ଯଦି
କବୟତ୍ରୀ:-ଋତୁପର୍ଣ୍ଣା ଜେନା
ଯଦି ଜୀବନ ସୁଖର ନାଁ,
ତେବେ ଦୁଃଖର ଏତେ ଲମ୍ବା ଠିକଣା କାହିଁକି ?
ଯଦି ହସ ମନର ଭାଷା,
ତେବେ ଆଖିରେ ଲୁହର ଏତେ ଭିଡ଼ କାହିଁକି ?
ଯଦି ପ୍ରେମ ଦୁଇ ହୃଦୟର ମିଳନ,
ତେବେ ବିଚ୍ଛେଦ ଏତେ ଯନ୍ତ୍ରଣାଦାୟକ କାହିଁକି ?
ଯାହାକୁ ନିଜଠାରୁ ଅଧିକ ନିଜର ଭାବୁ,
ସେଇ ମଣିଷ ପର ହୋଇଯାଏ କାହିଁକି ?
ଯଦି ବିଶ୍ୱାସ ସମ୍ପର୍କର ମୂଳଦୁଆ,
ତେବେ ପ୍ରତାରଣାରେ ଘର ଭାଙ୍ଗେ କାହିଁକି ?
ଯାହା ପାଇଁ ନିଜ ଖୁସିକୁ ବଳି ଦେଉ,
ସେ ଆମ ଲୁହର ମୂଲ୍ୟ ବୁଝେନାହିଁ କାହିଁକି ?
ଯଦି ସମୟ ସବୁକିଛି ବଦଳାଇଦିଏ,
ତେବେ କିଛି ସ୍ମୃତି ଅମଳିନ ରହେ କାହିଁକି ?
ଭୁଲିଯିବାକୁ ଚାହିଁଲେ ବି କିଛି ମୁହଁ,
ହୃଦୟରୁ ଲିଭେ ନାହିଁ କାହିଁକି ?
ଯଦି ଜୀବନ ଗୋଟିଏ ଯାତ୍ରା,
ତେବେ ଏତେ ଅଭିମାନ, ଏତେ ଅହଂକାର କାହିଁକି ?
ଶେଷରେ ସବୁ ସମ୍ପର୍କ ସ୍ମୃତି ହୋଇଯିବା ପରେ,
କାହାକୁ ହରାଇବାର ଭୟ ଥିବା ସତ୍ତ୍ୱେ
ତାକୁ ଭଲପାଇବାରେ ଏତେ କାର୍ପଣ୍ୟ କାହିଁକି ?
ଯଦି ଦିନେ ଜୀବନ ପଚାରେ,
କ’ଣ ପାଇଲ ଏତେ ଦୂରେ ଆସି ?
ତେବେ କହିବି...
କିଛି ମିଠା ସ୍ମୃତି, କିଛି ଅଧା ସ୍ୱପ୍ନ,
କିଛି ନିଜର ମଣିଷ ଆଉ କିଛି ଅଚିହ୍ନା ଯନ୍ତ୍ରଣା।
ତଥାପି ଜୀବନକୁ ଭଲପାଏ,
କାରଣ ଦୁଃଖ ନଥିଲେ
ସୁଖର ମୂଲ୍ୟ ଜଣାପଡ଼ନ୍ତା ନାହିଁ,
ଲୁହ ନଥିଲେ ହସର ଗଭୀରତା ମାପି ହୁଅନ୍ତା ନାହିଁ,
ଆଉ ପ୍ରତାରଣା ନଥିଲେ
ବିଶ୍ୱାସର ପ୍ରକୃତ ଅର୍ଥ ବୁଝି ହୁଅନ୍ତା ନାହିଁ।
କେବଳ ଗୋଟିଏ ପ୍ରଶ୍ନ ମନରେ ରହିଯାଏ...
ଯଦି ଦିନେ ସବୁକିଛି ଛାଡ଼ି ଚାଲିଯିବାକୁ ହେବ,
ତେବେ ମଣିଷ ମଣିଷକୁ ଏତେ କଷ୍ଟ ଦିଏ କାହିଁକି ?
ଋତୁପର୍ଣ୍ଣା ଜେନା
