ଚକ୍ଷୁ ସାଗର
କବି:-ଶୁଭକାନ୍ତ ବେହେରା
ଚକ୍ଷୁ ନୁହେଁ,
ବିଧାତା ଦେଇଛି ମନୁଷ୍ୟକୁ
ହଳେ ଗାଢ଼ନୀଳ ମଧୁର ସମୁଦ୍ର।
କେତେଥର ସେ ସମୁଦ୍ରରେ,
ବାତ୍ୟା ଆସି ସ୍ଥଳ ଭାଗ ଛୁଇଁଛି–
ତା'ର ହିସାବ ନାହିଁ।
ତା' ଭିତର ବେଦରଦୀ ଦ୍ୱୀପଟାକୁ,
କେତେଥର ବା ସେ ନ ବୁଡ଼ାଇଛି!
ତା' ଭିତର ଲହରୀକୁ
ସେ କେମିତି ବା ରୋକିବ,
ଏ ଦୁର୍ବିସହ ଦୁନିଆର ଦୁଃଖ ଦେଖିସାରି?
ନୀରବତା ଧୋଇଦେଇଛି
ତା ଜଳର ପ୍ରତି ବୁନ୍ଦା ଲୁଣକୁ
କେତେ ପ୍ରତାରଣା,
କେତେ ଅପେକ୍ଷା,
ସବୁକୁ ସମାନ ଭାବେ
ବାନ୍ଧିଧରିଛି ମେଘଖଣ୍ଡ ପରି
ବେରଙ୍ଗ ସେ ସାଗରଟା କାହିଁ
ବ୍ୟାକୁଳରେ ଶୋଷି ନେଉଛି,
ଦୁନିଆର ସବୁ ରଙ୍ଗକୁ?
ଶେଷରେ ଲୀନ କରିଦେଉଛି
ତା' ଦେହରେ।
ଭାବୁଛି କି ରଙ୍ଗ ବିନା,
ପାପ ଅନ୍ଧ ହୋଇଯିବ?
ସେ ଭୁଲୁଛି ବୋଧେ,
ଅନ୍ଧାରରୁ ହିଁ ଅସୁରର ଜାତ।
ସେ ଭୁଲିବ ବା କାହିଁକି?
ସେ ତ ମାନବର,
ବିକଟାଳ ମସ୍ତିଷ୍କ ନୁହେଁ
ଯିଏ ମାନବତା କୁ ଭୁଲି
ଖାଲି ଜଗାଇ ରଖେ,
କାମନା ଆଉ ବାସନାକୁ।
ଦଶନ୍ଧି ଦଶନ୍ଧି ଧରି ଦଶଦିଗକୁ
ଦେଖି ସ୍ମୃତି ସବୁକୁ ସାଇତି ରଖିଛି
ତା ଅନ୍ତର୍ମନ ଭିତରେ
ପୁଣି–
ଏମିତି ବାଚାଳତା କାହିଁକି?
ଶୁଭକାନ୍ତ ବେହେରା
