରାଜେଶଙ୍କ ଜୀବନରେ ମଧ୍ୟ ଏକ କଠିନ ସମୟ ଆସିଲା।
ରାଜେଶଙ୍କ ପଦୋନ୍ନତି ହେଲା। ନୂଆ ପଦବୀରେ ଯୋଗଦେବା ପରେ କାର୍ଯ୍ୟାଳୟର କିଛି ପ୍ରଶାସନିକ କାରଣରୁ ତାଙ୍କ ଦରମା ଦୀର୍ଘଦିନ ପର୍ଯ୍ୟନ୍ତ ମିଳିଲା ନାହିଁ।

ପ୍ରଥମ ମାସ କେମିତିବି ଚାଲିଗଲା।
ଦ୍ୱିତୀୟ ମାସରେ ଘରର ଖର୍ଚ୍ଚ କମାଇବାକୁ ପଡ଼ିଲା।
ତୃତୀୟ ମାସରେ ଘରର ଅବସ୍ଥା ଆହୁରି ଖରାପ ହେଲା।
ରାଜେଶ ମାଆଙ୍କୁ କହିଲେ,
“ମାଆ, ଏଥର ଔଷଧଟା ଟିକେ ପରେ ନେବା।”
ମାଆ ହସିଦେଇ କହିଲେ,
“ତୁ ଚିନ୍ତା କରନାହିଁ ପୁଅ। ଆମେ କିଛି ଦିନ କମ୍ ଖାଇ ଚଳିଯିବୁ।”
ଘରର ଛୋଟ ପିଲାଟି ସ୍କୁଲ ଫିସ୍ ପାଇଁ ଚୁପଚାପ ଠିଆ ହୋଇଥିଲା।
“ବାପା, ମୋର ଫିସ୍...?”
ରାଜେଶ କିଛି ସମୟ ଚୁପ୍ ରହି କହିଲେ,
“କାଲି ଦେଇଦେବି।”

କିନ୍ତୁ ସେ ଜାଣିଥିଲେ, ତାଙ୍କ ପକେଟରେ ସେତେବେଳେ କାଲି ପାଇଁ ମଧ୍ୟ ପଇସା ନଥିଲା।

ସେହି ରାତିରେ ରାଜେଶ ବହୁତ ଚୁପ୍ ଥିଲେ।
ଅନନ୍ୟା ପଚାରିଲା,
“କ'ଣ ହେଲା?”
“କିଛି ନୁହେଁ। ”
“ତୁମେ ମୋ ବାପାଙ୍କ ଘରକୁ କହିଲେ କିଛି ସାହାଯ୍ୟ ମିଳିପାରେ।”
ରାଜେଶ ଟିକେ ହସିଲେ।
“ସାହାଯ୍ୟ ମାଗିବାରେ ମୋର ଲଜ୍ଜା ନାହିଁ। କିନ୍ତୁ ଯେଉଁଠାରେ ଆମକୁ ବର୍ଷ ବର୍ଷ ଧରି ନୀଚ ଦେଖାଯାଇଛି, ସେଠାରେ ହାତ ପତେଇବାକୁ ମୋ ମନ ଚାହୁଁନାହିଁ।”
ଅନନ୍ୟା ଚୁପ୍ ହୋଇଗଲା।

ତଥାପି ସେ ମାଆଙ୍କୁ ଫୋନ୍ କଲା।
“ମାଆ, ରାଜେଶଙ୍କ ଦରମା କିଛି ମାସ ହେଲା ହୋଇନାହିଁ। ଘରେ ଟିକେ ଅସୁବିଧା ଚାଲିଛି।”
ଫୋନର ଅନ୍ୟ ପାଖରୁ ଉତ୍ତର ଆସିଲା,
“ଆମ ଘରେ ବି ଏବେ ଅନେକ ଖର୍ଚ୍ଚ। ତୋ ଭାଇର ଅବସ୍ଥା ତୁ ଜାଣିଛୁ। ଆମେ କ'ଣ କରିପାରିବୁ ?”
ଅନନ୍ୟା କିଛି କହିପାରିଲା ନାହିଁ।

ଯେଉଁ ଘରେ ଦିନେ ଟଙ୍କାର ଅଭାବ ନଥିଲା, ସେହି ଘର ଆଜି ଝିଅର ଘରେ ଚୁଲି ଜଳିବାକୁ କଷ୍ଟ ହେଉଥିଲେ ମଧ୍ୟ ଗୋଟିଏ ସାହାଯ୍ୟର ହାତ ବଢ଼ାଇଲା ନାହିଁ।

କିଛି ଦିନ ପରେ ରାଜେଶଙ୍କ ମାଆ ଗୁରୁତର ଅସୁସ୍ଥ ହେଲେ। ଔଷଧ କିଣିବା ପାଇଁ ମଧ୍ୟ ଟଙ୍କାର ଅଭାବ।
ସେହି ରାତିରେ ରାଜେଶ ନିଜର ପୁରୁଣା ଘଡ଼ିଟି ବାହାର କଲେ।
ସେହି ଘଡ଼ିଟି ତାଙ୍କ ବାପା ତାଙ୍କୁ ଚାକିରି ପାଇବା ଦିନ ଦେଇଥିଲେ।
ରାଜେଶ ଘଡ଼ିଟାକୁ ହାତରେ ଧରି କିଛି ସମୟ ଚୁପ୍ ରହିଲେ।
“ଏହା ବିକ୍ରି କରିଦେବି।”
ଅନନ୍ୟାଙ୍କ ଆଖିରେ ଲୁହ ଆସିଗଲା।
“ନାହିଁ... ଏହା ବାପା ଦେଇଥିଲେ।”

ରାଜେଶ ମୃଦୁ ସ୍ୱରରେ କହିଲେ,
“ମାଆଙ୍କ ଔଷଧଠାରୁ ବଡ଼ ସ୍ମୃତି କିଛି ନାହିଁ।”
ସେହି ମୁହୂର୍ତ୍ତରେ ଅନନ୍ୟାଙ୍କ ଭିତରେ କିଛି ଭାଙ୍ଗିଗଲା।

ସେ ପ୍ରଥମଥର ପାଇଁ ନିଜ ଜୀବନକୁ ଅନ୍ୟ ଆଖିରେ ଦେଖିଲା।
ତାଙ୍କ ବାପାଙ୍କର ବଡ଼ ପଦବୀ ଥିଲା।
କିନ୍ତୁ ରାଜେଶଙ୍କ ଘରେ ମାନବିକତା ଥିଲା।

ତାଙ୍କ ବାପାଙ୍କ ଘରେ ବଡ଼ ଘର ଥିଲା।
କିନ୍ତୁ ଏଠାରେ ଛୋଟ ଘର ଭିତରେ ବଡ଼ ହୃଦୟ ଥିଲା।
ତାଙ୍କ ବାପାଙ୍କ ପରିଚୟ ଥିଲା ପଦବୀ।

ରାଜେଶଙ୍କ ପରିଚୟ ଥିଲା ପରିଶ୍ରମ।
କିଛି ସପ୍ତାହ ପରେ ରାଜେଶଙ୍କ ଜମିଥିବା ଦରମା ଏକାଥରେ ମିଳିଗଲା।

ଘରେ ପୁଣି ହସ ଫେରିଲା।
ସେହି ସନ୍ଧ୍ୟାରେ ଅନନ୍ୟା ନିଜ ମାଆଙ୍କ ଘରକୁ ଗଲା।
ଘରଟି ପୂର୍ବପରି ଥିଲା ନାହିଁ।
ବଡ଼ ଭାଇ ଅମିତ ବେକାର ହୋଇ ଘରେ ବସିଥିଲା। ବାପାଙ୍କ ସମୟର ଅନେକ ଜିନିଷ ବିକ୍ରି ହୋଇଯାଇଥିଲା। ଯେଉଁ ଘରର ଦ୍ୱାରରେ ଦିନେ ଗାଡ଼ିର ଲମ୍ବା ଧାଡ଼ି ଲାଗୁଥିଲା, ସେଠାରେ ଆଜି ନିରବତା।
ମାଆ ଚୁପ୍ ହୋଇ ବସିଥିଲେ।

ଅନନ୍ୟା ଧୀରେ ପଚାରିଲା,
“ମାଆ, ତୁମେ କହୁଥିଲ ନା, ଆମ ଘର ବଡ଼ ଆଉ ସେମାନଙ୍କ ଘର ଛୋଟ?”

ମାଆ ମୁଣ୍ଡ ନୁଆଇଦେଲେ।

ଅନନ୍ୟାଙ୍କ ଆଖିରେ ଲୁହ ଜମିଗଲା।
“ଆଜି ବୁଝିଲି, ଘରର ଆକାର ନୁହେଁ, ମଣିଷର ହୃଦୟ ହିଁ ଘରକୁ ବଡ଼ କରେ।”
ମାଆଙ୍କ ଆଖିରୁ ଲୁହ ଝରିପଡ଼ିଲା।
ଅନନ୍ୟା ଫେରିବା ପୂର୍ବରୁ କାନ୍ଥରେ ଟଙ୍ଗା ନିଜ ବାପାଙ୍କ ପୁରୁଣା ଫଟୋ ସାମ୍ନାରେ ଠିଆ ହେଲା।
ଫଟୋରେ ବାପା ସେହି ପୁରୁଣା ଗର୍ବିତ ହସ ହସୁଥିଲେ।
ଅନନ୍ୟା ଫଟୋଟିକୁ ଚାହିଁ ଧୀରେ କହିଲା,
“ବାପା... ଆପଣ ସାରା ଜୀବନ ବଡ଼ ଅଫିସର ଥିଲେ। ଲୋକେ ଆପଣଙ୍କୁ ସମ୍ମାନ କରୁଥିଲେ। ଆପଣଙ୍କ ଗୋଟିଏ ଫୋନ୍‌ରେ କାମ ହୋଇଯାଉଥିଲା। ଆପଣଙ୍କ ଘରର ଦ୍ୱାରରେ ବଡ଼ ବଡ଼ ଲୋକ ଅପେକ୍ଷା କରୁଥିଲେ...”
ସେ କିଛି ସମୟ ଚୁପ୍ ରହିଲା।

“କିନ୍ତୁ ବାପା... ଯେତେବେଳେ ଆମ ଝିଅର ଘରେ ଚୁଲି ଜଳିବାକୁ କଷ୍ଟ ହେଉଥିଲା, ସେତେବେଳେ ଆମର ସେହି ବଡ଼ପଣ କେଉଁଠି ଥିଲା ?”

ଆଖିରୁ ଦୁଇ ଧାର ଲୁହ ଗଡ଼ିପଡ଼ିଲା।
“ଆପଣ ତାଙ୍କ ଘରକୁ ଛୋଟ ଭାବୁଥିଲେ, ବାପା। ହେଲେ ଆଜି ବୁଝୁଛି... ଘରଟା ଛୋଟ ଥିଲା, ହୃଦୟଟା ନୁହେଁ।”

ସେ ଫଟୋଟିକୁ ଛାତିରେ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲା।
ସେହି ସମୟରେ ରାଜେଶ ଘର ଭିତରକୁ ଆସିଲେ।

ତାଙ୍କ ହାତରେ ଥିଲା ମାଆଙ୍କ ଔଷଧ।

ଅନନ୍ୟା ଲୁହଭରା ଆଖିରେ ତାଙ୍କୁ ଚାହିଁଲା।

“ରାଜେଶ... ତୁମେ ଏତେ କଷ୍ଟରେ ଥିଲା... ତଥାପି ମୋ ବାପାଙ୍କ ଘର ବିଷୟରେ କେବେ ଖରାପ କଥା କହିଲ ନାହିଁ କାହିଁକି ?”

ରାଜେଶ ଟିକେ ହସିଲେ।

“କାରଣ ତୁମ ବାପା ମୋ ଶ୍ୱଶୁର ଥିଲେ। ତାଙ୍କ ଭୁଲ ପାଇଁ ମୁଁ ତୁମକୁ ଦଣ୍ଡ ଦେବାକୁ ଚାହୁଁନଥିଲି।

ଏତିକି ଶୁଣି ଅନନ୍ୟା ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ।

ସେ ରାଜେଶଙ୍କ ପାଦ ତଳେ ବସିପଡ଼ି କାନ୍ଦି କାନ୍ଦି କହିଲା,
“ମୁଁ ଧନୀ ଘରର ଝିଅ ହୋଇ ଆସିଥିଲି... ଆଜି ତୁମ ଘରର ମଣିଷ ହେବା ଶିଖିଲି।”

ରାଜେଶ ତାକୁ ଉଠାଇ ନେଲେ।
ବାହାରେ ସେତେବେଳେ ବର୍ଷା ହେଉଥିଲା।
ଛାତରୁ ଟପ୍‌ଟପ୍‌ କରି ପାଣି ପଡ଼ୁଥିଲା। ଘରଟି ପୁରୁଣା ଥିଲା, କାନ୍ଥରେ ଦାଗ ଥିଲା, ଆସବାବପତ୍ର ସାଧାରଣ ଥିଲା।

କିନ୍ତୁ ସେହି ରାତିରେ ସେହି ଛୋଟ ଘରଟି ଅନନ୍ୟାଙ୍କ ପାଇଁ ପୃଥିବୀର ସବୁଠାରୁ ବଡ଼ ଘର ଲାଗୁଥିଲା।
କିଛି ଦିନ ପରେ ଅନନ୍ୟା ନିଜ ମାଆଙ୍କୁ ଦେଖିବାକୁ ଗଲା।

ମାଆ ଧୀରେ ପଚାରିଲେ,
“ତୁ ଆମକୁ କ୍ଷମା କରିଦେଲୁ ତ?”

ଅନନ୍ୟା ମାଆଙ୍କ ହାତ ଧରି କହିଲା,
“କ୍ଷମା କରିବାକୁ ମୁଁ କିଏ ମାଆ? ଆମେ ସମସ୍ତେ ଜୀବନର କିଛି ନା କିଛି ଭୁଲରୁ ଶିଖୁଛୁ।

ତା'ପରେ ସେ ଟିକେ ଚୁପ୍ ରହି କହିଲା,
“ହେଲେ ଗୋଟିଏ କଥା ବୁଝିଗଲି...”
“କ'ଣ ?”

“ମୃତ୍ୟୁ ପରେ ମଣିଷର ପଦବୀ ତାଙ୍କ ସହିତ ଯାଏ ନାହିଁ। ଧନ ଯାଏ ନାହିଁ। ଘର, ଗାଡ଼ି, ପ୍ରଭାବ... କିଛି ଯାଏ ନାହିଁ। ଲୋକେ କେବଳ ମନେ ରଖନ୍ତି, ସେ ମଣିଷ ହୋଇ କେତେ ଭଲ ଥିଲେ।”

ମାଆ ମୁଣ୍ଡ ନୁଆଇ ରହିଲେ।

ଅନନ୍ୟା ତାଙ୍କ ହାତକୁ ନିଜ ହାତ ଭିତରେ ନେଇ କହିଲା,
“ଆମେ ଯେଉଁ ଘରକୁ ଛୋଟ ଭାବୁଥିଲୁ, ସେହି ଘର ହିଁ ଆମ ଖରାପ ସମୟରେ ଆମକୁ ଆଶ୍ରୟ ଦେଲା। ଆମେ ଯେଉଁମାନଙ୍କୁ ନୀଚ ଭାବୁଥିଲୁ, ସେହିମାନେ ହିଁ ଆମକୁ ମଣିଷ ହେବା ଶିଖାଇଲେ।”

ଘର ଭିତରେ ନୀରବତା ଛାଇଗଲା।

କାନ୍ଥରେ ଟଙ୍ଗା ଅରବିନ୍ଦ ବାବୁଙ୍କ ଫଟୋଟି ନିରବରେ ସବୁ ଶୁଣୁଥିଲା।
ଏକଦିନ ଯେଉଁ ମଣିଷ ନିଜ ପଦବୀକୁ ନେଇ ଅନ୍ୟକୁ ଛୋଟ କରୁଥିଲେ, ଆଜି ତାଙ୍କ ଫଟୋ ତଳେ ଫୁଲ ଥିଲା, କିନ୍ତୁ ଗର୍ବ କରିବାକୁ କେହି ନଥିଲେ।
ଆଉ ଯେଉଁ ମଧ୍ୟବିତ୍ତ ଘରକୁ ସେମାନେ କେବେ ନିଜ ସମାନ ଭାବିନଥିଲେ, ସେହି ଘରଟି ଆଜି ଭଲପାଇବା, ତ୍ୟାଗ ଓ ମାନବିକତାରେ ପରିପୂର୍ଣ୍ଣ ଥିଲା।
ବିଡମ୍ବନା ଏଇଟା ନୁହେଁ ଯେ ଧନୀ ଘର ଦିନେ ଦରିଦ୍ର ହୋଇଗଲା।
ବିଡମ୍ବନା ହେଉଛି, ଯେଉଁ ଘର ନିଜକୁ ଧନୀ ଭାବୁଥିଲା, ସେ ମଣିଷପଣରେ ଗରିବ ଥିଲା।
ସମୟ ସବୁକିଛି ଛଡ଼ାଇ ନିଏ।

ପଦବୀ...

ପ୍ରତିଷ୍ଠା...

ଧନ...

ପ୍ରଭାବ...

ଏପରିକି ଅହଂକାର ମଧ୍ୟ।

କିନ୍ତୁ ଗୋଟିଏ ଜିନିଷ ସମୟ କେବେ ଛଡ଼ାଇ ନେଇପାରେ ନାହିଁ  l


ମଣିଷ ଅନ୍ୟ ମଣିଷର ହୃଦୟରେ ଛାଡ଼ିଯାଇଥିବା ଭଲପାଇବା।

ଅନନ୍ୟା ସେହି ଦିନ ବୁଝିଲା...
ମଣିଷ ବଡ଼ ହୁଏ ପଦବୀରେ ନୁହେଁ,
ସମୟ ଖରାପ ଥିବାବେଳେ ସେ କାହାର ହାତ ଧରିଥିଲା, ସେଥିରେ।

ଆଉ ଏହି ସତ୍ୟ ବୁଝିବା ପାଇଁ ତାକୁ ନିଜ ପରିବାର ହରାଇବାକୁ ପଡ଼ିଲା ନାହିଁ...
ନିଜ ବାପାଙ୍କ ଅହଂକାରକୁ ହରାଇବାକୁ ପଡ଼ିଲା।

ଏହା ହିଁ ଥିଲା ସମୟର ସବୁଠାରୁ ବଡ଼ ବିଡମ୍ବନା।

ଉମା ଶଙ୍କର ମାଝୀ 
ସହ ଶିକ୍ଷକ 
ପିଏମଶ୍ରୀ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରିଷିଡା, କଳାହାଣ୍ଡି

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!