ଅତୀତ ସହ ସାକ୍ଷାତ୍କାର(ଆଶୁତୋଷ)

 ଅତୀତ ସହ ସାକ୍ଷାତ୍କାର

କବି:- ଆଶୁତୋଷ (ବେଙ୍ଗାଲୁରୁ)


“ଯାତ୍ରୀମାନେ କୃପୟା ଧ୍ୟାନ ଦିଅନ୍ତୁ, ଭୁବନେଶ୍ୱରରୁ ଜୟପୁର ଯାଉଥିବା ଟ୍ରେନ୍‌ଟି ପ୍ଲାଟଫର୍ମ ନମ୍ବର ଏକରୁ ପ୍ରସ୍ଥାନ କରିବାକୁ ଯାଉଛି…”

ଷ୍ଟେସନ୍‌ର ଘୋଷଣାରେ ହଠାତ୍ ନିଦ ଭାଙ୍ଗିଗଲା। ଟ୍ରେନ୍‌ଟି ପ୍ଲାଟଫର୍ମରେ ଲାଗିସାରିଥିଲା।

ଗତ ଦୁଇତିନି ଦିନ ହେଲା ଠିକ୍‌ରେ ଶୋଇପାରିନି। ମନ ଭିତରେ ଅଜଣା ଉତ୍କଣ୍ଠା, ଅସମ୍ଭାଳ ଆବେଗ ଓ ଅନେକ ଅକୁହା ଭାବନାର ମିଶ୍ରଣ। ଦୀର୍ଘଦିନ ଧରି ନିରବରେ ଶୋଇଥିବା କିଛି ସ୍ମୃତି ଯେମିତି ଆଜି ହଠାତ୍ ଜୀବନ୍ତ ହୋଇଉଠିଛି।

କୁହାଯାଏ, ମଣିଷ ଯାହାକୁ ବାରମ୍ବାର ଭାବେ, ତାହାକୁ ପାଇବାର ଆଶା ଦିନେ ତାକୁ ନିଜ ଆଡ଼କୁ ଟାଣିନିଏ। ହୁଏତ ଏହା କେବଳ ଏକ ବିଶ୍ୱାସ, ଅବା ମନର ଗଭୀରରେ ଲୁଚିଥିବା ଇଚ୍ଛାର ନିରବ ପ୍ରାର୍ଥନା।

ହେଲେ ଦୀର୍ଘଦିନର ସ୍ୱପ୍ନ ସତ ହୋଇଗଲେ ମଧ୍ୟ ତାକୁ ବାସ୍ତବତା ଭାବେ ଗ୍ରହଣ କରିବା ସହଜ ନୁହେଁ। ମନରେ ଅସଂଖ୍ୟ ଥର ବଞ୍ଚିଥିବା ସ୍ୱପ୍ନ ଆଖି ଆଗରେ ବାସ୍ତବ ରୂପ ନେଲେ ବି ବିଶ୍ୱାସ ହୁଏନି—ସତରେ କ’ଣ ଏସବୁ ଘଟୁଛି?

ମୋ ମନରେ ବି ସେହି ପ୍ରଶ୍ନ ଉଙ୍କି ମାରୁଥିଲା।

ତିନି ହଜାର କିଲୋମିଟରର ଦୂରତା ବଡ଼, ନା ତିରିଶି ବର୍ଷର?

ଏହା କୌଣସି ଗାଣିତିକ ସମୀକରଣ ନୁହେଁ, ଯାହାର ଉତ୍ତର କିଛି ସଂଖ୍ୟାରେ ମିଳିଯିବ। କିଛି ଦୂରତା ମାନଚିତ୍ରରେ ମପାଯାଏ; ଆଉ କିଛି ପାଇଁ ଜୀବନ ବି ଯଥେଷ୍ଟ ହୁଏନି।

ବୟସ ପଞ୍ଚଚାଳିଶ। ଅନେକ ଦିନ ପରେ ଆଜି ନିଜ ବୟସର ଭାର ଅନୁଭବ କରୁଥିଲି। ମୁଣ୍ଡରେ ଧଳା ଓ କଳା ବାଳର ଅନୁପାତ ମଧ୍ୟ ମୋ ନିର୍ଣ୍ଣୟକୁ ସମର୍ଥନ କରୁଥିଲା।

ସେଲୁନ୍‌ବାଲା ସବୁଥର କହେ, “ସାର୍, ଡାଏ କରିଦିଅନ୍ତୁ।”

ଭାବୁଥିଲି, ଅଧିକ ପଇସା ରୋଜଗାରର ଲୋଭରେ କହୁଛି। ହେଲେ ଏବେ ଲାଗୁଛି, ସତ କହୁଥିଲା ବୋଧେ! ଡାଏ କରିଦେଇଥିଲେ ଆଉ କିଛି ବର୍ଷ କମ୍ ଦେଖାଯାଇଥାନ୍ତା।

ଛାଡ଼, ଏବେ ସମୟ ବି ନାହିଁ। କାଲି ସକାଳେ ଭୁବନେଶ୍ୱର ପାଇଁ ଫ୍ଲାଇଟ୍, ତା’ପରେ ଟ୍ରେନ୍ ଓ ଟ୍ୟାକ୍ସି।

ଏଥିପାଇଁ ବହୁତ ଥର ଯୁକ୍ତିତର୍କ ହୋଇଛି। କ’ଣ ଏତେ ହଇରାଣ ହୋଇ ଯିବା ଜରୁରୀ? ନଗଲେ ଚଳିବନି? ଏତେ ଜଣ ଅଛନ୍ତି, ଜଣେ ନ ଗଲେ କ’ଣ ହୋଇଯିବ?

ପ୍ରଶ୍ନଗୁଡ଼ିକ ସ୍ୱାଭାବିକ। ସ୍ତ୍ରୀ ଓ ଝିଅଙ୍କ ସହ ଏତେ ବର୍ଷର ସମ୍ପର୍କରେ କେବେ ଛୁଟିରେ ସେମାନଙ୍କୁ ଛାଡ଼ି ଯାଇନି। ପୁଣି ସେମାନେ ଜାଣିଛନ୍ତି, ସେହି ଜାଗାରେ ଏବେ ବି କିଛି ନକ୍ସଲ ସକ୍ରିୟ ଅଛନ୍ତି।

ତଥାପି, ମନରେ ଥିବା ଅଜଣା ଆକୁଳତାକୁ ସାଥୀ କରି ମୁଁ ପ୍ୟାକିଂ କରୁଥିଲି।

ତିନି ମାସ ତଳେ କିଛି ସାଙ୍ଗଙ୍କ ଅଦମ୍ୟ ଚେଷ୍ଟାରେ ଗୋଟେ ଅନଲାଇନ୍ ସ୍କୁଲ୍ ଗେଟ୍ଟୁଗେଦର୍ ହୋଇଥିଲା। ଏଥିରେ ମୋର ବିଶେଷ ଅବଦାନ ନଥିଲା। ଫୋନ୍‌ରେ ଥିବା ସମ୍ପର୍କଗୁଡ଼ିକ ଧୀରେ ଧୀରେ ଛିନ୍ନ ହୋଇଯାଇଥିଲା। ଜୀବନର ବ୍ୟସ୍ତତା ନା ମୋର ଚେଷ୍ଟାହୀନତା—କାହାର ଦୋଷ ଧରିବି, ଜାଣିନି।

ହେଲେ ଏତେ ବର୍ଷ ପରେ ସମସ୍ତଙ୍କୁ ଭିଡିଓ କଲ୍‌ରେ ଦେଖି ଲାଗୁଥିଲା, ଯେମିତି କାଲିର କଥା। ସାଙ୍ଗସାଥୀ, ଶିକ୍ଷକଶିକ୍ଷୟିତ୍ରୀ, ହସ, ମଜା, ଗପ—ସବୁକିଛି ସେମିତି ଥିଲା। ସମୟ ଯେମିତି ଆମ ପାଇଁ ସେଇଠି ଅଟକି ରହିଥିଲା।

ବହୁତ ଦିନ ପରେ ନିଜ ଡାକନାମରେ ସମ୍ବୋଧିତ ହେବାର ଅନୁଭୂତି ଅଲଗା ଓ ଭାବମୟ ଥିଲା। ସେହି ଡାକନାମ ଭିତରେ ଲୁଚିଥିଲା ମୋର ହଜିଯାଇଥିବା ପରିଚୟ। ଚାକିରି, ଦାୟିତ୍ୱ ଓ ସଂସାରର ଭିଡ଼ରେ କେବେ ତାକୁ ପଛରେ ଛାଡ଼ି ଆସିଥିଲି, ନିଜେ ବି ଜାଣିପାରିନଥିଲି।

ଶେଷରେ ନିଷ୍ପତ୍ତି ହେଲା, ପରବର୍ତ୍ତୀ ଗେଟ୍ଟୁଗେଦର୍ ସ୍କୁଲ୍‌ରେ ହେବ। ଶିକ୍ଷକମାନଙ୍କ ସହ ପୁଣି ଦେଖା ହେବ ଏବଂ ସ୍କୁଲ୍‌ର ପରିବେଶରେ କିଛି ସମୟ ବିତାଇବାର ସୁଯୋଗ ମିଳିବ। ଅନେକ ଆଲୋଚନା, ଯୋଜନା ଓ ଦୁଇଥର କାର୍ଯ୍ୟକ୍ରମ ବାତିଲ୍ ହେବା ପରେ ଶେଷରେ ପ୍ରୋଗ୍ରାମ୍‌ଟି ଫାଇନାଲ୍ ହୋଇଥିଲା।

ସରକାରୀ ସ୍କୁଲ୍। ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ଛୋଟ ଆଦିବାସୀ ଗାଁ—ଖାତିଗୁଡ଼ା। ପାହାଡ଼ ଭିତରେ ଲୁଚିଥିବା ଏହି ଗାଁ ଗୁଗଲ୍ ମ୍ୟାପ୍‌ରେ ବି ସ୍ପଷ୍ଟ ଦେଖାଯାଏନି। ଲୋକେ କହନ୍ତି, ପାହାଡ଼ ସେପଟେ ନକ୍ସଲମାନେ ରହନ୍ତି। ସେମାନେ ସରକାରୀ କଳ ବିରୋଧରେ ଲଢ଼ୁଛନ୍ତି।

ହେଲେ ମୁଁ ସେଠାରେ ବାର ବର୍ଷ ରହି କେବେ ସେମାନଙ୍କୁ ଦେଖିନି। ମୋ ସ୍ମୃତିରେ ରହିଛି ପ୍ରକୃତିର ସୁନ୍ଦର ରୂପ, ସରଳ ଆଦିବାସୀ ପରିବେଶ ଓ ଧୀର, ହେଲେ ପୂର୍ଣ୍ଣ ଏକ ଜୀବନର ଛବି।

ଆଜିର ସ୍କୁଲ୍‌ମାନଙ୍କ ମାନଦଣ୍ଡ ଅନୁସାରେ ଆମ ସ୍କୁଲ୍‌ଟି କିଛି କମ୍ ଥିଲା। ଦଶଟି କୋଠରୀରେ ପୂରା ସ୍କୁଲ୍। ବେଞ୍ଚ ଥିଲା କେବଳ ନବମ ଓ ଦଶମ ଶ୍ରେଣୀ ପାଇଁ। ୟୁନିଫର୍ମ ବି ବାଧ୍ୟତାମୂଳକ ନଥିଲା, କାରଣ ଅନେକ ଆଦିବାସୀ ପରିବାର ପାଇଁ ଏସବୁ ଯୋଗାଡ଼ କରିବା ସହଜ ନଥିଲା।

ହେଲେ ପାଠପଢ଼ା କେବେ ସୀମିତତାରେ ବାନ୍ଧି ହୋଇ ରହିନଥିଲା। ସୁବିଧା କମ୍ ଥିଲା, କିନ୍ତୁ ସେଠାରେ ଥିବା ସ୍ନେହ, ଶିକ୍ଷା ଓ ସମ୍ପର୍କର ମୂଲ୍ୟ କୌଣସି ମାପଦଣ୍ଡରେ ମପାଯାଇପାରିବ ନାହିଁ।

ସେ ସ୍କୁଲ୍‌ମାଟିରେ କିଛି ଗୋଟେ ଥିଲା, ଯାହା ମୋତେ ଟାଣି ନିଏ। ପ୍ରାର୍ଥନାର ଘଣ୍ଟି, ସାଙ୍ଗମାନଙ୍କ ଖେଳ ଓ ଦୁଷ୍ଟାମି, ବର୍ଷାଦିନର ଛୁଟି, ପରୀକ୍ଷା ଓ ଫଳାଫଳ ଦିନର ଅନୁଭୂତି, କେତେ ଅଧୁରା ପ୍ରେମକାହାଣୀ—ସବୁକିଛି ଆଜି ବି ମୋ ମନରେ ସତେଜ ଅଛି।

ନହେଲେ ମୁଁ ସେ ସ୍କୁଲ୍ ଛାଡ଼ିବା ବେଳେ ସାଙ୍ଗରେ କିଛି ମାଟି ନେଇ ଆସିଥିଲି କାହିଁକି? ଆଜି ବି ସେହି ମାଟିକୁ ଗୋଟିଏ ଛୋଟ ଡବାରେ, ଆଲମିରାର ଲକର୍‌ରେ ସାଇତି ରଖିଛି।

ସ୍କୁଲ୍‌ରେ ପହଞ୍ଚିବା ପରେ ମନେ ହେଲା, ମୁଁ ଯେଉଁ ସ୍ଥାନକୁ ଫେରିଛି, ତାହା କେବଳ ଏକ ଠିକଣା ନୁହେଁ। ଏହା ମୋ ଜୀବନର ସେହି ଅଧ୍ୟାୟ, ଯାହାକୁ କେବେ ବନ୍ଦ କରିପାରିନଥିଲି।

ବିଦାୟ ସେତେବେଳେ ବି ସହଜ ନଥିଲା, ଏଥର ବି ନୁହେଁ।

ଟ୍ୟାକ୍ସିରେ ବସିବା ବେଳେ ସାଙ୍ଗମାନେ ବିଦାୟ ଜଣାଉଥିଲେ। ଅନେକ କିଛି ପାଇ ମଧ୍ୟ ଅନେକ କିଛି ହରାଇ ଫେରୁଥିଲି।

ଭିଡିଓ କଲ୍‌ରେ ଦେଖାଯାଉଥିବା ଛବିଗୁଡ଼ିକ ବାସ୍ତବ ଜୀବନରେ କେତେ ଅଲଗା ଲାଗୁଥିଲା! ଜୀବନର ସଂଘର୍ଷ ସମସ୍ତଙ୍କଠାରୁ କିଛି ନା କିଛି ଛଡ଼ାଇ ନେଇଛି। କାହାର ହସରେ କ୍ଳାନ୍ତି, କାହାର ଆଖିରେ ଅକୁହା ଦୁଃଖ। ଆଉ କାହାର ନୀରବତାରେ ଲୁଚିଥିଲା ଅନେକ କାହାଣୀ।

ଯେଉଁ ଆଦିବାସୀ ସାଙ୍ଗମାନେ ପାରିବାରିକ ପରିସ୍ଥିତି ଯୋଗୁଁ ଗାଁ ଛାଡ଼ି ଦୂରକୁ ଯାଇପାରିନଥିଲେ, ସେମାନେ ଆର୍ଥିକ ସମ୍ବଳର ଦୌଡ଼ରେ ପଛରେ ରହିଯାଇଥିଲେ।

ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଏମିତି ଦେଖିବା ବି କଷ୍ଟକର ଥିଲା। ସେମାନଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ, ଗାଳି ଓ ବେତ ପାହାରର ଛବି ଆଜି ବି ମନରେ ଜୀବନ୍ତ। କିନ୍ତୁ ସେହି ଛବି ସହ ମଳିନ ଚେହେରା, ଝୁରିଯାଇଥିବା ମୁହଁ ଓ ନୀରବ ଭାବକୁ ମିଶାଇବା ସହଜ ନଥିଲା।

ସମୟ କେତେ ନିର୍ଦ୍ଦୟ! ଯେଉଁମାନେ ଆମକୁ ଶୃଙ୍ଖଳା ଶିଖାଇଥିଲେ, ଭୁଲ୍‌ରେ ଗାଳି ଦେଇଥିଲେ ଓ ଆମ ଭବିଷ୍ୟତ ପାଇଁ ନିଜ ଜୀବନର ଅନେକ ଅଂଶ ଦେଇଥିଲେ, ଆଜି ସେମାନେ ନିଜ ସଂଘର୍ଷରେ ଏତେ ଏକା ହୋଇଯାଇଛନ୍ତି!

ସ୍ୱାଭିମାନର ପ୍ରତୀକ ପରି ଆଜି ବି ଠିଆ ହୋଇଛନ୍ତି ସେମାନେ—ଏକ ନିଃସ୍ୱାର୍ଥ ଜୀବନ ଅବଦାନ ପରେ। ଜାଣିଲି, ଗତ ଦୁଇ ବର୍ଷରେ ଏହି ସଂଘର୍ଷରେ ତିନି ଜଣ ଶିକ୍ଷକ ହାରି ଯାଇଛନ୍ତି। ରୋଗ ପାଖରେ, ନା ମହଙ୍ଗା ଚିକିତ୍ସାର ଅଭାବରେ?

ଏହି ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା। କିନ୍ତୁ ପ୍ରଶ୍ନଟି ମନରେ ଏକ ଭାର ହୋଇ ରହିଗଲା।

ସାଙ୍ଗମାନେ ଆଉ ଦୁଇ ଦିନ ରହିଯିବା ପାଇଁ ଜିଦ୍ କରୁଥିଲେ—ପିଲାଦିନର ସ୍ମୃତିକୁ ପୁଣି ଜୀବନ୍ତ କରିବାକୁ: ବଣଭୋଜିରେ, ପୋଖରୀ ତୁଠରେ, ମନ୍ଦିର ବେଢ଼ାରେ, ଶ୍ମଶାନର ବରଗଛ ମୂଳରେ।

ହେଲେ ମୋ ପାଖରେ ବାହାନା ଥିଲା—ଅଫିସ୍ କାମ ଓ ଝିଅର ପରୀକ୍ଷା। ତା’ଠାରୁ ଅଧିକ ଥିଲା ମନରେ ସଞ୍ଚିତ ପ୍ରଶ୍ନଗୁଡ଼ିକର ସାମ୍ନା କରିବାର ଅକୁହା ଡର।

ଯେଉଁ ଖୁସିର ଚିତ୍ରକୁ ମନରେ ନେଇ କେତେ ବର୍ଷ ଜୀବନ କାଟିଛି, ଯେଉଁ କାହାଣୀ କେତେଥର ସମସ୍ତଙ୍କୁ କହିଛି, ସେହି କାହାଣୀର ପରିବର୍ତ୍ତିତ ରୂପକୁ ଗ୍ରହଣ କରିବା ସହଜ ନଥିଲା।

ମୋ ମନରେ ସେହି ସ୍କୁଲ୍, ଗାଁ ଓ ସାଙ୍ଗମାନେ ଆଜି ବି ପିଲାଦିନର ସେହି ରୂପରେ ବଞ୍ଚିଥିଲେ। କିନ୍ତୁ ବାସ୍ତବତା ଦେଖାଇଦେଲା—ସମୟ କାହା ପାଇଁ ଅଟକି ରହେନି। ଚେହେରା, ଜୀବନ, ସ୍ୱପ୍ନ ଓ ସଂଘର୍ଷ—ସବୁକିଛି ବଦଳିଯାଏ।

ଘରକୁ ଫେରିବାର ଆତ୍ମତୃପ୍ତି ଭିତରେ ଗୋଟିଏ ପ୍ରଶ୍ନ ମୋତେ ବ୍ୟସ୍ତ କରୁଥିଲା।

ଏସବୁ ପରିସ୍ଥିତି ପାଇଁ ମୁଁ କ’ଣ କିଛି ପରିମାଣରେ ଦାୟୀ? ଯେଉଁମାନେ ମୋ ହାତ ଧରି ରାସ୍ତା ଦେଖାଇଛନ୍ତି, ମୋ ଜୀବନ ଗଢ଼ିଛନ୍ତି, ସେମାନଙ୍କ ପାଇଁ ମୋର କ’ଣ କିଛି ଦାୟିତ୍ୱ ନାହିଁ?

ମୁଁ ଏକା କ’ଣ ବା କରିପାରିଥାନ୍ତି? ମୁଁ ଯଦି ଜାଣିଥାନ୍ତି, ତେବେ କ’ଣ କିଛି କରିନଥାନ୍ତି?

ଏବେ ଆମେ ଶିକ୍ଷକମାନଙ୍କ ପାଇଁ ଏକ ପାଣ୍ଠି ଗଠନ କରିବାର ଯୋଜନା କରିଛୁ। ଏହାଦ୍ୱାରା ଜରୁରୀକାଳୀନ ଚିକିତ୍ସା ସହାୟତା ଦିଆଯାଇପାରିବ। କିଛି ବିବାଦ ପରେ ବୋଧହୁଏ ଏହା ଶୀଘ୍ର କାର୍ଯ୍ୟକାରୀ ହେବ। ଆଦିବାସୀ ସାଙ୍ଗମାନଙ୍କ ପାଇଁ ବି ଏମିତି କିଛି କରିପାରିବୁ।

ହୁଏତ ଏହା ଅତୀତର ଋଣ ପରିଶୋଧ କରିବାର ଏକ ଛୋଟ ପ୍ରୟାସ—ଋଣଟି କେବଳ ଶିକ୍ଷାର ନୁହେଁ, ସ୍ନେହର ମଧ୍ୟ; କେବଳ ସଫଳତାର ନୁହେଁ, ମଣିଷ ହେବାର ଶିକ୍ଷାର ମଧ୍ୟ।

ମନର କୋଣରେ ସାଇତି ରଖିଥିବା ସେହି ପିଲାଦିନଟା ଏତେ ମୂଲ୍ୟବାନ ଯେ, ହୁଏତ ସେଇଥିପାଇଁ ତାକୁ ହରାଇଦେବାର ଭୟ ବି ଏତେ ଅଧିକ।

କବାଟ ଖୋଲିବା ମାତ୍ରେ ସ୍ତ୍ରୀ ଓ ଝିଅ ମୋତେ ଦେଖି କୁଣ୍ଢାଇ ପକାଇଲେ। ମୁଁ ବି ଟ୍ରାଭେଲ୍ ବ୍ୟାଗ୍‌ଟା ପାଖରେ ରଖି ଦୁହିଁଙ୍କୁ ଖୁବ୍ ଜୋର୍‌ରେ କୁଣ୍ଢାଇ ପକାଇଲି।

ଅନେକ ଅକୁହା କଥା, ଅନୁଭୂତି ଓ ଆବେଗ ସେମାନଙ୍କୁ କହିବାକୁ ଚାହୁଁଥିଲି। ହେଲେ ଗୋଟିଏ ପ୍ରଶ୍ନ ମୋତେ ନୀରବ କରିଦେଲା—

ମୁଁ ଫେରି ଯାଇଥିଲି କେବଳ ଅତୀତକୁ ଦେଖିବାକୁ, ନା ତା’ ଭିତରେ ହଜିଯାଇଥିବା ନିଜକୁ ଖୋଜିବାକୁ?

✍️ ଆଶୁତୋଷ

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!