କଲମ ର କ୍ରନ୍ଦନ
କବି:-ଶୁଭକାନ୍ତ ବେହେରା
ମୁଁ କଲମ,
ମୋର ଧାର ଧାର ନିଗିଡ଼ା ଲହୁ,
ଆଉ ମନୁଷ୍ୟ ହାତର ଉଷ୍ମତା
କେତେ ଅସ୍ତ୍ରକୁ ପରାଜିତ କରିଛି।
କେତେ ବୀରଙ୍କର ଅଭୁଲା ସ୍ମୃତିକୁ
ମୁଁ ପୃଷ୍ଠାରେ ଛାପିଛି।
ଏଇ ମଣିଷ କୁହେ,
ସ୍ୱପ୍ନକୁ ସତ କରିବାରେ
ମୁଁ କାଳେ ମେରୁଦଣ୍ଡ।
ହଁ, ଆଜିର ଆଧୁନିକ ଯନ୍ତ୍ର
ଶତାବ୍ଦୀ ଆଉ ମୋର ସଂଘର୍ଷରୁ ହିଁ ଜାତ।
ସେ ସଂଘର୍ଷରେ ଲଢ଼ି
ମୁଁ ସାମାନ୍ୟ ଥକିଯାଇଛି,
ହେଲେ ମୁଁ ଭୁଲିନି
ନୂତନ ଆବିଷ୍କାରର ମନ୍ତ୍ର।
ନାଁ, ମୁଁ ତ ମନାକରିନି
ମନୁଷ୍ୟ ଆଖିର ଲୁହ, ମନର ଆବେଗକୁ
ଡାଏରୀ ଛାତିରେ
ଶବ୍ଦର ରୂପ ଦେବାକୁ।
ହଁ, ଯଦିଓ ଦୁନିଆର
କିମ୍ଭୂତ କିମାକାର ବିବର୍ତ୍ତନରେ,
ମୁଁ ସେହି ପୁରୁଣା ସ୍ୟାହିକୁ
ବାନ୍ଧିରଖିଛି ମୋ ଛାତିରେ।
ଯେଉଁ କେତେଟା ହାତ
ଏବେବି ମତେ ଧରିଛି,
ଖାଲି ମୋ ଅକ୍ଷରକୁ ବିକ୍ରୀକରି
ଅପରାଧୀକୁ ମୁକୁଳାଇ,
ସତର କଣ୍ଠରୋଧ କରିବାକୁ।
ହେଲେ,
ଏବେବି ମୁଁ ସଭ୍ୟତାର ସାକ୍ଷୀ।
କାହିଁକି ଆଜି ମୋର ଅପମାନ?
କାହିଁକି ମନୁଷ୍ୟ ହାତ
ଆଜି ଶୀତଳ ମୋ ପାଇଁ?
ଶୁଭକାନ୍ତ ବେହେରା
