ମହାଳୟା ପିତୃଶ୍ରାଦ୍ଧ
କବି:-ଅରବିନ୍ଦ ସ୍ୱାଇଁ
ପିତୃ ପୁରୁଷଙ୍କ ସ୍ମରଣରେ ଆସ
କୃତଜ୍ଞତା ଆମେ ତାଙ୍କୁ ଜଣାଇ l
ସର୍ବ ପିତୃ ଅମାବାସ୍ୟାରେ ତର୍ପଣ
ଶ୍ରାଦ୍ଧ ଦେବା ଆମେ ଶ୍ରଦ୍ଧାରେ ଯାଇ l
ଭାଦ୍ରବ ପୂର୍ଣ୍ଣିମା ଠାରୁ ପିତୃପକ୍ଷ
ପାଞ୍ଜି ଅନୁସାରେ ଆରମ୍ଭ ହୋଇ l
ଆଶ୍ୱିନ ମାସର ଅମାବାସ୍ୟା ତିଥି
ଅନ୍ତିମ ପିତୃ ଶ୍ରାଦ୍ଧ ଦେବା ପାଇଁ l
ମହାମାୟାଙ୍କର ଆବାହନୀ ବାର୍ତ୍ତା
ଆସେ ମହାଳୟା ମାଟିକୁ ନେଇ l
ନଅ ଦଶ ଅକ୍ଟୋବର ମହାଳୟା
ଦୁଇ ଦିନ ଅଛି ତର୍ପଣ ପାଇଁ l
ଆତ୍ମା ଶାନ୍ତି ପାଇଁ ଅର୍ଘ୍ୟ ସମର୍ପିବା
ଶାନ୍ତିରେ ବ୍ରାହ୍ମଣ ଭୋଜନ ଦେଇ l
ମନେ ରଖିବାନି ଆବିଳତା କେବେ
ତାଙ୍କରି ଦାୟାଦ ମାଟିରେ ହୋଇ l
ହିନ୍ଦୁ ପରମ୍ପରା ଅନୁଯାୟୀ ଯିଏ
ପୂଣ୍ୟବନ୍ତ ପିତୃ ଲୋକକୁ ଯାଇ l
ସ୍ଵର୍ଗରେ ରୁହନ୍ତି ପୂଣ୍ୟ ଥିବା ଯାଏ
ଦାୟାଦଙ୍କ ଶ୍ରାଦ୍ଧ ତର୍ପଣ ପାଇ l
ପୂର୍ବଜଙ୍କ ସ୍ନେହ ଶ୍ରଦ୍ଧାରୁ ଦାୟାଦ
ଜୀବନ କାଟନ୍ତି ସୁଖରେ ରହି l
ଗୀତାର ସପ୍ତମ ଅଧ୍ୟାୟରେ ଅଛି
ଶିବ ପାର୍ବତୀଙ୍କୁ କାହାଣୀ କହି l
ସଙ୍କୁକର୍ଣ୍ଣ ବ୍ରାହ୍ମଣର ମୋକ୍ଷ ଗାଥା
କହିଥିଲେ ଏଇ ସଂସାର ପାଇଁ l
ପୁତ୍ରମାନେ ସ୍ଵର୍ଗଗାମୀ କରିଥିଲେ
ଶ୍ରାଦ୍ଧରେ ଭୋଜନ ତର୍ପଣ ଦେଇ l
ମହା ଶକ୍ତି ଶାଳୀ ଜାତକାରୁ ରୁଷି
ସଂସାରୀ ହେବାକୁ ଚାହିଁଲେ ନାହିଁ l
ଘନ ଜଙ୍ଗଲରେ ବୁଲୁ ବୁଲୁ ଦିନେ
ଦେଖିଲେ କୂଅଟି ପାଖରେ ଯାଇ l
ପୂର୍ବ ପୁରୁଷ ସେ କୂଅଟି ଉପରେ
ଓହଳି ଅଛନ୍ତି ଓଲଟା ହୋଇ l
ପଚାରିଲେ ତାଙ୍କୁ ଏମିତି କାହିଁକି
କଷ୍ଟ ପାଉଅଛ ଉପରେ ରହି l
କହିଲେ କରିବି ପ୍ରତିକାର କିଛି
ଯୋଗ ବଳେ ତୁମ ପ୍ରାଣ ବଞ୍ଚେଇ l
ହେଲେ ସେ କହିଲେ ପୁତ୍ର ପାଇଁ ମରି
ନୀଚ ଲୋକେ ଆମେ ରହିବୁ ଯାଇ l
ତକ୍ଷକ ଦଂଶନେ ପରୀକ୍ଷିତ ରାଜା
ଅଭିଶାପେ ଗଲେ ପାଉଁଶ ହୋଇ l
ତେଣୁ ସର୍ପ ଯଜ୍ଞ କରି ଜନ୍ମେଜୟ
ସର୍ପ କୂଳ ନାଶ କଲେ ଜଳେଇ l
ବ୍ରହ୍ମାଙ୍କ ଶରଣ ଗଲାରୁ ସେ ତାଙ୍କୁ
ଜାତକାରୁ ପାଖେ ଦେଲେ ପଠେଇ l
ବାସୁକୀଙ୍କ କନ୍ୟା ସମ ନାମଧାରୀ
ଜାତକାରୁ ସାଥେ ବିବାହ ଦେଇ l
ଆସ୍ତିକକୁ ଦେଇ ଜାତକାରୁ ଗର୍ଭେ
ସନ୍ଧ୍ୟା କାଳେ ଋଷି ଗଲେ ପଳେଇ l
ସର୍ପ କୂଳ ତହୁଁ ମୁକ୍ତି ପାଇଗଲେ
ବଂଶ ରକ୍ଷା ଗଲା ତାଙ୍କର ହୋଇ l
ପୁନର୍ଜନ୍ମର ଏ ଚାରିଟି କାରଣ
କର୍ମର ଆସକ୍ତି ସମ୍ପର୍କ ନେଇ l
ପ୍ରତିଶୋଧ ଆଉ ରୁଣ ପରିଶୋଧ
ଅକାଳ ବିୟୋଗ ଆସକ୍ତି ପାଇଁ l
ପିତୃ ଶ୍ରାଦ୍ଧ ଦିବାଲୋକରେ ଦିଅନ୍ତି
ପ୍ରେତ କାର୍ଯ୍ୟ ଚନ୍ଦ୍ରାଲୋକେ ହୁଅଇ l
ଅରବିନ୍ଦ ସ୍ୱାଇଁ
